ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ସୀମା ବିବାଦ, ସବୁ କଥାରେ ଭାରତକୁ ଦାୟୀ କରୁଥିବା ନେପାଳ ଭାରତ ଉପରେ କିନ୍ତୁ ଖୁବ୍ ନିର୍ଭରଶୀଳ। ଖାଦ୍ୟ ଠାରୁ ଆରମ୍ଭ କରି ଇନ୍ଧନ, ଔଷଧ, ମୋଟର ପାର୍ଟ, ମେସିନାରୀ ଇଲେକ୍ଟ୍ରୋନିକ୍ସ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ଭାରତ ଠାରୁ ଆମଦାନୀ କରେ ନେପାଳ। ହେଲେ ବର୍ତ୍ତମାନ ଏହି ପଡ଼ୋଶୀ ଦେଶର ପରିସ୍ଥିତି ଶୋଚନୀୟ। ବରଫ ଅତଡ଼ା ଖସିବାରୁ ଭୋଟେକୋଶୀ ନଦୀରେ ଆସିଥିବା ଅଦିନିଆ ବର୍ଷା ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି।

ନେପାଳର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ସବୁଠାରୁ ବଡ଼ କଥା ହେଲା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ସଡ଼କ ଓ ବାଣିଜ୍ୟିକ ରୁଟ୍ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଭାରତ-ନେପାଳ ମଧ୍ୟରେ ସପ୍ଲାଇ ଚେନ୍ ଉପରେ ବଡ଼ ପ୍ରଭାବ ପଡ଼ିଛି। ଗୋଟିଏ ପଟେ ବନ୍ୟା ପରିସ୍ଥିତି ବିଗାଡ଼ିଥିବା ବେଳେ ଏପଟେ ପରିବହନ ମାର୍ଗ କ୍ଷତିଗ୍ରସ୍ତ ହୋଇଥିବା କିଭଳି ଭାରତ ଠାରୁ ଏତେସବୁ ଜରୁରୀ ସାମଗ୍ରୀ ଆମଦାନୀ ହେବା ତାହା ବର୍ତ୍ତମାନ କାଠମାଣ୍ଡୁ ପାଇଁ ଚିନ୍ତାର ବିଷୟ।

ଭାରତ ଉପରେ କେତେ ନିର୍ଭରଶୀଳ ନେପାଳ?

ନେପାଳର ଅର୍ଥନୀତିରେ କୃଷି ଓ ପର୍ଯ୍ୟଟନର ଗୁରୁତ୍ୱ ଅଧିକ। କିନ୍ତୁ ଦୈନନ୍ଦିନ ଆବଶ୍ୟକତାର ଅନେକ ସାମଗ୍ରୀ ପାଇଁ ଏହି ପଡ଼ୋଶୀ ଦେଶ ଭାରତ ଉପରେ ନିର୍ଭର କରେ। ନେପାଳର ମୋଟ ବାଣିଜ୍ୟର ୬୦ ପ୍ରତିଶତରୁ ଅଧିକ ଭାରତ ସହିତ ହୋଇଥାଏ। ଜୁନ୍ ୨୦୨୬ର ବାଣିଜ୍ୟିକ ତଥ୍ୟ ଅନୁସାରେ, ଗୋଟିଏ ମାସରେ ଭାରତ ନେପାଳକୁ ପ୍ରାୟ ୭୪୩ ମିଲିୟନ୍ ଡଲାରର ସାମଗ୍ରୀ ରପ୍ତାନି କରିଥିଲା। ଭାରତ ନେପାଳକୁ ‘Most Favoured Nation (MFN)’ ମାନ୍ୟତା ଦେଇଥିବାରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ମଧ୍ୟ ତୁଳନାମୂଳକ ଭାବେ ସୁଗମ ରହିଛି।

ବନ୍ୟା ଯୋଗୁଁ କେଉଁ ସାମଗ୍ରୀର ହୋଇପାରେ ଅଭାବ?

