ଭୁବନେଶ୍ୱର: କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଆରମ୍ଭ ହୋଇଛି ବାକ୍ଯୁଦ୍ଧ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିବା ପରେ ଏହାକୁ କାଉଣ୍ଟର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନବୀନଙ୍କ ପୂର୍ବ ଶାସନ କାଳକୁ ନେଇ ପ୍ରଶ୍ନ ଉଠାଇବା ସହ ତାଙ୍କୁ ସମାଲୋଚନା କରିଛନ୍ତି ପ୍ରଭାତୀ।

ପ୍ରଭାତୀ ପରିଡ଼ା କହିଛନ୍ତି, “ଆପଣ ୨୪ ବର୍ଷ ଶାସନରେ ୯ ବର୍ଷ NDAର ସାଥୀ ଥିଲେ। ଏବେ ଚିଠି ଲେଖିବାର ବିଷୟବସ୍ତୁ ବୋଧହୁଏ ବୁଝିପାରିଲେ ନା ଆଉ କିଏ ବୁଝାଇଦେଲା ?” ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଯୋଗୁଁ ଆଜି କୋରାପୁଟ ପ୍ରଶାସନ ଲଢ଼ୁଛି ଏବଂ ଜିତୁଛି ବୋଲି ସେ କହିଛନ୍ତି। ପୂର୍ବରୁ ଏହି ପ୍ରସଙ୍ଗରେ ନବୀନ ନିରବ ଦ୍ରଷ୍ଟା ଥିଲେ କି ବୋଲି ପ୍ରଶ୍ନ କରିବା ସହ ଏବେ ହଠାତ୍ ବିଜେପିର ନିର୍ବାଚନୀ ଘୋଷଣାପତ୍ର ମନେପଡ଼ିଲା କିପରି ବୋଲି ପଚାରିଛନ୍ତି।

 

ସୂଚନାଯୋଗ୍ୟ, କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏଥିରେ ସେ ବିଜେପିର ୨୦୨୪ ନିର୍ବାଚନୀ ଇସ୍ତାହାରରେ କୋଟିଆକୁ ନେଇ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ମନେ ପକାଇଥିଲେ।

Also Read: କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକାଶ କଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନବୀନ ତାଙ୍କ ଚିଠିରେ କହିଥିଲେ, ଅକ୍ଟୋବର ୧୯ ତାରିଖରେ ଲେଖିଥିବା ପୂର୍ବ ଚିଠି ଏବଂ ଅକ୍ଟୋବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ମଧ୍ୟ କୋଟିଆର ସ୍ଥିତି ଆହୁରି ଖରାପ ହୋଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଏବଂ ମୁହାଁମୁହିଁ ସ୍ଥିତି ବଢ଼ୁଥିବା ନେଇ ରିପୋର୍ଟ ମିଳୁଥିବା ସେ ଦର୍ଶାଇଛନ୍ତି।

ଏଥିସହ ଆସନ୍ତାକାଲି କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ଯାଉଥିବାରୁ ଏହା ଓଡ଼ିଶା ପାଇଁ ଚିନ୍ତାଜନକ ବୋଲି ନବୀନ କହିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଏବଂ ରାଜ୍ୟର ସ୍ୱାର୍ଥ ସୁରକ୍ଷା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନବୀନ ଦାବି କରିଛନ୍ତି। ଆଉ ଏସବୁ ଭିତରେ କୋଟିଆ ପ୍ରସଙ୍କୁ ନେଇ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ଜୋର୍ ଧରିଛି।