ନୂଆଦିଲ୍ଲୀ: ଗୁଗଲ ଏବଂ ମାଇକ୍ରୋସଫ୍ଟ ପରେ ଏବେ ଟେକ୍ ଜଗତର ଅନ୍ୟତମ ବଡ଼ କମ୍ପାନୀ ମେଟା ନିଜର ଖର୍ଚ୍ଚ କାଟ୍ ପାଇଁ ଏକ ନୂଆ ରଣନୀତି ଆପଣାଇଛି। ବାଧ୍ୟତାମୂଳକ ଭାବେ କର୍ମଚାରୀଙ୍କୁ ଛଟେଇ କରିବା ବଦଳରେ କମ୍ପାନୀ ଏବେ ସ୍ୱେଚ୍ଛାକୃତ ଭାବେ ଚାକିରି ଛାଡ଼ିବା ପାଇଁ ଏକ ଆକର୍ଷଣୀୟ ଅଫର ଦେଇଛି।

ଫ୍ରାନ୍ସ ଗଣମାଧ୍ୟମ ‘ଲା ଲେତ୍ରେ’ର ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ କାର୍ଯ୍ୟରତ ମେଟା କର୍ମଚାରୀଙ୍କୁ ଏହି ସ୍ୱେଚ୍ଛାକୃତ ଅବସର ବା ଏଗଜିଟ୍ ପ୍ୟାକେଜର ବିକଳ୍ପ ଦିଆଯାଇଛି। ଏହି ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଯେଉଁମାନେ ନିଜ ଆଡ଼ୁ ଚାକିରି ଛାଡ଼ିବେ, ସେମାନଙ୍କୁ କମ୍ପାନୀ ପକ୍ଷରୁ ସେମାନଙ୍କ ମୋଟ ଦରମାର ୮୦ ପ୍ରତିଶତ ରାଶି ମିଳିବ। କେବଳ ସେତିକି ନୁହେଁ, ସେହି କର୍ମଚାରୀମାନଙ୍କୁ ନୂଆ କ୍ୟାରିୟର ଗଢ଼ିବା ପାଇଁ ପ୍ରଫେସନାଲ ଟ୍ରେନିଂ ଏବଂ ନୂଆ ଷ୍ଟାର୍ଟଅପ୍ ବା ବ୍ୟବସାୟ ଆରମ୍ଭ କରିବା ପାଇଁ ମେଟା ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଦେବ।

୧୦୦ କର୍ମଚାରୀଙ୍କ ଉପରେ ପଡ଼ିପାରେ ପ୍ରଭାବ:

ସୂଚନା ଅନୁଯାୟୀ, ଫ୍ରାନ୍ସରେ ଥିବା ମେଟା କାର୍ଯ୍ୟାଳୟରେ ବର୍ତ୍ତମାନ ପ୍ରାୟ ୩୦୦ କର୍ମଚାରୀ କାମ କରୁଛନ୍ତି। ଏହି ନୂଆ ଏଗଜିଟ୍ ପ୍ରୋଗ୍ରାମ ଯୋଗୁଁ କମ୍ପାନୀର ପ୍ରାୟ ଏକ-ତୃତୀୟାଂଶ ଅର୍ଥାତ୍ ପାଖାପାଖି ୧୦୦ ଜଣ କର୍ମଚାରୀ ଚାକିରିରୁ ଅବ୍ୟାହତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ କେଉଁ କେଉଁ ବିଭାଗ କିମ୍ବା ପଦବୀର କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି, ସେନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

କ’ଣ ଏହି ଖାସ୍ ନିୟମ ?

ମେଟା ଏହି ପ୍ରକ୍ରିୟା ପାଇଁ ଫ୍ରାନ୍ସର ଶ୍ରମ ଆଇନର ଏକ ସ୍ୱତନ୍ତ୍ର ନିୟମ ‘ରୁପ୍‌ଚର କନଭେନସନାଲ କଲେକ୍ଟିଭ୍’ (RCC) ର ସାହାଯ୍ୟ ନେଉଛି। ଏହି ନିୟମ ଅନୁସାରେ, କମ୍ପାନୀ ଏବଂ ଶ୍ରମିକ ସଂଗଠନ ମଧ୍ୟରେ ଆଲୋଚନା ହୋଇ ଚାକିରି ଛାଡ଼ିବାର ସର୍ତ୍ତାବଳୀ ସ୍ଥିର କରାଯାଏ । ଯାହାଫଳରେ କର୍ମଚାରୀ ନିଜ ଇଚ୍ଛାରେ ଇସ୍ତଫା ଦିଅନ୍ତି ଏବଂ ଏହାକୁ ବାଧ୍ୟତାମୂଳକ ଛଟେଇ ଶ୍ରେଣୀରେ ଗଣାଯାଏ ନାହିଁ। ଆଗ୍ରହୀ କର୍ମଚାରୀମାନଙ୍କୁ ନଭେମ୍ବର ୫ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି।

Also Read: କାନଭାରେ ବଡ଼ ଛଟେଇ: ୧,୨୭୧ କର୍ମଚାରୀଙ୍କୁ ଚାକିରିରୁ ବିଦା କଲା କମ୍ପାନୀ​​​​​​​

ଦମଦାର୍ ସେଭରେନ୍ସ ପ୍ୟାକେଜ୍:

ଟେକ୍ ଇଣ୍ଡଷ୍ଟ୍ରିରେ ମେଟାର ଏହି ପ୍ୟାକେଜ୍‌କୁ ସବୁଠାରୁ ଆକର୍ଷଣୀୟ ବୋଲି କୁହାଯାଉଛି। ଏହି ସ୍କିମ୍ ଅଧୀନରେ ଚାକିରି ଛାଡ଼ୁଥିବା ବ୍ୟକ୍ତିଙ୍କୁ କମ୍ପାନୀରେ ବିତାଇଥିବା ପ୍ରତି ୧ ବର୍ଷର ସେବା ଅବଧି ବଦଳରେ ୨.୧୫ ମାସର ଦରମା ମିଳିବ। ଉଦାହରଣ ସ୍ୱରୂପ, ଯଦି କେହି ମେଟାରେ ୫ ବର୍ଷ କାମ କରିଛନ୍ତି, ତେବେ ତାଙ୍କୁ ପ୍ରାୟ ୧୦.୭୫ ମାସର ମୋଟା ଅଙ୍କର ଦରମା ଏକକାଳୀନ ମିଳିବ।