ନୂଆଦିଲ୍ଲୀ : ବାପା ପୁକୁଡ଼ି ଓ ନମକିନ୍ ବିକନ୍ତି। ଯାହା ରୋଜଗାର ହୁଏ, ସେହି ଟଙ୍କାରେ 7 ପ୍ରାଣୀ ଚଳିବା ତ ମୁସ୍କିଲ୍। ସେଥିରେ ପିଲାଙ୍କୁ ପାଠ ପଢ଼ାଇବା କଣ ସମ୍ଭବ... ଅସମ୍ଭବ ଲାଗୁଥିବ। କିନ୍ତୁ ଜଣା ବାପା ଚାହିଁଲେ ସବୁ ସମ୍ଭବ। ପକୁଡ଼ି ଓ ନମକିନ ବିକି ପିଲାଙ୍କୁ ବଡ଼ ମଣିଷ କରିବାର ସ୍ୱପ୍ନ ଦେଖିଥିଲେ ସେ । ଦୀର୍ଘ ୨୫ ବର୍ଷ ଧରି ଠେଲାରେ ପକୁଡ଼ି ବିକି ପରିବାର ଚଳାଇଥିଲେ । କିନ୍ତୁ ଏତେ ଅଭାବ ଓ ଅସୁବିଧା ଭିତରେ ବି ଝିଅର ପାଠପଢ଼ାରେ କେବେ ଅବହେଳା କରିନଥିଲେ। ବାପାଙ୍କ ସେହି ଝାଳବୁହା ପରିଶ୍ରମ ଓ ଝିଅର ଅଦମ୍ୟ ଇଚ୍ଛାଶକ୍ତି ଆଜି ଲେଖିଛି ସଫଳତାର ଏକ ନୂଆ ଇତିହାସ। ପକୁଡ଼ି ବିକାଳିଙ୍କ ଝିଅ ହୋଇଛନ୍ତି IAS ଅଧିକାରୀ। ରାଜସ୍ଥାନର ଭରତପୁରର ଦୀପେଶ କୁମାରୀଙ୍କ ସଫଳତା କାହାଣୀ କେବଳ ସଆଇଏଏସ୍ ହେବା ଭିତରେ ସୀମିତ ନାହିଁ, ବରଂ ଏହି କାହାଣୀ ଜଣେ ବାପାର ସଂଘର୍ଷ , ତ୍ୟାଗ ଓ ବିଶ୍ୱାସର କାହାଣୀ।

ରାଜସ୍ଥାନ ଭରତପୁରର ଗୋବିନ୍ଦ କୁମାର। ତାଙ୍କ ଜୀବନ ଏତେ ସହଜ ନଥିଲା। ସାତ ଜଣିଆ ପରିବାରର ଦାୟିତ୍ୱ ତାଙ୍କ କାନ୍ଧରେ । ପରିବାର ପ୍ରତିପୋଷଣ ପାଇଁ ସେ ପ୍ରତିଦିନ ସକାଳୁ ପକୁଡ଼ି ଓ ନମକିନ ର ଠେଲା ଧରି ବାହାରି ପଡ଼ୁଥିଲେ। କି ଖରା କି ବର୍ଷା କିମ୍ବା ପର୍ବପର୍ବାଣୀ କେବେ ବି ବ୍ୟବସାୟ ବନ୍ଦ କରୁନଥିଲେ ଗୋବିନ୍ଦ। କାରଣ ଘରର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ। ରୋଜଗାର ନହେଲେ ପରିବାର ଉପାସ। ସ୍ଥିତି ଏମିତି ଯେ, ଗୋଟିଏ ଛୋଟ କୋଠରିରେ ପୂରା ପରିବାର ରହୁଥିଲେ। ପିଲାଙ୍କ ପାଠପଢ଼ା ପାଇଁ ଅଲଗା ଘର କିମ୍ବା ଆବଶ୍ୟକ ସୁବିଧା ମଧ୍ୟ ନଥିଲା। ଏମିତି ପରିସ୍ଥିତିରେ ବି ଗୋବିନ୍ଦଙ୍କ ମନରେ ଗୋଟିଏ କଥା ଥିଲା, ନିଜ ପିଲାମାନେ ଯେମିତି ଭଲ ପାଠ ପଢ଼ି ବଡ଼ ମଣିଷ ହୁଅନ୍ତୁ। ତେଣୁ ସବୁ କଷ୍ଟ ଓ ଅଭାବକୁ ଭୁଲି ପିଲାଙ୍କ ପାଠପଢ଼ାକୁ ସବୁବେଳେ ଦେଉଥିଲେ ଗୁରୁତ୍ୱ।

