ନୂଆଦିଲ୍ଲୀ, ୨୫/୧୦ : ପାକିସ୍ତାନରେ ଏଲପିଜି ସିଲିଣ୍ଡର ଦର ବଢ଼ିଯାଇଛି। ୧୨ କିଲୋ ସିଲିଣ୍ଡର ଦାମ ମାତ୍ର କେଇଟା ଦିନରେ ୪୫୦୦ ପାକିସ୍ତାନ ଟଙ୍କାରୁ ବଢ଼ି ୭,୦୦୦ ଟଙ୍କା ହୋଇଯାଇଛି।

କଥା ହେଉଛି ଇରାନରୁ ପାକିସ୍ତାନକୁ ଏଲପିଜି ଯୋଗାଣ ବନ୍ଦ ହୋଇଯାଇଛି। ଉଭୟ ଦେଶ ମଧ୍ୟରେ ଦୁଇଟି ପ୍ରମୁଖ ବର୍ଡର ଅକ୍ଟୋବର ୧୭ରୁ ବନ୍ଦ ରହିଛି। ରୟଟର୍ସ ରିପୋର୍ଟ ମୁତାବକ, ଉଭୟ ଦେଶ ଏହାର ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି। ପାକିସ୍ତାନ କହିଛି ଯେ, ଏହା ସୁରକ୍ଷା ଚିନ୍ତା ଏବଂ ତସ୍କରୀକୁ ରୋକିବା ପାଇଁ ଏହି ସୀମାକୁ ବନ୍ଦ କରିଛି। ଅନ୍ୟପକ୍ଷରେ, ଇରାନ ଏହାର ଅନ୍ୟ କାରଣ କହିଛି। ପାକିସ୍ତାନ ଏହାର ମୋଟ ଏଲପିଜି ଆବଶ୍ୟକତାର ପାଖାପାଖି ୫୦% ଇରାନରୁ ଆମଦାନି କରିଥାଏ। ଏଭଳି ସ୍ଥିତିରେ ଯୋଗାଣ ବନ୍ଦ ହେବା ଦ୍ୱାରା ଲୋକଙ୍କ ଚିନ୍ତା ବଢ଼ିଯାଇଛି।

Also Read :-ଯନ୍ତ୍ରଣା ଦେଉଛି ଯୁଦ୍ଧ, ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଦେଶବାସୀ; ସ୍ବୀକାର କଲେ ଇରାନ ରାଷ୍ଟ୍ରପତି

ପାକିସ୍ତାନ ଏହାର ଏଲପିଜି ଆବଶ୍ୟକତାର ପ୍ରାୟ ୭୦% ବିଦେଶରୁ ଆମଦାନି କରିଥାଏ। ଇରାନ ବ୍ୟତୀତ ଇରାକ ଏବଂ ଓମାନରୁ ବି ଗ୍ୟାସ ଆସିଥାଏ। ପାକିସ୍ତାନର ପେଟ୍ରୋଲିୟମ ମନ୍ତ୍ରୀ ଅଲ୍ଲୀ ପରଭେଜ ମଲ୍ଲିକଙ୍କ ଅନୁସାରେ, ଦେଶରେ ପ୍ରତିଦିନ ପାଖାପାଖି ୬୫୦୦ରୁ ୭୦୦୦ ଟନ୍ ଏଲପିଜିର ଆବଶ୍ୟକତା ରହିଥାଏ। ଏଥିମଧ୍ୟରୁ ୨୦୦୦ରୁ ୨୫୦୦ ଟନ୍ ଗ୍ୟାସ ଦେଶରେ ପ୍ରସ୍ତୁତ ହୋଇଥାଏ। ଅବଶିଷ୍ଟ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରାଯାଇଥାଏ। ହୋର୍ମୁଜ ଜଳମାର୍ଗରେ ଇରାନ ଯୁଦ୍ଧ କାରଣରୁ ଆସିଥିବା ବାଧକ ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି ।