ନୂଆଦିଲ୍ଲୀ: ବିଶ୍ୱରେ ଟେକ୍ନୋଲୋଜି କମ୍ପାନୀଗୁଡ଼ିକରେ ଛଟେଇ ଧାରା ଜାରି ରହିଥିବାବେଳେ ଏବେ ଏହାର ପ୍ରଭାବ ପଡ଼ିଛି ଅଷ୍ଟ୍ରେଲିଆର ପ୍ରସିଦ୍ଧ ଡିଜାଇନ୍ ପ୍ଲାଟଫର୍ମ କାନଭା ଉପରେ। କମ୍ପାନୀ , ସାରା ବିଶ୍ୱରେ କାମ କରୁଥିବା ୨୨ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। ଏହାଦ୍ୱାରା ପ୍ରାୟ ୧,୨୭୧ ଜଣ କର୍ମଚାରୀ ପ୍ରଭାବିତ ହେବେ।

କାନଭାର ସହ-ପ୍ରତିଷ୍ଠାତା ତଥା ସିଇଓ ମେଲାନି ପର୍କିନ୍ସ ଏକ ଇଣ୍ଟରନାଲ ମେମୋ ଜରିଆରେ ଏହି ଛଟେଇ ସମ୍ପର୍କରେ କର୍ମଚାରୀଙ୍କୁ ଜଣାଇଥିବା ବେଳେ । କମ୍ପାନୀର ୧୩ ବର୍ଷର ଇତିହାସରେ ଏହାକୁ ସବୁଠାରୁ କଷ୍ଟକର ମୁହୂର୍ତ୍ତ ବୋଲି ସେ ବର୍ଣ୍ଣନା କରିଛନ୍ତି। ସୂଚନା ଅନୁସାରେ, କାନଭାରେ ବର୍ତ୍ତମାନ ୩୭ଟି ଦେଶରେ ୫,୭୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଏଥିରେ ଭାରତର କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ତେବେ କେଉଁ ବିଭାଗ କିମ୍ବା କେଉଁ ଦେଶରେ ସର୍ବାଧିକ ଛଟେଇ ହେବ, ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଅନ୍ୟପଟେ କମ୍ପାନୀ ଛଟେଇ ନିଷ୍ପତ୍ତି ନେଇଥିଲେ ମଧ୍ୟ ପ୍ରଭାବିତ କର୍ମଚାରୀଙ୍କୁ ସହାୟତା କରିବା ପାଇଁ କାନଭା ଏକ ବିସ୍ତୃତ କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିଛି। ଏଥିରେ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ନୂଆ ଚାକିରି ଖୋଜିବା ଓ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବା ପର୍ଯ୍ୟନ୍ତ ସୁବିଧା ରହିଛି, ଯଥା -;

୧. ଅତିକମ୍ରେ ୬ ମାସର ଦରମା: ଛଟେଇର ଶିକାର ହେଉଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ଅତିକମ୍ରେ ୬ ମାସର ଦରମା ମିଳିବ। ଏଥିରେ ସମ୍ପୃକ୍ତ ଦେଶର ଆଇନ ଅନୁଯାୟୀ ମିଳିବାକୁ ଥିବା ଆର୍ଥିକ ପ୍ରାପ୍ୟ ମଧ୍ୟ ଅନ୍ତର୍ଭୁକ୍ତ ରହିବ।

୨. ମ୍ୟାକ୍ବୁକ୍ ନିଜ ପାଖରେ ରଖିପାରିବେ: କମ୍ପାନୀ ପକ୍ଷରୁ ଦିଆଯାଇଥିବା ମ୍ୟାକ୍ବୁକ୍କୁ କର୍ମଚାରୀମାନେ ନିଜ ପାଖରେ ରଖିପାରିବେ। ଚାକିରି ଛାଡ଼ିବା ପରେ ନୂଆ କାମ ଖୋଜିବା ସମୟରେ ଲାପଟପ୍ର ଅଭାବ ଯେପରି ନ ହୁଏ, ସେଥିପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

