ମାର୍ଶାଘାଇ : ଯେଉଁଠି ଭକ୍ତି ଆଗରେ ହାର ମାନେ ମୃତ୍ୟୁର ଭୟ। ଯେଉଁଠି ଆସ୍ଥା ପାଇଁ ଭକ୍ତ ଦେବାକୁ ପଛାଏ ନାହିଁ ନିଜ ଜୀବନର ବଳିଦାନ୍। ସେଠି ଭକ୍ତ ଓ ଭଗବାନଙ୍କର ଏକ ଅତୁଟ ଓ ଅଲୌକିକ ସଂପର୍କର କଥା ସାମ୍ନାକୁ ଆସେ । ଝଡ଼, ବର୍ଷା, ଅନ୍ଧାର ରାତି ଓ ଶତ୍ରୁର ଆକ୍ରମଣକୁ ଅତିକ୍ରମ କରି ଆଜି ବି ଅକ୍ଷୁଣ୍ଣ ରହିଛି ଓଡ଼ିଆ ଜାତିର ଅତୁଟ ବିଶ୍ୱାସ। ଏହା କୌଣସି କିମ୍ବଦନ୍ତୀ ନୁହେଁ, ଏହା ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ଇତିହାସର ଏକ ରୋମାଞ୍ଚକର ଅଧ୍ୟାୟ। ଯେଉଁଠି ଗୋଟିଏ ଗାଈର କ୍ଷୀରଧାରାରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଆବିର୍ଭାବର କାହାଣୀ। ଆଉ ତାଙ୍କୁ ରକ୍ଷା କରିବାକୁ ଭକ୍ତ ଓ ସେବାୟତ ଦେଇଥିଲେ ଅକଳ୍ପନୀୟ ବଳିଦାନ।

1220 ଖ୍ରୀଷ୍ଟାବ୍ଦର କଥା। କେନ୍ଦ୍ରାପଡ଼ା ମାଧବପୁର ଅଞ୍ଚଳର ଜମିଦାର ସ୍ବପ୍ନେଶ୍ଵର ମହାପାତ୍ର । ତାଙ୍କ ପାଖରେ ଗାଈ ଚରାଳୀଭାବେ ଭାବେ କାମ କରୁଥିଲେ ଗୋପାଳ ସିଦ୍ଧ ଦାସ। ପ୍ରତିଦିନ ଭଗବାନପୁର ତୁଳସୀ ବଣକୁ ଗାଈ ଚରାଇବାକୁ ଯାଇଥାନ୍ତି ସିଦ୍ଧ ଦାସ। କିନ୍ତୁ ଜଙ୍ଗଲର ସେହି ନିରବତା ଭିତରେ ଘଟୁଥିଲା କିଛି ଅଦ୍ଭୁତ ଘଟଣା। ଏମିତି କିଛି ସନ୍ଦେହ କରି ଯାହାକୁ ଦିନେ ଲୁଚିକରି ଦେଖିଲେ ଗୋପାଳ ସିଦ୍ଧ । ତାଙ୍କର ପ୍ରିୟ କପିଳା ଗାଈ ଚରିବାକୁ ଯାଉଥିଲା ସତ ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ମାଟି ହୁଙ୍କା ପାଖରେ ପହଞ୍ଚିବା ମାତ୍ରେ, ତା'ର ସ୍ତନରୁ ଆପେ ଆପେ ଝରି ପଡ଼ୁଥିଲା କ୍ଷୀର। କାହା ପାଇଁ ଏହି କ୍ଷୀର? କାହିଁକି ଏହି ଅଦ୍ଭୁତ ଘଟଣା ? ଏହି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ସିଦ୍ଧ ଦାସ ଖୋଳିଥିଲେ ସେହି ମାଟି । ଆଉ ମାଟି ତଳୁ ଆବିର୍ଭାବ ହୋଇଥିଲେ ଏମିତି ଜଣେ ଠାକୁର, ଯାହାଙ୍କର ନାହିଁ ହାତ, ନାହିଁ ଗୋଡ଼, ହେଲେ ଯାହାଙ୍କ ଭିତରେ ବିରାଜମାନ ଅନନ୍ତ ବ୍ରହ୍ମ। ସେହିଦିନଠାରୁ ଆରମ୍ଭ ହେଲା ଏକ ନୂଆ ଅଧ୍ୟାୟ। ସେହି ମହିମାମୟ ଠାକୁର ହେଉଛନ୍ତି ସିଦ୍ଧ ବଳଦେବଜୀଉ।

ପ୍ରଥମେ ତୁଳସୀ ଜଙ୍ଗଲ ଭିତରେ ବଳରାମ ଚାଳ କୁଟୀରରେ ଆରମ୍ଭ ହୋଇଥିଲା ପୂଜା। ସିଦ୍ଧ ଗୋପାଳ ମଠରୁ ଧୀରେ ଧୀରେ ଠାକୁର ଆସିଥିଲେ ଲୋକାଳୟକୁ। ଆଜିର ପୁରୁଣା ବସଷ୍ଟାଣ୍ଡ, ସେତେବେଳର ଆମଲା ବଜାର ବଳଦେବପୁର କଚେରୀ। ସେଠାରେ 1220ରୁ 1232 ମଧ୍ୟରେ ତିଆରି ହେଲା ଛୋଟ ଇଟା ମନ୍ଦିର, ବିରାଜମାନ ହେଲେ ସିଦ୍ଧ ବଳଦେବଜୀଉ। ଭକ୍ତଙ୍କ ପାଇଁ ସେ କେବଳ ଠାକୁର ନଥିଲେ। ସେ ଥିଲେ ଜୀବନ, ସେ ଥିଲେ ଭରସା, ସେ ଥିଲେ ସମଗ୍ର ଅଞ୍ଚଳର ଆତ୍ମା। ହେଲେ ଇତିହାସର ସେହି ଅନ୍ଧକାର ଅଧ୍ୟାୟ ଆସିଲା ୧୬୬୧ ମସିହାରେ । ଖାନ-ଇ-ଦୁରାନଙ୍କ ସେନା ବଳଦେବପୁରରେ ପହଞ୍ଚିଲା । ମନ୍ଦିର ଉପରେ ମାଡ଼ି ଆସିଲା ବିପଦ। ଠାକୁରଙ୍କୁ ରକ୍ଷା କରିବା ନଥିଲା କେବଳ ଗୋଟିଏ ମୂର୍ତ୍ତିକୁ ବଞ୍ଚାଇବା। ଏହା ଥିଲା ନିଜ ଆସ୍ଥା, ନିଜ ପରମ୍ପରା ଆଉ ନିଜ ଅସ୍ମିତାକୁ ବଞ୍ଚାଇବାର ଲଢ଼େଇ। ଖାନ-ଇ-ଦୁରାନଙ୍କ ଆଗରେ ଛାତି ପାତି ଠିଆ ହେଲେ ପ୍ରଧାନ ସେବାୟତ। ସାମ୍ନାରେ ଥିଲା ତରୱାର। ଅନ୍ୟ ପଟେ ଥିଲେ ତାଙ୍କ ଆରାଧ୍ୟ ଠାକୁର। ନିଜ ଜୀବନଠାରୁ ଠାକୁରଙ୍କୁ ବଡ଼ ମନେ କରୁଥିବା ସେହି ସେବାୟତ ପଛକୁ ହଟି ନଥିଲେ। ଏମିତି କି ଆକ୍ରମଣରରେ ଭକ୍ତମାନେ ହୋଇଥିଲେ ଲହୁଲୁହାଣ। ଯେଉଁ ମନ୍ଦିରରେ ଦିନେ ଭକ୍ତିର ଦୀପ ଜଳୁଥିଲା, ସେହି ମାଟି ଭିଜିଗଲା ରକ୍ତରେ । ସେହି ରକ୍ତ କେବଳ ଜଣେ ସେବାୟତଙ୍କ ରକ୍ତ ନଥିଲା। ତାହା ଥିଲା ଭକ୍ତିର ମୂଲ୍ୟ, ଅଟଳ ବିଶ୍ୱାସର ସାକ୍ଷୀ। ଦେହ ମାଟିରେ ମିଶିଗଲା, କିନ୍ତୁ ଭକ୍ତି ମୁଣ୍ଡ ନୁଆଁଇଲା ନାହିଁ।

