Stock Market: ଗୁରୁବାର ସକାଳୁ ସକାଳୁ ଭାରତୀୟ ଷ୍ଟକ୍ ମାର୍କେଟରେ ଯେମିତି ସ୍ୱୟଂ ଲକ୍ଷ୍ମୀ ବିରାଜମାନ କରିଥିଲେ। କାରଣ ଷ୍ଟକ ମାର୍କେଟ ଖୋଲିବାର ମାତ୍ର କେଇ ଘଣ୍ଟା ପରେ ଗ୍ରାହକଙ୍କ ସମ୍ପତ୍ତିରେ ୮ ଲକ୍ଷ କୋଟି ଟଙ୍କାର ଲାଭ ହୋଇଥିଲା।

ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ, ବିଦେଶୀ ନିବେଶକଙ୍କ ପୁନଃ ନିବେଶ ଏବଂ ୟୁଏସ ଷ୍ଟକ ମାର୍କେଟର ଭଲ ପ୍ରଦର୍ଶନ ଭାରତୀୟ ଷ୍ଟକ୍ ମାର୍କେଟ୍କୁ ଜବରଦସ୍ତ ଲାଭ ଦେଇଛି। କାରବାର ଆରମ୍ଭରୁ ସେନସେକ୍ସ ୧୩୦୦ ପଏଣ୍ଟ ବଢ଼ି ୭୮,୬୩୦ରେ କାରବାର କରୁଥିବା ବେଳେ ନିଫ୍ଟି ୫୦ ବି ୨୪,୩୫୦ ମାର୍କ ଅତିକ୍ରମ କରିଥିଲା। ଏହି ବୃଦ୍ଧି ସହ ଲଗାତର ୬ ଦିନ ଧରି ଭାରତୀୟ ଷ୍ଟକ୍ ମାର୍କେଟରେ ହାଇ ଟ୍ରେଣ୍ଡ ଦେଖିବାକୁ ମିଳିଛି।

ଗୁରୁବାର ଦିନ ଅପରାହ୍ନ ୧.୪୫ ସୁଧା ସେନସେକ୍ସ ଆହୁରି ଭଲ ପ୍ରଦର୍ଶନ କରି ୨୦୦୦ ପଏଣ୍ଟ ବଢ଼ି ୭୯,୩୩୦ରେ ପହଞ୍ଚିଥିଲା। ସେହିପରି ନିଫ୍ଟି ୫୦ ମଧ୍ୟ ୫୮୧ ପଏଣ୍ଟ ବୃଦ୍ଧି ପାଇ ୨୪,୫୪୮.୫୫କୁ ଛୁଇଁଥିଲା। ସବୁଠାରୁ ବଡ଼ କଥା ହେଲା ୨୦୨୬ ସେପ୍ଟେମ୍ବର ୪ ତାରିଖ ପରେ ନିଫ୍ଟି ୫୦ ପ୍ରଥମ ଥର ପାଇଁ ୨୪୦୦୦ ଅତିକ୍ରମ କରିଥିଲା।

Also Read- ବଦଳିପାରେ ନିୟମ: ଫେସବୁକ, ଇନଷ୍ଟା ଓ ଏକ୍ସକୁ ମିଳୁଥିବା ଆଇନଗତ ସୁରକ୍ଷା ହଟାଇବେ ସରକାର! ପୋଷ୍ଟ ଓ କମେଣ୍ଟ ପାଇଁ ଦାୟୀ ହେବେ କମ୍ପାନୀ

ଗୁରୁବାର ସକାଳେ ମାର୍କେଟ୍ ଖୋଲିବା ପରେ ବିଏସଇ ସେନସେକ୍ସରେ ଲିଷ୍ଟେଡ ସମସ୍ତ କମ୍ପାନୀର ମାର୍କେଟ କ୍ୟାପ୍ ୪,୯୩,୪୪,୩୫୯ କୋଟିରେ ପହଞ୍ଚିଥିଲା। ଆମେରିକା ଷ୍ଟକ ମାର୍କେଟର ଭଲ କରବାରର ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ୍କୁ ପ୍ରଭାବିତ କରିଥିଲା। ଗତକାଲି ଆମେରିକା କଂଗ୍ରେସର ଉଭୟ ସଦନରେ ଡେମୋକ୍ରାଟ୍ ଦଳର ବ୍ୟାପକ ବିଜୟ ପରେ, ଆମେରିକୀୟ ବଜାରରେ ଦେଖାଦେଇଥିବା ଜୋରଦାର ଉତ୍ଥାନ ଫଳରେ S&P 500 ସୂଚକାଙ୍କ ଗତ ତିନି ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ଗୁରୁବାର କାହିଁକି ବଢ଼ିଲା ଷ୍ଟକ୍ ମାର୍କେଟ୍ ?

