ପ୍ୟାରିସ୍ : ଫ୍ରାନ୍ସରେ ଉପୁଜିଥିବା ଜନ ଅସନ୍ତୋଷରେ ଶନିବାର ସରକାର ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ବିଶାଳ ଫୋର୍ସ ମୁତୟନକରିଛନ୍ତି। କାରଣ ସ୍କୁଲ ଫଣ୍ଡିଂ, ବେତନ ବୃଦ୍ଧି ଓ ମୂଲ୍ୟବୃଦ୍ଧିକୁ ନେଇ ପୁରା ଦେଶରେ ଏବେ ବିରୋଧ ପ୍ରଦର୍ଶନ ହେଉଛି। ଲୋକେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ବିରୋଧ କରୁଛନ୍ତି। ସପ୍ତାହକ ପୂର୍ବରୁ ପ୍ରଦର୍ଶନ ହିଂସାତ୍ମକ ରୂପ ଧାରଣ କରିବା ବେଳେ ଲୋକେ ଦୋକାନ ବଜାରରେ ପଶି ଲୁଟପାଟ କରିଥିଲେ। ଏଥିରେ ଅନେକ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା। ଅଧିକାରୀମାନେ ପ୍ୟାରିସ୍ ରେ ଏକ ବଡ଼ ଧରଣର ବିକ୍ଷୋଭ ଶୋଭାଯାତ୍ରାକୁ ସହରର ଦକ୍ଷିଣ-ପୂର୍ବ ଭାଗରେ ଅଟକାଇ ଦେଇଥିଲେ।

ଲୋକଙ୍କ ଆନ୍ଦୋଳନକୁ ନଜରରେ ରଖି କେତେକ ବଡ଼ ବଡ଼ ସଂଗ୍ରହାଳୟକୁ ବନ୍ଦ କରିଦିଆଯାଇଛି। ସେହିପରି ଗତ ସପ୍ତାହନ୍ତର ହିଂସା ଯେପରି ଦ୍ୱିତୀୟବାର ନ ଉପୁଜେ ସେଥି ପାଇଁ ଅନେକ ସହରାଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ଉପରେ ରୋକ ଲଗାଇ ଦିଆଯାଇଛି। ପ୍ରଦର୍ଶନକାରୀମାନେ ବଡ଼ ବଡ଼ ପ୍ଲାକାର୍ଡରେ ‘ଆମେ ବିରକ୍ତ ହୋଇ ଗଲାଣୁ, ମାକ୍ରନ ଇସ୍ତଫା ଦିଅନ୍ତୁ’ ଆଦି ଦାବି ଲେଖି ପ୍ରଦର୍ଶନ କରୁଛନ୍ତି। ପୋଲିସ ଅନୁସାରେ ଏହି ସରକାର ବିରୋଧୀ ପ୍ରଦର୍ଶନରେ ୧,୧୦,୦୦୦ ଲୋକେ ସାମିଲ ହୋଇଛନ୍ତି। ତେବେ ବିରୋଧ ପ୍ରଦର୍ଶନ ପୂର୍ବରୁ ଗୃହମନ୍ତ୍ରୀ ଲରେଣ୍ଟ ନୁନେଜ୍ ଘୋଷଣା କରିଥିଲେ ଯେ ପୁରା ଦେଶରେ ୭୦,୦୦୦ରୁ ଅଧିକ ଫୋର୍ସଙ୍କୁ ମୁତୟନ କରାଯିବ।

ଗତ ଶନିବାର ୫ ଲକ୍ଷରୁ ଅଧିକ ଲୋକେ ସଡ଼କକୁ ଓହ୍ଲାଇ ପ୍ରଦର୍ଶନ କରିବାରୁ ପ୍ୟାରିସ୍ ଓ ଅନ୍ୟ ବଡ଼ ସହରମାନଙ୍କର ସୁରକ୍ଷା କଡ଼ା କରାଯାଇଥିଲା। ଏବେ ଯେଉଁ ଫୋର୍ସମାନଙ୍କୁ ମୁତୟନ କରାଯିବ ସେମାନଙ୍କୁ ହେଲିକପ୍ଟର, ସଶସ୍ତ୍ର ଯାନବାହନ ଏବଂ ୱାଟର କ୍ୟାନନ୍ ସହାୟତା ପ୍ରଦାନ କରାଯିବ। ଗତ ସପ୍ତାହନ୍ତ ଅଶାନ୍ତି କାଳରେ ପୁରା ଫ୍ରାନ୍ସରେ ୩ହଜାର ଦୋକାନ ଲୁଟ ହୋଇଥିଲା। ଗତ ସୋମବାର ନୁନେଜ ସ୍ୱୀକାର କରିଥିଲେ ଯେ ଶନିବାର ହିଂସା କାଳରେ ଅନେକ ସହରରେ ପୋଲିସ୍ ନିୟନ୍ତ୍ରଣ ହରାଇଥିଲା।