୩. ଏକ ବର୍ଷର ଲିଙ୍କ୍ଡଇନ୍ ପ୍ରିମିୟମ୍: କର୍ମଚାରୀଙ୍କୁ ୧୨ ମାସ ପର୍ଯ୍ୟନ୍ତ ମାଗଣା ଲିଙ୍କ୍ଡଇନ୍ ପ୍ରିମିୟମ୍ ସବ୍ସ୍କ୍ରିପସନ୍ ମିଳିବ। ଏହାଦ୍ୱାରା ସେମାନେ ନୂଆ ଚାକିରିର ସୁଯୋଗ ଖୋଜିବା ସହ ବିଭିନ୍ନ ପେସାଦାରଙ୍କ ସହ ସମ୍ପର୍କ ସ୍ଥାପନ କରିପାରିବେ।

୪. କ୍ୟାରିୟର କାଉନ୍ସେଲିଂ: ପ୍ରଭାବିତ କର୍ମଚାରୀଙ୍କୁ ବ୍ୟକ୍ତିଗତ କ୍ୟାରିୟର ପରାମର୍ଶ, ଇଣ୍ଟରଭ୍ୟୁ ପ୍ରସ୍ତୁତି ଓ ରେଜ୍ୟୁମ୍ ପ୍ରସ୍ତୁତ କରିବାରେ ସହାୟତା ଦିଆଯିବ। କାନଭାର ଟ୍ୟାଲେଣ୍ଟ ଆକ୍ୟୁଜିସନ୍ ଟିମ୍ ମଧ୍ୟ ଏଥିରେ ସହଯୋଗ କରିବ।

୫. ୧୨ ମାସର ସ୍ୱାସ୍ଥ୍ୟ ସୁବିଧା: ଯେଉଁ ଦେଶରେ କାନଭା ପକ୍ଷରୁ ସ୍ୱାସ୍ଥ୍ୟ ବୀମା କିମ୍ବା ଚିକିତ୍ସା ସୁବିଧା ଦିଆଯାଉଛି, ସେଠାରେ ପ୍ରଭାବିତ କର୍ମଚାରୀଙ୍କୁ ଆଉ ୧୨ ମାସ ପର୍ଯ୍ୟନ୍ତ ଏହି ସୁବିଧା ଜାରି ରହିବ।

୬. ପରିବାରକୁ ମଧ୍ୟ ସହାୟତା: କାନଭା କେୟାର୍ ନାମକ କର୍ମଚାରୀ ସହାୟତା କାର୍ଯ୍ୟକ୍ରମ ଅଧୀନରେ କର୍ମଚାରୀ ଓ ସେମାନଙ୍କ ପରିବାରକୁ ୧୨ ମାସ ପର୍ଯ୍ୟନ୍ତ ସହାୟତା ମିଳିବ।ଖାଲି ସେତିକି ନୁହେଁ ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଯେଉଁମାନେ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ମଧ୍ୟ କାନଭା ଆର୍ଥିକ ସହାୟତାର ବ୍ୟବସ୍ଥା କରିଛି। କମ୍ପାନୀର 'କାନଭା କଲେକ୍ଟିଭ୍ ଫଣ୍ଡ୍' ଅଧୀନରେ ଯୋଗ୍ୟ କର୍ମଚାରୀମାନେ ନିଜସ୍ୱ ବ୍ୟବସାୟ କିମ୍ବା ସ୍ଥାନୀୟ ସମୁଦାୟ ପାଇଁ କୌଣସି ପ୍ରକଳ୍ପ ଆରମ୍ଭ କରିବାକୁ ୧୦,୦୦୦ ଡଲାର ପର୍ଯ୍ୟନ୍ତ ଅନୁଦାନ ପାଇଁ ଆବେଦନ କରିପାରିବେ। ଏହି ଅନୁଦାନ ବଦଳରେ କମ୍ପାନୀ ସମ୍ପୃକ୍ତ ବ୍ୟବସାୟରେ କୌଣସି ମାଲିକାନା କିମ୍ବା ଅଂଶଧନ ଦାବି କରିବ ନାହିଁ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧୪ ରଖାଯାଇଛି।