ଭାରତରୁ ପ୍ରତିବର୍ଷ ନେପାଳକୁ କୋଟି କୋଟି ଡଲାରର ସାମଗ୍ରୀ ଯାଇଥାଏ। ଯଦି ବନ୍ୟା କାରଣରୁ ପରିବହନ ବ୍ୟବସ୍ଥା ଦୀର୍ଘ ସମୟ ଧରି ବାଧାପ୍ରାପ୍ତ ହୁଏ, ତେବେ ନେପାଳରେ କିଛି ପ୍ରମୁଖ ସାମଗ୍ରୀର ଅଭାବ ଦେଖାଦେଇପାରେ। ଆସନ୍ତୁ ସେଗୁଡ଼ିକ ଜାଣିବା।

Also read- ଆମେରିକାକୁ ଭାରତ-ଋଷର ସାଇଲେଣ୍ଟ କିନ୍ତୁ ଭାଇଲେଣ୍ଟ ଜବାବ: ଡଲାରକୁ ବେଖାତିର କରି ୯୬% କାରବାର ହେଲା ରୁପି-ରୁବଲରେ

୧. ପେଟ୍ରୋଲ-ଡିଜେଲ୍ ଓ ଏଲ୍‌ପିଜି

ନେପାଳର ଇନ୍ଧନ ଆବଶ୍ୟକତା ପୂରଣରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗାଡ଼ିର ଇନ୍ଧନଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍ ପର୍ଯ୍ୟନ୍ତ ନେପାଳ ଭାରତ ଠାରୁ ଆମଦାନୀ କରିଥାଏ। ୨୦୨୪ରେ ଭାରତ ନେପାଳକୁ ପ୍ରାୟ ୨.୧୯ ବିଲିୟନ୍ ଡଲାରର ପେଟ୍ରୋଲିୟମ୍ ଉତ୍ପାଦ ରପ୍ତାନି କରିଥିଲା। ତେଣୁ ବନ୍ୟା ଯୋଗୁ ପରିବହନ ବନ୍ଦ ହେଲେ ଇନ୍ଧନ ଯୋଗାଣ ଉପରେ ଚାପ ପଡ଼ିପାରେ। ଯାହା ନେପାଳର ସ୍ଥିତି ଆହୁରି ଖରାପ କରିଦେଇପାରେ।

୨. ଔଷଧ

ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଔଷଧର ଚାହିଦା ଆହୁରି ବଢ଼ିଥାଏ। ନେପାଳର ଔଷଧ ଆବଶ୍ୟକତାର ଏକ ବଡ଼ ଅଂଶ ଭାରତୀୟ ଫାର୍ମା କମ୍ପାନୀଗୁଡ଼ିକ ପୂରଣ କରନ୍ତି। ୨୦୨୫ରେ ଭାରତରୁ ନେପାଳକୁ ପ୍ରାୟ ୨୩୯.୫୭ ମିଲିୟନ୍ ଡଲାରର ଔଷଧ ରପ୍ତାନି ହୋଇଥିଲା। ତେଣୁ ସପ୍ଲାଇ ଚେନ୍ ବାଧାପ୍ରାପ୍ତ ହେଲେ ନେପାଳର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ବଢ଼ିପାରେ।

୩. ଚାଉଳ, ଗହମ ଓ ଡାଲି

ନେପାଳର ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ମଧ୍ୟ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନେପାଳ ବହୁ ପରିମାଣରେ ଚାଉଳ, ଗହମ, ଡାଲି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଭାରତରୁ ଆମଦାନୀ କରିଥାଏ। ବନ୍ୟା ଯୋଗୁ ସୀମାରେ ଟ୍ରକ୍ ଚଳାଚଳ ଦୀର୍ଘ ସମୟ ବନ୍ଦ ରହିଲେ ଖାଦ୍ୟ ସାମଗ୍ରୀର ଯୋଗାଣ ମଧ୍ୟ ପ୍ରଭାବିତ ହୋଇପାରେ।

୪. ଲୁହା-ଇସ୍ପାତ ଓ ମେସିନାରୀ

ନେପାଳର ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ର ପାଇଁ ଭାରତ ଏକ ବଡ଼ ଯୋଗାଣକାରୀ। ଗତ ବର୍ଷ ଭାରତରୁ ନେପାଳକୁ ପ୍ରାୟ ୭୦୦.୫୭ ମିଲିୟନ୍ ଡଲାରର ଲୁହା ଓ ଇସ୍ପାତ ଏବଂ ୪୨୯.୧୭ ମିଲିୟନ୍ ଡଲାରର ମେସିନାରୀ ଓ ବଏଲର୍ ରପ୍ତାନି ହୋଇଥିଲା। ବର୍ତ୍ତମାନର ସ୍ଥିତି ଯୋଗୁ ଏବେ ରପ୍ତାନୀ ନେଇ ଚିନ୍ତା ବଢ଼ି ଯାଇଛି।

