ନୂଆଦିଲ୍ଲୀ: ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଏକ୍ସ ଭଳି ସୋସିଆଲ୍ ମିଡିଆକୁ ଦିଆଯାଉଥିବା ଆଇନଗତ ସୁରକ୍ଷା ହଟାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଫଳରେ ସୋସିଆଲ୍ ମିଡିଆ ଏବେ କମେଣ୍ଟ ଓ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ରହିବେ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଆଇଟି ମନ୍ତ୍ରଣାଳୟ ଏବେ ସୋସିଆଲ୍ ମିଡିଆ ନିୟମରେ ପରିବର୍ତ୍ତନ କରିବା ପାଇଁ ଆଲୋଚନା କରୁଛି। ଏହା ଅନୁସାରେ ୟୁଜରଙ୍କ ଭିଡିଓ, ପୋଷ୍ଟ ଓ କମେଣ୍ଟ ପାଇଁ ପ୍ଲାଟଫର୍ମଗୁଡ଼ିକୁ ଦାୟୀ କରାଯିବ ଓ ସେହି ଅନୁସାରେ କାର୍ଯ୍ୟାନୁ୍ଷ୍ଠାନ ନିଆଯିବ।

ଏବେ ଆଇଟି ଆକ୍ଟର ଧାରା ୭୯ ଅନୁସାରେ ଏହି କମ୍ପାନୀଗୁଡ଼ିକୁ ‘ସେଫ୍ ହାର୍ବର’ର ସୁରକ୍ଷା ମିଳୁଛି। ଏଥିପାଇଁ ୟୁଜରଙ୍କର ପୋଷ୍ଟ ଓ କମେଣ୍ଟ ପାଇଁ କମ୍ପାନୀଗୁଡ଼ିକୁ ସିଧାସଳକ ଦାୟୀ କରାଯାଉ ନାହିଁ। ହେଲେ ସରକାର ଏହି ସୁରକ୍ଷାକବଚକୁ ଏବେ ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକ ଠାରୁ ହଟାଇ କେବଳ ଇଣ୍ଟରନେଟ, ଟେଲିକମ ଓ ମ୍ୟାସେଜିଂ ପ୍ଲାଟଫର୍ମ ପର୍ଯ୍ୟନ୍ତ ସୀମିତ କରିବାକୁ ଚାହୁଁଛନ୍ତି।

ଆଇନଗତ ସୁରକ୍ଷା ପାଇଁ ଜମିଛି ମେଟା ଓ ଗୁଗଲର କାରବାର

ପୂର୍ବରୁ ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ଆଇନଗତ ସୁରକ୍ଷା ପାଇଁ ଭାରତରେ ମେଟା ଓ ଗୁଗଲ ଭଳି କମ୍ପାନୀଗୁଡ଼ିକର କାରବାର ବେଶ ଭଲ ହୋଇଛି। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଏହି କମ୍ପାନୀଗୁଡ଼ିକ ୟୁଜର ଜେନେରେଟେଡ୍ କଣ୍ଟେଣ୍ଟ ଉପରେ ବଡ଼ କାରବାର ଛିଡ଼ା କରିଛନ୍ତି। ବର୍ତ୍ତମାନ କମ୍ପାନୀଗୁଡ଼ିକ ପ୍ରେତ୍ୟେକ ପୋଷ୍ଟ, ଭିଡିଓ ଓ କମେଣ୍ଟ ପାଇଁ ଆଇନଗତ ଉତ୍ତରଦାୟିତ୍ୱ ଉଠାଇବାକୁ ପଡ଼ୁ ନାହିଁ।

Also Read- ବାହନ ବୀମା କରାଇବା ବେଳେ ନିଜ ପସନ୍ଦର ସୁରକ୍ଷା କଭର ବାଛିପାରିବେ ଗ୍ରାହକ, ଡିସେମ୍ବରରୁ ହେବ ଲାଗୁ

ତେବେ ସରକାରଙ୍କ କହିବା କଥା ହେଲା ସୋସିଆଲ୍ ମିଡିଆ ଏବେ କେବଳ ସୂଚନା ପହଞ୍ଚାଇବାର ମାଧ୍ୟମ ହୋଇ ରହି ନାହିଁ। ଏମାନେ ଏଲଗୋରିଦମରେ କଣ୍ଟେଣ୍ଟର ରାଙ୍କିଙ୍ଗ, ସଜେଷ୍ଟ ଓ ପହଞ୍ଚାଇବା ଆଦି ନିର୍ଦ୍ଧାରଣ କରୁଛନ୍ତି। ଏହି ପ୍ଲାଟଫର୍ମଗୁ଼ଡ଼ିକୁ କମ୍ୟୁନିଟି ଗାଇଡଲାଇନର ଆଧାରରେ ପୋଷ୍ଟ ହଟାନ୍ତି କିମ୍ବା ଏଥିରେ ସୀମା ନିର୍ଦ୍ଧାରଣ କରିଥାନ୍ତି। ଏହି ନିୟମଗୁଡ଼ିକ ଅନେକ କ୍ଷେତ୍ରରେ ଭାରତୀୟ ଆଇନ ଠାରୁ ଅଲଗା ମଧ୍ୟ ହୋଇଥାଏ। ତେଣୁ ଏବେ ଏଥିରେ ଅଙ୍କୁଶ ଲଗାଇବା ପାଇଁ ସରକାର ଚିନ୍ତା କରୁଛନ୍ତି।

ଇନଷ୍ଟା ବିରୁଦ୍ଧରେ ସାଂଘାତିକ ଅଭିଯୋଗ

ସୋସିଆଲ୍ ମିଡିଆରେ ଅଶ୍ଳୀଳତା ରୋକିବା ନେଇ ସରକାର ଚିନ୍ତା କରୁଥିବା ବେଳେ ମେଟା ମାଲିକାନାରେ ଥିବା ଇନଷ୍ଟାଗ୍ରାମ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ହୋଇଥିଲା। ଜାତୀୟ ମାନବାଧିକାର କମିଶନ (NHRC) ଏକ ଅଭିଯୋଗ ଉପରେ ବ୍ୟାପକ ତଦନ୍ତ କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଇନଷ୍ଟାରେ ପେଡ୍ ବିଜ୍ଞାପନ ମାଧ୍ୟମରେ ଶିଶୁ ଯୌନ ନିର୍ଯାତନା ସାମଗ୍ରୀ (CSAM) କୁ ପ୍ରୋତ୍ସାହିତ କରାଯାଇଥିଲା ବୋଲି ଏଥିରେ ଅଭିଯୋଗ ହୋଇଥିଲା।

ତେଣୁ ଏଥିରେ ଟେକ୍ କମ୍ପାନୀଗୁଡ଼ିକ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନର ପାଳନ କରିଥିଲେ କି ନାହିଁ ତାହା ଯାଞ୍ଚ କରିବାକୁ NHRC ପୋଲିସକୁ ନିର୍ଦ୍ଦେଶ ଦେଇଥିଲା।