ଏହା ସହିତ ଛଟେଇ ହୋଇଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ ଏକ ଅନଲାଇନ୍ ଆଲୁମ୍ନି ଟ୍ୟାଲେଣ୍ଟ ଡାଇରେକ୍ଟୋରୀ ମଧ୍ୟ ପ୍ରସ୍ତୁତ କରିବ। ଏଥିରେ ସାମିଲ ହେବାକୁ ଇଚ୍ଛୁକ କର୍ମଚାରୀଙ୍କ ବିବରଣୀ ନିବେଶକ, ବ୍ୟବସାୟିକ ସହଯୋଗୀ ଓ ଶିଳ୍ପ ଜଗତର ବିଭିନ୍ନ ନେଟ୍ୱର୍କ ସହ ସେୟାର କରାଯିବ, ଯାହାଦ୍ୱାରା ସେମାନଙ୍କୁ ନୂଆ ଚାକିରି ଖୋଜିବାରେ ସହାୟତା ମିଳିପାରିବ। କର୍ମଚାରୀମାନେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ସ୍ଲାକ୍ ଓ ଜିମେଲ୍ ବ୍ୟବହାର କରିପାରିବେ। ଏହି ସମୟ ମଧ୍ୟରେ ସେମାନେ ନିଜ ସହକର୍ମୀଙ୍କୁ ଛଟେଇ ସମ୍ପର୍କରେ ଜଣାଇବା ଓ ବିଦାୟ ନେବାର ବ୍ୟବସ୍ଥା କରିପାରିବେ।

କାହିଁକି ୧,୨୭୧ କର୍ମଚାରୀଙ୍କୁ ଛଟେଇ କରୁଛି କାନଭା?

କାନଭାର ଏହି ନିଷ୍ପତ୍ତି ପଛରେ ରହିଛି କମ୍ପାନୀର ମନ୍ଥର ହେଉଥିବା ଅଭିବୃଦ୍ଧି ଓ ବ୍ୟବସାୟିକ ପୁନର୍ଗଠନର ଆବଶ୍ୟକତା। ପ୍ରାୟ ଏକ ଦଶନ୍ଧି ଧରି ଦ୍ରୁତ ଅଭିବୃଦ୍ଧି ହାସଲ କରିବା ପରେ ପ୍ରଥମ ଥର ପାଇଁ କମ୍ପାନୀର ବୃଦ୍ଧି ହାର ଧିମା ହୋଇଛି। ଏହାର ସମାଧାନ ପାଇଁ ଛୋଟ ଛୋଟ ପରିବର୍ତ୍ତନ ଯଥେଷ୍ଟ ହେବ ନାହିଁ ବୋଲି କମ୍ପାନୀ ଅନୁଭବ କରିଛି।

ଏହି ପୁନର୍ଗଠନ ଅଧୀନରେ କମ୍ପାନୀ ନିଜର ପ୍ରଡକ୍ଟ, ଗ୍ରୋଥ୍ ଓ ପ୍ଲାଟଫର୍ମ ଟିମ୍ଗୁଡ଼ିକୁ ଏକାଠି କରି ଗୋଟିଏ ପ୍ରଡକ୍ଟ ଅର୍ଗାନାଇଜେସନ୍ ଗଠନ କରିବ। ଏହାଦ୍ୱାରା ପରିଚାଳନା ସ୍ତର କମାଇବା ସହ ସମାନ କାମ କରୁଥିବା ବିଭିନ୍ନ ଟିମ୍ର ଦାୟିତ୍ୱକୁ ଏକତ୍ର କରାଯିବ। ଛୋଟ ଛୋଟ ଟିମ୍କୁ ଅଧିକ ଦାୟିତ୍ୱ ଓ ନିଷ୍ପତ୍ତି ନେବାର ସ୍ୱାଧୀନତା ଦେବା କମ୍ପାନୀର ଲକ୍ଷ୍ୟ। ଏହା ସହିତ ସିଡ୍ନୀକୁ କାନଭାର ଅଧିକାଂଶ ପ୍ରଡକ୍ଟ ଟିମ୍ର ମୁଖ୍ୟ କେନ୍ଦ୍ର କରାଯିବ। କେତେକ କର୍ମଚାରୀଙ୍କୁ ସିଡ୍ନୀକୁ ସ୍ଥାନାନ୍ତର ହେବାକୁ କୁହାଯାଇପାରେ। ଅନ୍ୟପକ୍ଷରେ, ଅନେକଙ୍କ କାର୍ଯ୍ୟଭୂମିକାରେ ମଧ୍ୟ ପରିବର୍ତ୍ତନ ହୋଇପାରେ।

