ନୂଆଦିଲ୍ଲୀ: ଯୁଦ୍ଧ​‌ ଭିତରେ ପେଶି ହୋଇଗଲାଣି ଇରାନ୍‌ । ଯୁଦ୍ଧ ଏବଂ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଦେଶବାସୀ ଦୁଇ ଓଳି ଦୁଇ ମୁଠା ଖାଇବାକୁ ବି ବିକଳ ହେଉଛନ୍ତି । ଏନେଇ ବଡ଼ ଖୁଲାସା କରିଛନ୍ତି ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ।​‌ ନିଜର ଅଫିସିଆଲ ୱେବସାଇଟ୍‌ରେ ପ୍ରକାଶିତ ଏକ ଭାଷଣରେ ରାଷ୍ଟ୍ରପତି ପେଜେସ୍କିଆନ କହିଛନ୍ତି, ‘ଆମେ ଯେଉଁ ଯୁଦ୍ଧ ମଧ୍ୟରେ ଜୀବନ ବିତାଉଛୁ, ସେଥିପାଇଁ ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ କଠିନ ସଂଘର୍ଷ କରୁଛନ୍ତି।’

 ସେ କହିଛନ୍ତି ଯେ, ଦେଶରେ ଚାଲିଥିବା ‘ନୋ ୱାର, ନୋ ପିସ୍’ ସ୍ଥିତି ସମାପ୍ତ ହେବା ଦରକାର ।  ତେହେରାନକୁ ଏହି ପରିସ୍ଥିତିରୁ ବାହାରିବାକୁ ପଡ଼ିବ ।ଚଳିତ ବର୍ଷ ଫେବୃଆରୀ ୨୮ ରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଏବଂ ଅନେକ ବରିଷ୍ଠ ସାମରିକ କମାଣ୍ଡର ପ୍ରାଣ ହରାଇଥିଲେ। ଏହାର ଜବାବରେ ଇରାନ ମଧ୍ୟ ଆକ୍ରମଣ କରିଥିଲା। 

ଜୁନ୍ ମାସରେ ପାକିସ୍ତାନର ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତି ଭାଙ୍ଗିଯିବା ପରେ ଆମେରିକା ଇରାନର ବନ୍ଦରଗୁଡ଼ିକୁ ଅବରୋଧ କରି ତୈଳ ରପ୍ତାନୀ ଓ ବ୍ୟବସାୟ ଉପରେ କଟକଣା ଲଗାଇଛି । ଫଳରେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାରି ମଧ୍ୟରେ   ଇରାନ ଉପରେ ପୁଣି ଥରେ ଆମେରିକା ଆକ୍ରମଣ କରିପାରେ ବୋଲି ଚର୍ଚ୍ଚା ଦେଶକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି ।

ଆମେରିକାର ଆକ୍ରମଣ ଆଶଙ୍କା ଭିତରେ ଇରାନର IRGC ଚେତାବନୀ ଦେଇଛି । ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ,‘ଯଦି ଶତ୍ରୁ ପକ୍ଷ କୌଣସି  କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରେ, ତେବେ ଇରାନର ଜବାବ ତା'ଠାରୁ ଅଧିକ ଭୟଙ୍କର ହେବ।’ ଏପରିକି ସମୁଦ୍ରରେ ବିଛାଯାଇଥିବା ଇଣ୍ଟରନେଟ୍‌ କେବୁଲ କାଟିଦିଆଯିବ ବୋଲି ମଧ୍ୟ ଇରାନ୍‌ ଚେତାବନୀ ଦେଇଛି ।