ଭୁବନେଶ୍ୱର : କିଛି ମଣିଷ ଚାଲିଯାଆନ୍ତି, ହେଲେ ଛାଡ଼ିଯାଆନ୍ତି ଅସୁମାରି ସ୍ମୃତି ଓ ଅସଂଖ୍ୟ ଅବଦାନ। ଯାହାଙ୍କ ହାତର ସ୍ପର୍ଶରେ ଅନେକ ମୃତ୍ୟୁମୁଖୀ ଜୀବନ ପାଇଛି ନୂଆ ଜୀବନ, ଯାହାଙ୍କ ଜ୍ଞାନ ଓ ଅଭିଜ୍ଞତା ଦେଶର ଚିକିତ୍ସା ବିଜ୍ଞାନକୁ ଦେଇଛି ନୂଆ ଦିଗ। ସେ କେବଳ ଜଣେ ଡାକ୍ତର ନଥିଲେ, ଥିଲେ ଭଗବାନଙ୍କ ଦ୍ୱିତୀୟ ଅବତାରଠୁ ବି ଅଧିକ। ଅସହାୟଙ୍କ ପାଇଁ ସେ ଥିଲେ ବିଶ୍ୱାସର ମହାଦୃମ। ଜଗା-କାଳିଆଙ୍କ ଐତିହାସିକ ଅସ୍ତ୍ରୋପଚାରଠାରୁ ଆରମ୍ଭ କରି ଏମ୍ସ ଭଳି ପ୍ରତିଷ୍ଠାନର ବିକାଶ ପର୍ଯ୍ୟନ୍ତ, ସବୁଠି ରହିଛି ତାଙ୍କରି ଯାଦୁଗରୀ ସ୍ପର୍ଶ ଓ ଅତୁଳନୀୟ ଅବଦାନ। କିନ୍ତୁ ଆଜି ସେ ନାହାନ୍ତି। ଅଫେରା ରାଇଜରେ ପ୍ରଖ୍ୟାତ ନ୍ୟୁରୋସର୍ଜନ, ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର। ତାଙ୍କ ବିୟୋଗରେ କେବଳ ଓଡ଼ିଶା ନୁହେଁ, ସାରା ଦେଶର ଚିକିତ୍ସା ଜଗତରେ ଶୋକର ଛାୟା। ସେ କେବଳ ଜଣେ ଡାକ୍ତର ନଥିଲେ। ସେ ଥିଲେ ମଣିଷ ରୂପି ଭଗବାନ୍। କେତେ ଯେ ଅସମ୍ଭକୁ ସେ ସମ୍ଭବ କରିଛନ୍ତି ତାର କଳନା ନାହିଁ। ତାଙ୍କ ମିଠା କଥା ରୋଗୀମନରେ ଭରୁ ଥିଲା ଆତ୍ମବିଶ୍ୱାସ। ରୋଗୀ ତା ରୋଗ ଭୁଲି ଯାଉଥିଲା। ତାଙ୍କ ଦେହାନ୍ତ ସମସ୍ତଙ୍କୁ ଲୁହରେ ଭିଜାଇଛି। ଶୋକାକୁଳ ବିରଗୋବିନ୍ଦପୁର ଜନ୍ମମାଟି ।

ପ୍ରଖ୍ୟାତ ଡାକ୍ତର ତଥା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର । ୭୪ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସ ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବ୍ରେନ୍ କ୍ୟାନ୍ସରରେ ପୀଡ଼ିତ ଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତ ସେପ୍ଟେମ୍ବର ୨୭ତାରିଖରୁ ସେ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଥିଲେ ଚିକିତ୍ସାଧୀନ। ବରିଷ୍ଠ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ଆଶିଷ ସୁରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା।