also read- ଡେମୋକ୍ରାଟଙ୍କ ବିଜୟ ପରେ ଏଲନ୍ ମସ୍କଙ୍କୁ ବଡ଼ ଝଟକା, ଗୋଟିଏ ଦିନରେ ଟେସ୍‌ଲା ଓ ସ୍ପେସ୍‌ଏକ୍ସର ୧୩୦ ବିଲିୟନ୍ ଡଲାର କ୍ଷତି

ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ଟେକ୍ନୋଲୋଜି ଡିଜାଇନ୍ ଶିଳ୍ପରେ ବଡ଼ ପରିବର୍ତ୍ତନ ଆଣୁଛି। ଏଆଇ ସହାୟତାରେ ଏବେ ଅଳ୍ପ ସମୟ ମଧ୍ୟରେ ଚିତ୍ର, ପ୍ରେଜେଣ୍ଟେସନ୍ ଓ ବିଭିନ୍ନ ଭିଜୁଆଲ୍ କଣ୍ଟେଣ୍ଟ ପ୍ରସ୍ତୁତ କରିବା ସମ୍ଭବ ହୋଇପାରୁଛି। ଏହା ଯୋଗୁଁ ପାରମ୍ପରିକ ଡିଜାଇନ୍ ପ୍ଲାଟଫର୍ମଗୁଡ଼ିକ ପାଇଁ ନୂଆ ପ୍ରତିଯୋଗିତା ସୃଷ୍ଟି ହୋଇଛି।


କାନଭା ମଧ୍ୟ ନିଜ ପ୍ଲାଟଫର୍ମରେ ଏଆଇ ଫିଚର୍ଗୁଡ଼ିକର ବିକାଶ ପାଇଁ ବିପୁଳ ନିବେଶ କରୁଛି। ଏହା ସହିତ କମ୍ପାନୀର ମୂଲ୍ୟାୟନକୁ ନେଇ ମଧ୍ୟ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀର ପ୍ରମୁଖ ଭେଞ୍ଚର୍ କ୍ୟାପିଟାଲ୍ ନିବେଶକ ବ୍ଲାକ୍ବର୍ଡ ଅଗଷ୍ଟ ୨୦୨୬ରେ କାନଭାର ମୂଲ୍ୟାୟନକୁ ୧୭ ପ୍ରତିଶତ ହ୍ରାସ କରି ୩୪.୯ ବିଲିୟନ୍ ଡଲାର ଆକଳନ କରିଥିବା କୁହାଯାଇଛି।

ସାମଗ୍ରିକ ଭାବେ କାନଭାର ଏହି ଛଟେଇ କେବଳ କର୍ମଚାରୀ ସଂଖ୍ୟା ହ୍ରାସ ନୁହେଁ, ବରଂ ଏଆଇ ଯୁଗରେ ନିଜର ବ୍ୟବସାୟିକ ରଣନୀତି ବଦଳାଇବାର ଏକ ବଡ଼ ପଦକ୍ଷେପ। ଧିମା ଅଭିବୃଦ୍ଧି, ବଢ଼ୁଥିବା ପ୍ରତିଯୋଗିତା ଓ ନୂଆ ଏଆଇ ଟେକ୍ନୋଲୋଜି ମଧ୍ୟରେ କମ୍ପାନୀ ନିଜକୁ କିପରି ପୁନର୍ଗଠିତ କରୁଛି, ତାହା ଆଗାମୀ ଦିନରେ ଏହାର ବ୍ୟବସାୟିକ ଭବିଷ୍ୟତ ନିର୍ଦ୍ଧାରଣ କରିବ।