Vaibhav Sooryavanshi in Sri Lanka: ଶ୍ରୀଲଙ୍କା ଗସ୍ତରେ ଖୁବ ଚର୍ଚ୍ଚାରେ ଅଛନ୍ତି ବୈଭବ ସୂର୍ଯ୍ୟବଂଶୀ। ହେଲେ ଏହି ଚର୍ଚ୍ଚା ତାଙ୍କର ପ୍ରଦର୍ଶନ ପାଇଁ ନୁହେଁ ବରଂ ମଇଦାନରେ ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା କରିବା ନେଇ ହେଉଛି।ଜୁନ ୧୫ରେ ଶ୍ରୀଲଙ୍କା ଏ ବିପକ୍ଷ ତ୍ରିରାଷ୍ଟ୍ରୀୟ ସିରିଜରେ ସୁପର ଓଭରରେ ମ୍ୟାଚ୍ ହାରିବା ପରେ ସୂର୍ଯ୍ୟବଂଶୀଙ୍କ ଶ୍ରୀଲଙ୍କା ଖେଳାଳିଙ୍କ ସହ ଲଢେଇ ହୋଇଥିଲା। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଦ୍ରୁତ ବେଗରେ ଭାଇରାଲ୍ ମଧ୍ୟ ହୋଇଛି। ତେବେ ଏହି ଘଟଣା ପରେ ବୈଭବ ଜଣେ ବ୍ୟକ୍ତିଙ୍କ ପାଦ ଛୁଇଁବା ଭିଡିଓ ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ବୈଭବ ଶ୍ରୀଲଙ୍କାରେ କେଉଁ ବ୍ୟକ୍ତିଙ୍କ ପାଦ ଛୁଇଁଲେ ?

ସାମ୍ନାକୁ ଆସିଥିବା ଭିଡିଓଟି ହେଉଛି ମ୍ୟାଚ୍ ପରର। ଏଥିରେ ବୈଭବ ସୂର୍ଯ୍ୟବଂଶୀ ଅନୁରା ଟେନେକୁନଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଅନୁରା ଟେନେକୁନ ହେଉଛନ୍ତି ଶ୍ରୀଲଙ୍କା ଦିନିକିଆ ଦଳର ପ୍ରଥମ ଅଧିନାୟକ। ସେ ୧୯୭୫ ବିଶ୍ଵକପରେ ଶ୍ରୀଲଙ୍କା ଦଳର ନେତୃତ୍ଵ ନେଇଥିଲେ। ଡାମ୍ବୁଲାରେ ମ୍ୟାଚ୍ ପରେ ୧୫ ବର୍ଷୀୟ ବୈଭବ ତାଙ୍କୁ ସାକ୍ଷାତ କରିଛନ୍ତି। ଆଉ ଏହି ସାକ୍ଷାତ ସମୟରେ ହିଁ ବୈଭବ ଟେନେକୁନଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ତାଙ୍କୁ ଅନୁରା ଟେନେକୁନଙ୍କଠୁ ଏକ ଭଲ ପରାମର୍ଶ ମଧ୍ୟ ମିଳିଛି। ଅନୁରା କହିଛନ୍ତି, ଲୋକେ କଣ କହିବେ ତାହାକୁ ଗୁରୁତ୍ଵ ଦିଅନି ବରଂ ନିଜ ଖେଳ ଉପରେ ଅଧିକ ଧ୍ୟାନ ଦିଅ।

ମ୍ୟାଚ୍ ପରେ କଣ ଘଟିଥିଲା ଗ୍ରାଉଣ୍ଡରେ

ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏକାକୀ ସମଗ୍ର ଶ୍ରୀଲଙ୍କା ଦଳ ସହ ମୁହାଁମୁହିଁ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଏବେ ଦ୍ରୁତ ଗତିରେ ଭଳି ଭାଇରାଲ୍ ହେବାରେ ଲାଗିଛି। ସୁପର ଓଭରରେ ଶ୍ରୀଲଙ୍କା ଦଳ ବିଜୟୀ ହେବା ପରେ ଏହି ସଂଘର୍ଷ ଘଟିଥିଲା। ମ୍ୟାଚ୍ ସରିବା ପରେ ବୈଭବ ସୂର୍ଯ୍ୟବଂଶୀ ଏବଂ ସୂର୍ଯ୍ୟାଂଶ ସେଡଗେ ପାଭିଲିୟନ ଫେରୁଥିବା ବେଳେ ଶ୍ରୀଲଙ୍କା ଖେଳାଳିଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

ଧୀରେ ଧୀରେ ଏହି ପାଟିତୁଣ୍ଡ ଉଗ୍ର ରୂପ ନେଇଥିଲା ଏବଂ ଦୁଇ ପକ୍ଷ ମଧ୍ୟରେ ଧକ୍କା ଏବଂ ହାତାହାତି ଆରମ୍ଭ ହୋଇଯାଇଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ ବୈଭବ ଏକାକୀ ବିପକ୍ଷ ଦଳ ସହ ଲଢିବା ସହ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କୁ ଧକ୍କା ମାରୁଛନ୍ତି। ସୂର୍ଯ୍ୟାଂଶ ସେଡଗେ ମଧ୍ୟ ହାତରେ ବ୍ୟାଟ୍ ଟେକି ଶ୍ରୀଲଙ୍କା ଖେଳାଳିଙ୍କୁ ଚେତାବନୀ ଦେଉଛନ୍ତି। ତେବେ ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଶ୍ରୀଲଙ୍କାର କିଛି ସିନିୟର ଖେଳାଳି ମଝିରେ ପଶି ମାମଲାକୁ ଶାନ୍ତ କରିଥିଲେ।