ଦୀପେଶ କୁମାରୀ ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼। ତେଣୁ ଛୋଟ ବୟସରୁ ହିଁ ସେ ପରିବାରର ଆର୍ଥିକ ସ୍ଥିତି ଓ ବାପାଙ୍କ ସଂଘର୍ଷକୁ ଅତି ନିକଟରୁ ଦେଖିଥିଲେ। ତେଣୁ କିଛି କରିବାର ଜିତ୍ ସବୁବେଳେ ତାଙ୍କ ମନରେ ଥିଲା। ସେ ଭରତପୁରର ଶିଶୁ ଆଦର୍ଶ ବିଦ୍ୟା ମନ୍ଦିରରେ ପାଠପଢ଼ା ଆରମ୍ଭ କରିଥିଲେ। ପିଲାଦିନରୁ ପଢ଼ାରେ ଭଲ ଥିବା ଦୀପେଶ ଦଶମ ଶ୍ରେଣୀ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ରଖିଥିଲେ। ସେହିପରି ଦ୍ୱାଦଶ ଶ୍ରେଣୀରେ ମଧ୍ୟ ୮୯ ପ୍ରତିଶତ ନମ୍ବର ହାସଲ କରିଥିଲେ। ଝିଅର ଏହି ସଫଳତା ବାପାଙ୍କ ପରିଶ୍ରମକୁ ସାର୍ଥକ କରିବା ଆରମ୍ଭ କରିଥିଲା। ଅଭାବ ଯେ କେବେ ପ୍ରତିଭାର ବାଟ ଓଗାଳି ପାରିବ ନାହିଁ, ତାହା ଦୀପେଶ ପ୍ରମାଣ କରିଥିଲେ। ସ୍କୁଲ ପାଠପଢ଼ା ପରେ ଦୀପେଶ ଯୋଧପୁରର MBM ଇଞ୍ଜିନିୟରିଂ କଲେଜରେ ସିଭିଲ୍ ଇଞ୍ଜିନିୟରିଂରେ ବି.ଟେକ୍ କରିଥିଲେ। ଏହାପରେ IIT ବମ୍ବେରୁ ଏମ୍.ଟେକ୍ ଡିଗ୍ରୀ ହାସଲ କରିଥିଲେ। ଗୋଟିଏ ପଟେ ପକୁଡ଼ି ବିକି ପରିବାର ଚଳାଉଥିଲେ ବାପା, ଅନ୍ୟପଟେ ଦେଶର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ଝିଅ। ଗୋବିନ୍ଦ କୁମାରଙ୍କ ପାଇଁ ଏହା ନିଶ୍ଚିତ ଭାବେ ଗର୍ବର ମୁହୂର୍ତ୍ତ ଥିଲା। ଏମ୍.ଟେକ୍ ପରେ ଦୀପେଶ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ପରିବାରରେ ପ୍ରଥମ ଥର ପାଇଁ ଜଣେ ଭଲ ଚାକିରି ପାଇଥିବାରୁ ଆର୍ଥିକ ସ୍ଥିତିରେ ମଧ୍ୟ କିଛିଟା ସୁଧାର ଆସିଥିଲା। କିନ୍ତୁ ଦୀପେଶଙ୍କ ସ୍ୱପ୍ନ କେବଳ ଏକ ଭଲ ଚାକିରିରେ ସୀମିତ ନଥିଲା। ସେ ଦେଶର ପ୍ରଶାସନିକ ସେବାରେ ଯୋଗଦେଇ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଲେ। ଏହି