୧. ଅଶୋଧିତ ତୈଳ ଦର ୮% ହ୍ରାସ

ଗତକାଲି ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଟ୍ରମ୍ପଙ୍କର ରିପବ୍ଲିକାନ ପାର୍ଟି ଦୁର୍ବଳ ପ୍ରଦର୍ଶନ କରିଥିଲା। ବିରୋଧୀ ଦଳ ଡେମୋକ୍ରାଟ୍ସ ଉଭୟ ସଦନ -ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ ଓ ସିନେଟରେ ବହୁତମ ହାସଲ କରିଥିଲା। ଏହି ନିର୍ବାଚନ ଫଳାଫଳର ତୁରନ୍ତ ପ୍ରଭାବ ପଡ଼ିଥିଲା ଅନ୍ତର୍ଜାତୀୟ ବଜାର ଉପରେ। ଫଳରେ ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା।

ବ୍ରେଣ୍ଟ କ୍ରୁଡ ତୈଳ ୮.୭ ପ୍ରତିଶତ ହ୍ରାସ ପାଇ ପ୍ରତି ବ୍ୟାରେଲ ୯୪ ଡଲାର ହୋଇଥିଲା। ସେହିପରି ୟୁଏସ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ କ୍ରୁଡ ୮୮ ଡଲାରକୁ ଖସି ଆସିଥିଲା।ଯେହେତୁ ଭାରତ ବିପୁଳ ପରିମାଣରେ ଅଶୌଧିତ ତୈଳ ଆମଦାନୀ କରିଥାଏ, ତେଣୁ ତୈଳ ଦର କମିବା ଭାରତର ଆମଦାନୀ ଖର୍ଚ୍ଚ କମାଇବ, ଟଙ୍କା ମୂଲ୍ୟ ମଜଭୁତ କରିବା ସହ ଅର୍ଥନୀତିକୁ ବଳ ଦେବ।

୨. ଭାରତୀୟ ଷ୍ଟକ୍ ମାର୍କେଟ୍‌ରେ ବିଦେଶୀ ନିବେଶକଙ୍କ ପ୍ରତ୍ୟାବର୍ତ୍ତନ

ବୁଧବାର ବିଦେଶି ନିବେଶକମାନେ ୭,୨୮୪ କୋଟି ଟଙ୍କାର ଭାରତୀୟ ଇକ୍ୟୁଟି କିଣିଥିଲେ। ଯାହା ୨୮ ଅକ୍ଟୋବର ୨୦୨୫ ପର ଠାରୁ ଗୋଟିଏ ଦିନରେ ସର୍ବୋଚ୍ଚ ଦିନିକଆ ନିବେଶ ଥିଲା। ତେଣୁ ଏହା ଶେୟାର ମାର୍କେଟକୁ ବଳ ଦେଇଥିଲେ।

ସେହିପରି ସଂସ୍ଥାଗତ ନିବେଶକଙ୍କ କଥା ଯଦି ଦେଖିବା ନଭେମ୍ବର ମାସରେ ଏମାନଙ୍କର ନିବେଶ ଭଲ ରହିଛି। ସଂସ୍ଥାଗତ ନିବେଶକମାନେ ନଭେମ୍ବରରେ ୧୭ ହଜାର କୋଟି ଟଙ୍କାର ଭାରତୀୟ ଇକ୍ୱିଟି କିଣିଛନ୍ତି। ତେବେ ସେପ୍ଟେମ୍ବର ଓ ଅକ୍ଟୋବରରେ ଏମାନେ ୯୦ ହଜାର କୋଟି ଟଙ୍କାର ସେଲିଂ କରିଥିଲେ।

ହେଲେ ଏବେ ବିଦେଶୀ ନିବେଶକଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଷ୍ଟକ ମାର୍କେଟ ପାଇଁ ଶୁଭ ସଂକେତ। ବିଦେଶୀ ନିବେଶକଙ୍କ କ୍ରମାଗତ କ୍ରୟ 'ଲାର୍ଜ-କ୍ୟାପ୍' ଶେୟାରଗୁଡ଼ିକୁ ସହାୟତା ଯୋଗାଇପାରେ ଏବଂ ବଜାରର ସାମଗ୍ରିକ ମନୋଭାବରେ ଉନ୍ନତି ଆଣିପାରେ।

୩. ଆମେରିକା ଶୋୟାର ମାର୍କେଟର ଉତ୍ଥାନର ପ୍ରଭାବ

ଆମେରିକା ଷ୍ଟକ ମାର୍କେଟ୍ S&P 500 ବୁଧବାର ୧.୬ ପ୍ରତିଶତ ବଢ଼ିଥିଲା। ସେହିପରି ଡାଓ ଜୋନ୍ସ ଇଣ୍ଡଷ୍ଟ୍ରିଆଲ୍ ଆଭରେଜ୍ ପ୍ରାୟ ୩ ପ୍ରତିଶତ ବୃଦ୍ଧି ପାଇଲା। ନାସଡାକ୍ କମ୍ପୋଜିଟ୍ ମଧ୍ୟ ୧.୪ ପ୍ରତିଶତ ବଢ଼ିଥିଲା। ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଡେମେକ୍ରାଟ୍ସ ଦଳର ବିଜୟ ପରେ ଭୂରାଜନୈତିକ ଚାପ କମିବ। ମୁଦ୍ରାସ୍ଫୀତି ମଧ୍ୟ ହ୍ରାସ ପାଇବା ଆସାରେ ଶେୟାର ମାର୍କେଟ୍ ଉଛୁଳିଥିଲା।