ନୂଆଦିଲ୍ଲୀ : ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ନିକଟରେ କରାଚୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ କରିଥିବା ଅଭିଯୋଗକୁ ଖଣ୍ଡନ କରିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଓ ବୟାନ ଉପରେ ପ୍ରତିକ୍ରିୟା ରଖି ଇସ୍ଲାମାବାଦକୁ କଡ଼ା ଚେତାବନୀ ଦେଇଛନ୍ତି। କହିଛନ୍ତି ପ୍ରଥମେ ପାକିସ୍ତାନ ତାର ପୁରୁଣା ଅଭ୍ୟାସ ଛାଡୁ। ଭାରତ ସ୍ପଷ୍ଟ ରୂପେ କହିଛି ପାକିସ୍ତାନ ତାର ଅନ୍ତରୀଣ ସମସ୍ୟା, ଦୁର୍ବଳତା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଲୁଚେଇବାକୁ ଭାରତ ଆଡକୁ ଅଙ୍ଗୁଳି ଉଠାଇବାକୁ ଉଦ୍ୟମ କରୁଛି। ଏହାକୁ ଭାରତ ସମ୍ପୂର୍ଣ୍ଣ ଅସ୍ୱୀକାର କରୁଛି।

ଜୟସ୍ୱାଲ କହିଛନ୍ତି ଯେ ନିକଟରେ କରାଚୀରେ ହୋଇଥିବା ଘଟଣା ନେଇ ଭାରତ ବିରୋଧରେ ନିରାଧାର ଅଭିଯୋଗ ଥିବା ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଆମେ ଦେଖିଛୁ। ତେବେ ରିପୋର୍ଟକୁ ଆମେ କଡ଼ା ଶବ୍ଦରେ ଖାରଜ କରୁଛୁ। ସେ କହିଛନ୍ତି ଯେ ଅନ୍ୟ ଉପରକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ପ୍ରଥମେ ପାକିସ୍ତାନ ନିଜକୁ ଦେଖୁ। ଜୟସ୍ୱାଲ କହିଛନ୍ତି ଯେ ପାକିସ୍ତାନକୁ ନିଜ ମାଟିରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ବିରୋଧରେ ମଜଭୁତ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ। ସେହିପରି ଆତଙ୍କବାଦକୁ ରାଜ୍ୟ ନୀତି ଉପଯୋଗ କରିବାର ପୁରୁଣା ଅଭ୍ୟାସ ଛାଡୁ।

ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ ଯେବେବି ପାକିସ୍ତାନରେ କୌଣସି ହିଂସାକାଣ୍ଡ ଅଥବା ସୁରକ୍ଷା ତ୍ରୁଟି ଜନିତ ଘଟଣା ଘଟେ ସେତେବେଳେ ସ୍ଥାନୀୟ ପ୍ରଶାସନ ବିନା କୌଣସି ଯାଞ୍ଚରେ ଭାରତ ଉପରେ ଦୋଷ ଲଦିବାକୁ କାହାଣୀ ଗଢେ। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନର ଆର୍ଥିକ ରାଜଧାନୀ କରାଚୀରେ ଶନିବାର ରାତିରେ ଏକ ଜୋରଦାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରଣକାରୀମାନେ ପାକିସ୍ତାନ ରେଞ୍ଜର୍ସଙ୍କ ଆଞ୍ଚଳିକ ମୁଖ୍ୟାଳୟକୁ ଟାର୍ଗେଟ୍ କରିଥିଲେ। ଏଥିରେ ସେମାନେ ଏକ ବିସ୍ଫୋରକ ବୋଝେଇ ଗାଡିକୁ ସିଧା ପରିସରକୁ ପଶେଇ ସେଥିରେ ବିସ୍ଫୋରଣ କରିଥିଲେ।

ଏହି ବିସ୍ଫୋରଣ ପରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ପାଖାପାଖି ୯୦ ମିନିଟ୍ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଅନୁନ୍ୟ ୪ ଜଣ ପାକ୍ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ବେଳେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ଆତଙ୍କବାଦୀକୁ ଜୀବିତ ଗିରଫ କରାଯାଇଥିବାର ପାକିସ୍ତାନ ଦାବି କରୁଛି। ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଅନୁସାରେ ତେହେରିକ-ଏ-ତାଲିବାନ ପାକିସ୍ତାନ ସମର୍ଥିତ ଜମାତ-ଉଲ-ଅହରାର ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟି କରିଛି।