ନିଷ୍ପତ୍ତି ତାଙ୍କ ପାଇଁ ଆଦୌ ସହଜ ନଥିଲା। ଭଲ ଚାକିରି ଛାଡ଼ି ପରୀକ୍ଷା ପାଇଁ ପ୍ରସ୍ତୁତି କରିବା, ପରିବାର ଉପରେ ଆର୍ଥିକ ବୋଝ ପକାଇବା ଭଳି ଚିନ୍ତା ତାଙ୍କୁ ଘାରିଥିଲା। କିନ୍ତୁ ଝିଅର ସ୍ୱପ୍ନକୁ ବୁଝିଥିଲେ ବାପା ଗୋବିନ୍ଦ। ସେ ଝିଅକୁ ଅଟକାଇ ନଥିଲେ। ବରଂ ନିଜ ସ୍ୱପ୍ନ ପୂରଣ କରିବାକୁ ଉତ୍ସାହିତ କରିଥିଲେ।

Also Read- ସିକ୍ରେଟ ବେସ୍‌ରେ ମିଷ୍ଟେରିୟସ ଏୟାରକ୍ରାଫ୍ଟ, କ’ଣ ସତରେ ଆସନ୍ତି ଏଲିଅନ? AREA-51ର ଭୟଙ୍କର ସତ…

୨୦୨୦ରେ ଦୀପେଶ ପ୍ରଥମ ଥର ପାଇଁ UPSC ପରୀକ୍ଷା ଦେଇଥିଲେ। ହେଲେ ପ୍ରଥମ ପ୍ରୟାସରେ ତାଙ୍କୁ ସଫଳତା ମିଳିନଥିଲା। କିନ୍ତୁ ଦୀପେଶ ଏଥିରେ ନିରାଶ ନ ହୋଇ ପ୍ରଥମ ପ୍ରୟାସର ଭୁଲ୍କୁ ସୁଧାରିଥିଲେ। ଚାକିରି ସମୟରେ ସଞ୍ଚୟ କରିଥିବା ଟଙ୍କାରେ ଦିଲ୍ଲୀରେ ରହି ପାଠପଢ଼ା ଜାରି ରଖିଥିଲେ। ପରିବାରର ସମର୍ଥନ ଓ ନିଜର ଦୃଢ଼ ମନୋବଳ ତାଙ୍କୁ ଆଗକୁ ବଢ଼ିବାର ଶକ୍ତି ଦେଇଥିଲା। ଶେଷରେ ୨୦୨୧ରେ ଦ୍ୱିତୀୟ ପ୍ରୟାସରେ ସେ UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ହାସଲ କରିଥିଲେ। ସାରା ଦେଶରେ ୯୩ତମ ରାଙ୍କ୍ ହାସଲ କରି IAS ହେବାର ସ୍ୱପ୍ନକୁ ସାକାର କରିଥିଲେ। ଏହାସହ EWS ବର୍ଗରେ ସେ ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ। ଏହା କେବଳ ଦୀପେଶଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ବାପା ଗୋବିନ୍ଦ କୁମାରଙ୍କ ୨୫ ବର୍ଷର ସଂଘର୍ଷର ମଧ୍ୟ ବିଜୟ। ପ୍ରକୃତରେ, ସଫଳତା ପାଇଁ ବଡ଼ ଘର, ଅଧିକ ଟଙ୍କା କିମ୍ବା ଦାମୀ ସୁବିଧା ନୁହେଁ। ଆବଶ୍ୟକ ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ପରିବାରର ବିଶ୍ୱାସ। ଦୀପେଶ କୁମାରୀ ଓ ତାଙ୍କ ବାପାଙ୍କ କାହାଣୀ ଏହାର ଏକ ଜ୍ୱଳନ୍ତ ଉଦାହରଣ।