ବଡ଼ୋଦରା : ପୋଷା ପଶୁ ହୁଅନ୍ତୁ କି ପକ୍ଷୀ, ମଣିଷ ଓ ସେମାନଙ୍କ ମଧ୍ୟରେ ଗଢ଼ିଉଠେ ନିବିଡ଼ ସମ୍ପର୍କ ରହିଥାଏ । ଆଉ ଏହି ସମ୍ପର୍କ କେତେ ଗଭୀର ହୋଇପାରେ, ତାହାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ବଡ଼ୋଦରାରେ । ସେଠାରେ ଜଣକ ଘରୁ ହଜିଯାଇଛି ଏକ ପୋଷା ଶୁଆ । ଆଉ ଶୁଆଟିକୁ ଖୋଜି ଆଣିବା ପାଇଁ ମାଲିକ ଘୋଷଣା କରିଛନ୍ତି ଏକ ଲକ୍ଷ ଟଙ୍କାର ପୁରସ୍କାର । ଖାଲି ଯେ ପୁରସ୍କାର ଘୋଷଣା କରିନାହାନ୍ତି ବରଂ ଶୁଆକୁ ନିଜ ଛୁଆ ବୋଲି କହି ଭାବବିହ୍ୱଳ ହୋଇ ନିବେଦନ କରିଛନ୍ତି ତାଙ୍କ ପରିବାର ।

ତାଙ୍କ କହିବା ଅନୁଯାଇ, ତାଙ୍କ ପାଇଁ ଶୁଆଟି କେବଳ ଏକ ପକ୍ଷୀ ନୁହେଁ, ପରିବାରର ଜଣେ ସଦସ୍ୟ ଭଳି । ଦୀର୍ଘ ଦିନ ଧରି ଘରେ ରହିବା ସହ ପରିବାରର ସମସ୍ତଙ୍କ ସହ ତା'ର ଗଢ଼ିଉଠିଥିଲା ନିବିଡ଼ ସମ୍ପର୍କ । ହେଲେ ହଠାତ୍ ଦିନେ କେଉଁଆଡ଼େ ଉଭାନ୍ ହୋଇଗଲା ତାଙ୍କ ପ୍ରିୟ ଶୁଆ । ଘରର ସଦସ୍ୟଙ୍କଠାରୁ ଅଲଗା ହୋଇଯିବା ପରେ ଏବେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି ।ଶୁଆକୁ ଖୋଜିବା ପାଇଁ ପରିବାର ପକ୍ଷରୁ ଚାଲିଛି ସବୁ ପ୍ରକରର ଉଦ୍ୟମ । ଏମିତିକି ତାଙ୍କ ଶୁଆକୁ ଖୋଜି ଆଣିବା ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି ପରିବାର ଲୋକେ । ଯିଏ ଶୁଆଟିକୁ ଖୋଜି ସୁରକ୍ଷିତ ଭାବେ ଫେରାଇ ଆଣିବେ, ତାଙ୍କୁ ମିଳିବ ଏହି ପୁରସ୍କାର । ଟଙ୍କା ଅପେକ୍ଷା ପରିବାର ପାଇଁ ନିଜ ପ୍ରିୟ ଶୁଆକୁ ପୁଣିଥରେ ପାଖରେ ପାଇବା ହିଁ ସବୁଠୁ ବଡ଼ କଥା ।ଶୁଆଟିକୁ ଫେରାଇ ଦେବା ପାଇଁ ପରିବାର ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଛି ।

ମାଲିକଙ୍କ କହିବା କଥା, ତାଙ୍କ ପାଇଁ ଶୁଆଟି ଏକ ପୋଷା ପକ୍ଷୀ ନୁହେଁ, ବରଂ ନିଜ ଛୁଆ ପରି । ତାକୁ ହରାଇବା ପରେ ଘର ଯେମିତି ଖାଲି ଖାଲି ଲାଗୁଛି । ତେଣୁ ଯଦି କେହି ଶୁଆଟିକୁ ଦେଖିଛନ୍ତି କିମ୍ବା ତା'ର କୌଣସି ସୂଚନା ପାଇଛନ୍ତି, ତେବେ ଫେରାଇ ଦେବାକୁ ବିନମ୍ର ଅନୁରୋଧ କରିଛନ୍ତି ପରିବାର । ସାଧାରଣତଃ ହଜିଯାଇଥିବା ଗହଣା କିମ୍ବା ଦାମୀ ଜିନିଷ ଖୋଜିବା ପାଇଁ ପୁରସ୍କାର ଘୋଷଣା ହେବା ତ ପ୍ରାୟ ସମସ୍ତେ ଶୁଣିଥିବେ । କିନ୍ତୁ ଏଠି ଏକ ଶୁଆକୁ ଫେରି ପାଇବା ପାଇଁ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା ହୋଇଛି ଯାହାକୁ ନେଇ ଚର୍ଚ୍ଚା ହେଉଛି । ଏହା ପ୍ରମାଣ କରୁଛି ଯେ ମଣିଷ ଓ ପଶୁପକ୍ଷୀଙ୍କ ମଧ୍ୟରେ ଥିବା ସ୍ନେହର ମୂଲ୍ୟ ଟଙ୍କାରେ ତୁଳନା କରିହୁଏନି । ଏହି ଖବର ଏବେ ଚାରିଆଡେ ପ୍ରସାରିତ ହେବା ପରେ ଶୁଆଟି କେବେ ତା ମାଲିକ ପାଖକୁ ଫେରୁଛି ତାହା ଦେଖିବା ବାକି ରହିଲା ।