୧୯୫୨ ମସିହାରେ ପୁରୀ ବୀରଗୋବିନ୍ଦପୁରରେ ଡକ୍ଟର ଅଶୋକ ମହାପାତ୍ରଙ୍କ ଜନ୍ମ । ଅଶୋକ ଗ୍ରାମ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ପୁରୀ ନିକଟବର୍ତ୍ତୀ ବୀରନରସିଂହପୁର ଭାର୍ଗବୀ ହାଇସ୍କୁଲରେ ଉଚ୍ଚମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ। ପରେ ପୁରୀ ଏସସିଏସ୍ କଲେଜରୁ ଯୁକ୍ତ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୭୫ ମସିହାରେ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜରୁ ଏମବିବିଏସ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ନୂଆଦିଲ୍ଲୀ AIIMSରେ ଉଚ୍ଚଶିକ୍ଷା ଗ୍ରହଣ କରି ୧୯୭୯ରେ ଏମଏସ୍ ଏବଂ ୧୯୮୨ରେ ସ୍ନାୟୁ ଶଲ୍ୟ ଚିକିତ୍ସାରେ ଏମ.ସିଏଚ୍ ଡିଗ୍ରୀ ହାସଲ କରିଥିଲେ। ୪୦ ବର୍ଷରୁ ଅଧିକ ସମୟ ଧରି ଏମ୍ସ ନୂଆଦିଲ୍ଲୀ ସହ ଜଡ଼ିତ ରହି ସେ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ, ନ୍ୟୁରୋସାଇନ୍ସ ସେଣ୍ଟରର ମୁଖ୍ୟ ଏବଂ ଗବେଷଣା ଡିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ସଫଳତାର ସହ । ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଡାକ୍ତର ମହାପାତ୍ରଙ୍କର ରହିଥିଲା ଦେଶବ୍ୟାପୀ ସୁନାମ । ନିଜର ଦୀର୍ଘ ଅଭିଜ୍ଞତା, ଚିକିତ୍ସା ସେବା ଓ ଅବଦାନ ପାଇଁ ସେ ଚିକିତ୍ସା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେବେ ଏକାଧାରାରେ ସେ ଥିଲେ ଜଣେ ଡାକ୍ତର, ଲେଖକ, ଆଧ୍ୟାତ୍ମିକବାଦୀ, ଚିନ୍ତକ।

ଡକ୍ଟର ମହାପାତ୍ରଙ୍କ ଜୀବନର ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଗୋଟିଏ ହେଉଛି ୨୦୧୭ ମସିହାରେ ଜଗା- କାଳିଆଙ୍କ ଐତିହାସିକ ଅପରେସନ୍ । ଡାକ୍ତର ମହାପାତ୍ର ୨୦୧୭ରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଯୋଡ଼ା ମୁଣ୍ଡ ଶିଶୁ ଜଗା- କାଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲେ। ନୂଆଦିଲ୍ଲୀ AIIMSରେ କରାଯାଇଥିବା ଏହି ଜଟିଳ ପ୍ରକ୍ରିୟା ଭାରତରେ ଏହି ପ୍ରକାରର ପ୍ରଥମ ସଫଳ ଅସ୍ତ୍ରୋପଚାର ଥିଲା । ପରେ ଲିମକା ବୁକ୍ ଅଫ୍ ରେକର୍ଡସରେ ବି ହୋଇଥିଲା ସ୍ଥାନିତ । ଚିକିତ୍ସା ସେବା ସହିତ ଶିକ୍ଷା ଓ ପ୍ରତିଷ୍ଠାନ ଗଠନରେ ମଧ୍ୟ ତାଙ୍କର ଅବଦାନ ବେଶ୍ ଅତୁଳନୀୟ । ଶିଶୁ ସ୍ନାୟୁ ଶଲ୍ୟ ଚିକିତ୍ସା, ମସ୍ତିଷ୍କ ଘାତ ଏବଂ ଟ୍ୟୁମର୍ ଅପରେସନରେ ତାଙ୍କର ରହିଛି ବିଶେଷ ଦକ୍ଷତା। ତାଙ୍କର ୬୦୦ରୁ ଅଧିକ ଗବେଷଣାତ୍ମକ ପ୍ରବନ୍ଧ ଏବଂ ୧୫ରୁ ଅଧିକ ପୁସ୍ତକ ହୋଇସାରିଛି ପ୍ରକାଶିତ । ସେ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଏହାର ଭିତ୍ତିଭୂମି ମଜବୁତ କରିଥିଲେ। ଏହାଛଡ଼ା ଲକ୍ଷ୍ନୌର SGPGIMSର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି। ଏହାପରେ ସେ ଭୁବନେଶ୍ୱରର ଶିକ୍ଷା 'ଓ' ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଜ୍ଞାନର ପ୍ରମୁଖ ପରାମର୍ଶଦାତା ତଥା ପୂର୍ବତନ କୁଳପତି ଭାବେ ଛାତ୍ରଛାତ୍ରୀମାନଙ୍କର ଥିଲେ ମାର୍ଗଦର୍ଶକ। ଚିକିତ୍ସା କ୍ଷେତ୍ରରେ ତାଙ୍କର ଏହି ଅମୂଲ୍ୟ ଅବଦାନ ପାଇଁ ୨୦୨୫ ଏପ୍ରିଲରେ ତାଙ୍କୁ 'ପଦ୍ମଶ୍ରୀ' ସମ୍ମାନର ସମ୍ମାନିତ ହୋଇଥିଲେ । ଏହାବ୍ୟତୀତ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପକ୍ଷରୁ ତାଙ୍କୁ 'ସି.ଭି. ରମଣ ଆୱାର୍ଡ' ମଧ୍ୟ ପାଇଛନ୍ତି।

