ଲକ୍ଷ୍ନୌ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆସନ୍ତାକାଲି ଦ୍ଵିତୀୟ ଦିନିକିଆ ଖେଳାଯିବ। ପ୍ରଥମ ଦିନିକିଆ ଜିତି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ଧର୍ମଶାଳାରେ ଖେଳା ଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୭ ଓ୍ଵିକେଟରେ ହରାଇଛି। ଏବେ ଲକ୍ଷ୍ନୌରେ ମୁହାଁମୁହିଁ ହେବେ ଦୁଇ ଦଳ।

ଧର୍ମଶାଳାରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ବର୍ଷା କାରଣରୁ ୨୫-୨୫ ଓଭର ଖେଳା ଯାଇଥିଲା। ରୋହିତ ଶର୍ମା ଏହି ମ୍ୟାଚରେ ୧୬ ରନ କରି ଦୁର୍ଭାଗ୍ୟଜନକ ଭାବେ ଆଉଟ୍ ହୋଇଥିଲେ। ଦ୍ଵିତୀୟ ଦିନିକିଆରେ ହିଟମ୍ୟାନଙ୍କଠୁ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। ଶୁଭମନ ଗିଲଙ୍କ ସହ ଇନିଂସ ଓପନ କରିବେ ରୋହିତ ଶର୍ମା। ପ୍ରଥମ ଦିନିକିଆରେ ନମ୍ବର ୩ରେ ବ୍ୟାଟିଂ କରିଥିବା ଇଶାନ କିଷନଙ୍କ ସ୍ଥାନରେ ଯଶସ୍ଵୀ ଜୟସ୍ଵାଲଙ୍କୁ ସ୍ଥାନ ମିଳିପାରେ। ସିରିଜ ପୂର୍ବରୁ ଗିଲ୍ କହିଥିଲେ ଯେ, ଦଳ ପ୍ରବନ୍ଧକ ନମ୍ବର ୩ରେ ଅଲଗା ଅଲଗା ଖେଳାଳିଙ୍କୁ ସୁଯୋଗ ଦେଇ ପରୀକ୍ଷା ନିରୀକ୍ଷା କରିପାରେ।

Also Read: ଝଗଡ଼ା ପରେ ଶ୍ରୀଲଙ୍କାରେ କାହାର ପାଦ ଛୁଇଁ ପ୍ରଣାମ କଲେ ବୈଭବ ସୂର୍ଯ୍ୟବଂଶୀ ? ସାମ୍ନାକୁ ଆସିଲା VIDEO

କେମିତି ରହିବ ପିଚ୍

ଲକ୍ଷ୍ନୌର ଇକାନା ଷ୍ଟାଡିୟମର ପିଚ୍ ସର୍ବଦା ସ୍ପିନରଙ୍କ ପାଇଁ ଅନୁକୂଳ ରହିଥାଏ। ପ୍ରଥମ କିଛି ଓଭର ଦ୍ରୁତ ବୋଲରଙ୍କୁ ସହାୟତା ମିଳିଥାଏ। ପିଚରୁ ବାଉନ୍ସ ମିଳିପାରେ। ଦୁଇ ଦଳ ତିନି ଜଣ ଲେଖାଏଁ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇ ପାରନ୍ତି। ଟସ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି।

ଭାରତର ସମ୍ଭାବିତ ଏକାଦଶ

ଶୁଭମନ ଗିଲ୍(ଅଧିନାୟକ), ରୋହିତ ଶର୍ମା, ଯଶସ୍ଵୀ ଜୟସ୍ଵାଲ, ଶ୍ରେୟସ ଆୟର, କେଏଲ ରାହୁଲ/ଇଶାନ କିଷନ(ଓ୍ଵିକେଟ୍ କିପର), ନୀତିଶ କୁମାର ରେଡ୍ଡୀ, ଓ୍ଵାଶିଂଟନ ସୁନ୍ଦର, ହର୍ଷ ଦୁବେ/କୁଲଦୀପ ଯାଦବ, ଗୁରନୁର ବରାର, ଅର୍ଶଦୀପ ସିଂ ଓ ପ୍ରସିଦ୍ଧ କୃଷ୍ଣ/ପ୍ରିନ୍ସ ଯାଦବ।

ଆଫଗାନିସ୍ତାନର ସମ୍ଭାବିତ ଏକାଦଶ

ରେହମାନୁଲ୍ଲା ଗୁରବାଜ(ଓ୍ଵିକେଟ୍ କିପର), ଇବ୍ରାହିମ ଜାରଦାନ, ସେଦିକୁଲ୍ଲା ଅଟଲ, ରେହମତ ଶାହ, ହଶମତୁଲ୍ଲା ଶାହିଦୀ(ଅଧିନାୟକ), ଅଜମତୁଲ୍ଲା ଉମରଜାଇ, ମହମ୍ମଦ ନବି, ରଶିଦ ଖାନ, ଆଲ୍ଲା ଗଜନଫର, ଜିଆଉର ରେହମାନ ଶରିଫି, ମହମ୍ମଦ ସଫି/ଫରିଦ ଅହମ୍ମଦ ମଲିକ।