ବାରିପଦା: ଗଣତନ୍ତ୍ରର ସୁରକ୍ଷା ନାଁରେ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ। ମିଥ୍ୟା ତଥ୍ୟ ଓ ଭ୍ରମାତ୍ମକ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ଏଭଳି ଅପପ୍ରଚାର ବିରୋଧରେ ବିଜେପି ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ ଜାରି ରହିଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।

ବାରିପଦା ଠାରେ ମୟୂରଭଞ୍ଜ ଜିଲ୍ଲା ବିଜେପି ପୂର୍ବ ସଂଗଠନ ପକ୍ଷରୁ ଆୟୋଜିତ ପ୍ରେସମିଟ୍ ଅବସରରେ ମନ୍ତ୍ରୀ ଏଭଳି ମତବ୍ୟକ୍ତ କରିଛନ୍ତି। ଦେଶର ଅଗ୍ରଗତିକୁ ସହ୍ୟ କରିପାରୁ ନଥିବା କିଛି ବିଦେଶୀ ଶକ୍ତି ଓ ସେମାନଙ୍କ ସହ ହାତ ମିଳାଇଥିବା ବିରୋଧୀ ଦଳ ରାଜନୈତିକ ସ୍ୱାର୍ଥ ପାଇଁ ଅପପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆର୍ଥିକ ଓ ପ୍ରତିରକ୍ଷା କ୍ଷେତ୍ରରେ ସଶକ୍ତ ହେବା ସହ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଦେଶର ବିକାଶକୁ ନୂଆ ଦିଗ ଦେଇଛି। ଏହି ଅଗ୍ରଗତିକୁ ରୋକିବା ପାଇଁ ମିଥ୍ୟା ପ୍ରଚାର କରାଯାଉଥିବା ମନ୍ତ୍ରୀ କହିଛନ୍ତି।

Also Read: ରାମଲୀଳା ମଇଦାନରେ ବିରୋଧୀଙ୍କ ସମାବେଶକୁ ଟାର୍ଗେଟ୍, ପରିବାରବାଦ ନେଇ ବର୍ଷିଲେ ସୁଧାଂଶୁ

୨୦୨୪ ନିର୍ବାଚନରେ ଭୋଟ୍ ଚୋରି ହୋଇଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ମନ୍ତ୍ରୀ କହିଛନ୍ତି, ଯଦି ପ୍ରକୃତରେ ଭୋଟ୍ ଚୋରି ହୋଇଥିଲା, ତେବେ ସେତେବେଳେ ବିରୋଧୀ କୋର୍ଟର ଦ୍ୱାରସ୍ଥ ହେଲେ ନାହିଁ କାହିଁକି? ଆନ୍ଦୋଳନ କଲେ ନାହିଁ କାହିଁକି? ନିର୍ବାଚନର ଅଢ଼େଇ ବର୍ଷ ପରେ ଏଭଳି ଅଭିଯୋଗ ଆଣିବା ପଛରେ ରାଜନୈତିକ ଅଭିସନ୍ଧି ରହିଥିବା ସେ ଆକ୍ଷେପ କରିଛନ୍ତି।

ସେହିପରି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିରୋଧୀଙ୍କ ଆପତ୍ତି ଉପରେ ମନ୍ତ୍ରୀ କହିଛନ୍ତି, ଭୋଟର ତାଲିକାରେ ଅନିୟମିତତା ଦୂର କରିବା ପାଇଁ ଏହି ପ୍ରକ୍ରିୟା ଜରୁରୀ। ବୁଥ୍ ସ୍ତରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହେଉଥିବା ବେଳେ ତାଲିକାରୁ ନାମ ବାଦ୍ ପଡ଼ିଥିବା ଭୋଟର ନିୟମ ଅନୁଯାୟୀ ଫର୍ମ ନମ୍ବର ୬ ମାଧ୍ୟମରେ ପୁନର୍ବାର ଆବେଦନ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୋସିଆଲ ମିଡିଆ ଓ ସଭାସମିତିରେ ମିଥ୍ୟା ତଥ୍ୟ ପ୍ରଚାର କରି ଲୋକଙ୍କୁ ଭ୍ରମିତ କରୁଥିବା ଶକ୍ତିଙ୍କ ବିରୋଧରେ ବିଜେପି ପକ୍ଷରୁ ବାରିପଦା ସମେତ ବିଭିନ୍ନ ସ୍ଥାନରେ ରାଲି ଓ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି। ଆଗାମୀ ଦିନରେ ବୁଦ୍ଧିଜୀବୀ ସମ୍ମିଳନୀ ମାଧ୍ୟମରେ ଜନସାଧାରଣଙ୍କ ସମ୍ମୁଖରେ ସତ୍ୟତା ଉପସ୍ଥାପନ କରାଯିବ ବୋଲି ମନ୍ତ୍ରୀ ମତପ୍ରକାଶ କରିଛନ୍ତି।