Also Read- ଜଗା-କାଳିଆଙ୍କ ଜୀବନ ବଦଳାଇଥିବା ମହାନ ଡାକ୍ତରଙ୍କୁ ଶେଷ ବିଦାୟ, ପଞ୍ଚଭୂତରେ ଲୀନ ହେଲେ ଅଶୋକ ମହାପାତ୍ର

ଜୀବନର ଶେଷ ଯାତ୍ରାରେ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଇଛି ବିଦାୟ । ହେଲେ ତାଙ୍କ ବିଦାୟରେ ତାଙ୍କ ଅବଦାନର ଅନ୍ତ ହୋଇନି। ଜଗା-କାଳିଆଙ୍କ ନୂଆ ଜୀବନ, ହଜାର ହଜାର ରୋଗୀଙ୍କ ମୁହଁରେ ଫେରିଥିବା ହସ ଏବଂ ଚିକିତ୍ସା ବିଜ୍ଞାନକୁ ଦେଇଥିବା ତାଙ୍କ ଅମୂଲ୍ୟ ଅବଦାନ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ। ତାଙ୍କ ଭଳି ବ୍ୟକ୍ତିତ୍ୱ ବିରଳ। ଜଣେ ଚିକିତ୍ସକ ଭାବେ ଅନେକ ଜୀବନ ବଞ୍ଚାଇଛନ୍ତି, ଜଣେ ଶିକ୍ଷାବିତ୍ ଭାବେ ଅନେକ ପିଢ଼ିଙ୍କୁ ଗଢ଼ିଥିଲେ। ତାଙ୍କ କର୍ମ ଓ କୀର୍ତ୍ତି ଆଗାମୀ ପିଢ଼ି ପାଇଁ ସବୁବେଳେ ପ୍ରେରଣା ହୋଇ ରହିବ। ସେ ନାହାନ୍ତି, ହେଲେ ତାଙ୍କ ମହତ୍ କାର୍ଯ୍ୟ ତାଙ୍କୁ ସବୁଦିନ ପାଇଁ ବଞ୍ଚାଇ ରଖିବ। ସେହି ଦେବଦୂତଙ୍କୁ ପ୍ରଣାମ ପୂର୍ବକ ବିନମ୍ର ଶ୍ରଦ୍ଧଞ୍ଜଳି।