୫. ଗାଡ଼ି ଓ ସ୍ପେୟାର ପାର୍ଟସ୍

ନେପାଳର ଅଟୋମୋବାଇଲ୍ ବଜାର ମଧ୍ୟ ଭାରତୀୟ ଉତ୍ପାଦ ଉପରେ ନିର୍ଭରଶୀଳ। କାର୍, ମୋଟରସାଇକେଲ୍ଠାରୁ ଆରମ୍ଭ କରି ସ୍ପେୟାର ପାର୍ଟସ୍ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ଭାରତରୁ ନେପାଳକୁ ଯାଏ। ଗତ ବର୍ଷ ଏହି ଶ୍ରେଣୀରେ ପ୍ରାୟ ୩୫୨.୬୨ ମିଲିୟନ୍ ଡଲାରର ସାମଗ୍ରୀ ଭାରତରୁ ନେପାଳକୁ ରପ୍ତାନି ହୋଇଥିଲା। ଭାରତ-ନେପାଳ ପରିବହନର କିଛି ଗୁରୁତ୍ୱପୂର୍ଣ୍ଣ ସୀମା ରହିଛି। ବନ୍ୟା ବିଭୀଷିକାରେ ବର୍ତ୍ତମାନ ଏସବୁ ଖୋଲା ରହିବା ନିତ୍ୟନ୍ତ ଜରୁରୀ।

Also Read- RAM Crisis in India: RAM ପାଇଁ ବଢୁଛି ବ୍ୟବସାୟ ଖର୍ଚ୍ଚ, ସଙ୍କଟରେ IT ସେକ୍ଟର, ଲାଭ ପାଉ ନାହାନ୍ତି କମ୍ପାନୀ !

ଏହି ୫ ସୀମା ନେପାଳ ପାଇଁ ଲାଇଫ୍‌ଲାଇନ

ଭାରତ ଓ ନେପାଳ ମଧ୍ୟରେ ବାଣିଜ୍ୟର ଏକ ବଡ଼ ଅଂଶ ସଡ଼କପଥରେ ଟ୍ରକ୍ ମାଧ୍ୟମରେ ହୋଇଥାଏ। ଏଥିପାଇଁ ଦୁଇ ଦେଶର କିଛି ପ୍ରମୁଖ ଲ୍ୟାଣ୍ଡ କଷ୍ଟମ୍ ଷ୍ଟେସନ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ରକ୍ସୌଲ-ବୀରଗଞ୍ଜ: ଭାରତ-ନେପାଳ ବାଣିଜ୍ୟର ସବୁଠାରୁ ବଡ଼ ରୁଟ୍ଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଦୁଇ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟର ୫୦ ପ୍ରତିଶତରୁ ଅଧିକ ଏହି ରୁଟ୍ ଦେଇ ହେଉଥିବା କୁହାଯାଏ। ଏହା ବ୍ୟତୀତ ଜୋଗବନୀ-ବିରାଟନଗର, ସୋନୌଲି-ଭୈରହୱା, ରୁପୈଡିହା-ନେପାଳଗଞ୍ଜ ଓ ପାଣିଟାଙ୍କି-କାକରଭିଟ୍ଟା ଆଦି ଗୁରୁତ୍ୱପୂର୍ଣ୍ଣ ସୀମା ପଥ ଦେଇ ବ୍ୟବସାୟ ହେଉଛି।

ନେପାଳର ନିର୍ଭରଶୀଳତାକୁ ସାମ୍ନାକୁ ଆଣିଲା ବନ୍ୟା

ନେପାଳ ଓ ଭାରତର ଭୌଗୋଳିକ ନିକଟତା ଯୋଗୁ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ଧରି ମଜବୁତ ବାଣିଜ୍ୟିକ ସମ୍ପର୍କ ରହିଛି। କିନ୍ତୁ ବନ୍ୟା ଓ ରାସ୍ତା ଭାଙ୍ଗିଯିବା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସପ୍ଲାଇ ଚେନ୍ କେତେ ସମ୍ବେଦନଶୀଳ, ତାହା ପୁଣିଥରେ ସାମ୍ନାକୁ ଆସିଛି। ଇନ୍ଧନ, ଔଷଧ, ଖାଦ୍ୟ, ମେସିନାରୀ ଓ ଅଟୋମୋବାଇଲ୍ ସାମଗ୍ରୀ ଭଳି ଅତ୍ୟାବଶ୍ୟକ ଜିନିଷ ପାଇଁ ଭାରତ ଉପରେ ନେପାଳର ବଡ଼ ନିର୍ଭରଶୀଳତା ଥିବାରୁ ସୀମା ରାସ୍ତା ଦେଇ ଯୋଗାଣ ବାଧାପ୍ରାପ୍ତ ହେଲେ ଏହାର ସିଧା ପ୍ରଭାବ ନେପାଳର ବଜାର ଓ ସାଧାରଣ ଲୋକଙ୍କ ଉପରେ ପଡ଼ିପାରେ।