ଅନ୍ଧାର ରାତିରେ କିଛି ଭକ୍ତଙ୍କ କୋଳରେ ଭଗବାନ। ଗୋଟିଏ ପଟେ ମନ୍ଦିର ଉପରେ ଆକ୍ରମଣ, ଅନ୍ୟ ପଟେ ଠାକୁରଙ୍କୁ ରକ୍ଷା କରିବାକୁ ସଂଘର୍ଷ। ଶ୍ରାବଣର ସେହି ପ୍ରଳୟଙ୍କରୀ ରାତିରେ ଆକାଶରୁ ଝରୁଥିଲା ଅବିରତ ବର୍ଷା। ଆଉ ସେହି ଅନ୍ଧାର ଭିତରେ ଧାନ ବସ୍ତା ଭିତରେ ପୁରାଇ ବେତାରେ କନ୍ଦେଇ ଠାକୁରଙ୍କୁ ଧରି ଦୌଡ଼ୁଥିଲେ ସେବାୟତ। ସାମ୍ନାରେ ଗୋବରୀ ନଦୀ... ପାଣିର ସୁଅକୁ ଭଙ୍ଗା ଡଙ୍ଗା। ହେଲେ ସେମାନଙ୍କ ମନରେ ନଥିଲା ମୃତ୍ୟୁର ଭୟ। ମନରେ ଥିଲା କେବଳ ଗୋଟିଏ ସଂକଳ୍ପ- ଯେମିତି ହେଉ, ଠାକୁରଙ୍କୁ ବଞ୍ଚାଇବାକୁ ହେବ। ଏକ ଭଙ୍ଗା ଡଙ୍ଗାରେ ଠାକୁରଙ୍କୁ ରଖି ସେମାନେ ନଦୀ ପାର ହେଲେ। ବରଙ୍ଗା ଜଙ୍ଗଲରୁ କାନ୍ଧରେ ବୋହି ବଳରାମପୁର, ଆଉ ସେଠାରୁ ଲୁଣାନଦୀ ଦେଇ ସାଖୀବଟ ବରଗଛ କୋରଡ଼। ଏମିତି ବିତିଗଲା ଅନେକ ବର୍ଷ।

ସମୟ ବଦଳିଲା। ପିଢ଼ି ପରେ ପିଢ଼ି ବିତିଗଲା। ହେଲେ ଠାକୁରଙ୍କୁ ଫେରାଇ ଆଣିବାର ଆକାଂକ୍ଷା ଭକ୍ତଙ୍କ ମନରୁ କେବେ ମରିନଥିଲା। କୁଜଙ୍ଗର ରାଜା ଗୋପାଳ ସାନ୍ଧ ଥିଲେ ମହାପ୍ରଭୁଙ୍କ ପରମ ଭକ୍ତ। ସେ 1680 ମସିହାରେ ନିଷ୍ପତି ନେଲେ ଠାକୁରଙ୍କୁ ସଖୀଟର ଗଛ କୋରଡ଼ରୁ ଆଣି କୁଜଙ୍ଗରେ ଏକ ଭବ୍ୟ ମନ୍ଦିର ସ୍ଥାପନ କରାଯିବ। ଆଉ ପ୍ରଜାଙ୍କ ସହ ଠାକୁରଙ୍କୁ ମଧୁସାଗର ଦେଇ ଡଙ୍ଗାରେ କୁଜଙ୍ଗ ଅଭିମୁଖେ ଆଣୁଥିବାବେଳେ ଡ଼ଙ୍ଗାଟି ମୋଡ ନେଇ ଅଟକିଲା । ଶରଣ ପଶିଲେ ରାଜା, ତାପରେ ଜାଣିବାକୁ ପାଇଲେ ଠାକୁରଙ୍କ ଇଛାଥିଲା ତିଆରି ହେବ ଇଚ୍ଛାପୁରରେ ସୁନ୍ଦର ଭବ୍ୟ ମନ୍ଦିର । ଶେଷରେ ଆସିଲା ୧୭୬୧ । ଦୀର୍ଘ ଅପେକ୍ଷା ପରେ ଖୋଲିଲା ମୁକ୍ତିର ନୂଆ ଦ୍ୱାର। ସନ୍ଥ ଗୋପୀ ଦାସ ଓ ସଇରାତକ ଗିରି , ମରହଟ୍ଟା ସେନାପତି ଜାନୋଜୀ ଭୋଁସଲେଙ୍କ ନିକଟରେ ନିବେଦନ କଲେ। କୁଜଙ୍ଗ ରାଜା ଗୋପାଳ ସାନ୍ଧ ଏବଂ ଛେଦରା ରାଜା ଶ୍ରୀନିବାସ ମହାପାତ୍ର ମଧ୍ୟ ଏହି ପ୍ରୟାସରେ ହାତ ମିଳାଇଲେ। ସାଖୀବଟର ନିରବତାରୁ ଠାକୁରଙ୍କୁ ଫେରାଇ ଅଣାଗଲା ଇଚ୍ଛାପୁରକୁ।ଏଥର ଆଉ ଲୁଚି ରହିବେ ନାହିଁ ଠାକୁର। ଆଉ କୌଣସି ଅନ୍ଧାର ତାଙ୍କ ଆସ୍ଥାକୁ ଢାଙ୍କି ରଖିପାରିବ ନାହିଁ। କିଛି ବର୍ଷ ବାଟ ମନ୍ଦିରରେ ପୂଜା ପାଇବା ପରେ, ଗଢ଼ି ଉଠିଲା ୭୫ ଫୁଟର ବିଶାଳ ମନ୍ଦିର। ଯେଉଁଠି ପୁଣିଥରେ ଗୁଞ୍ଜରିତ ହେଲା ଶଙ୍ଖଧ୍ୱନି, ଜଳିଲା ଭକ୍ତିର ଦୀପ ଆଉ ଫେରିପାଇଲା ନିଜ ଆରାଧ୍ୟଙ୍କୁ କେନ୍ଦ୍ରାପଡ଼ା ମାଟି । ସେହି ମନ୍ଦିର ଆଜି ତୁଳସୀ କ୍ଷେତ୍ର ଭାବେ ପରିଚିତ। କାଳକ୍ରମେ ଗୋଟିଏ ମୂର୍ତ୍ତିରୁ ଚାରି ମୂର୍ତ୍ତି କରାଗଲା। ଆଉ ଠାକୁର ନିଜ ଇଛାରେ ସେହିଠାରେ ରହିଥିବାରୁ ସେ ଜାଗର ନାମ ହେଲା ଇଚ୍ଛାପୁର । ଏହା କେବଳ ଇଟା, ପଥର ଓ ଚୂନରେ ତିଆରି ଏକ ମନ୍ଦିର ନୁହେଁ। ଏହା ହେଉଛି ଭକ୍ତଙ୍କ ତ୍ୟାଗର ସ୍ମୃତି, ସେବାୟତଙ୍କ ବଳିଦାନର ପରିଚୟ ଆଉ ଅଟଳ ବିଶ୍ୱାସର ଜୀବନ୍ତ ପ୍ରତୀକ।

Also Read- Lakshmi Narayan Rajyog: ଧନତେରସରେ ହେବ 'ଲକ୍ଷ୍ମୀ ନାରାୟଣ ରାଜଯୋଗ'; ୩ଟି ରାଶି ଉପରେ ହେବ ଧନ ବର୍ଷା !

କ୍ଷୀରରୁ ଆରମ୍ଭ ହୋଇଥିବା ଏହି ଗାଥା ରକ୍ତର ସଂଘର୍ଷ ଦେଇ ଆଜି ଭକ୍ତିର ମହାସାଗରରେ ମିଶିଛି। ସମୟର ଝଡ଼ ଆସିଛି, ମନ୍ଦିର ଉପରେ ବିପଦ ମାଡ଼ି ଆସିଛି, ହେଲେ ସିଦ୍ଧ ବଳଦେବଜୀଉଙ୍କ ପ୍ରତି ଭକ୍ତଙ୍କ ଆସ୍ଥା କେବେ ଭାଙ୍ଗିନାହିଁ। ତୁଳସୀ କ୍ଷେତ୍ରର ପ୍ରତିଟି ଧୂଳିକଣା ଯେମିତି ଆଜି ବି କହୁଛି ସେହି ଅମର ବଳିଦାନର କାହାଣୀ।