ନୂଆଦିଲ୍ଲୀ: ବ୍ୟବସାୟରେ ଲାଭ ଓ କ୍ଷତିର ମୁଖ୍ୟ ମାପକ ହେଉଛି ମାର୍ଜିନ। କମ୍ପାନୀର ମୋଟ ରାଜସ୍ୱ ଓ ମୋଟ ଖର୍ଚ୍ଚ ମଧ୍ୟରେ ଥିବା ତଫାତ ହିଁ ଏକ କମ୍ପାନୀ କେତେ ଦିନ ତିଷ୍ଟି ରହିବ, ତାହା ନିର୍ଣ୍ଣୟ କରେ। କିନ୍ତୁ ଚଳିତ ବର୍ଷ ବିଶେଷକରି ଆଇଟି କ୍ଷେତ୍ରରେ ବଢୁଥିବା ଖର୍ଚ୍ଚ କମ୍ପାନୀଗୁଡ଼ିକ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହା ପଛରେ ରହିଛି RAM ଓ NAND ମେମୋରିର ଦାମରେ ଅସାଧାରଣ ବୃଦ୍ଧି। ଯେବେଠାରୁ ଏଆଇର ଡିମାଣ୍ଡ ବଢ଼ିଛି ସେବେଠାରୁ ମେମୋରି ଚିପର ଘୋର ଅଭାବ ଦେଖା ଦେଇଛି। ଯାହା ଏହି ସଙ୍କଟକୁ ଆହୁରି ତୀବ୍ର କରିଛି।

ନିକଟରେ ଜୋହୋ(Zoho)ର ସହ-ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ଏହି ପ୍ରସଙ୍ଗରେ ନିଜର ମତ ରଖିଥିଲେ। ମେମୋରି ଚିପ୍ର ଅଭାବ ଯୋଗୁ ଦେଶରେ ଏବେ ବ୍ୟବସାୟ କରିବା କଷ୍ଟକର ହୋଇଗଲାଣି ବୋଲି କହିଥିଲେ। ସେବେଠାରୁ ଭାରତୀୟ ବ୍ୟବସାୟ କ୍ଷେତ୍ରରେ ଏହି ସମସ୍ୟା ନେଇ ଚର୍ଚ୍ଚା ବଢ଼ି ଯାଇଛି।

ଭେମ୍ବୁ କହିଥିଲେ ଯେ ମେମୋରି ଓ ଏଆଇ ଟୋକେନର ଦାମ ବଢିବା କାରଣରୁ ବ୍ୟବସାୟ କରିବା କଷ୍ଟକର ହେଉଛି। ତଥାପି କମ୍ପାନୀଗୁଡ଼ିକ ଦରବୃଦ୍ଧିକୁ ରୋକିଛନ୍ତି। ହେଲେ ଆଉ କେତେ ଦିନ ଏଭଳି ରୋକିପାରିବେ ବୋଲି ସେ କହିଥିଲେ। ଭେମ୍ବୁଙ୍କର ଏହି ଚେତାବନୀ ଏବେ ବ୍ୟବସାୟୀଙ୍କ ମୁଣ୍ଡବଥାର କାରଣ ପାଲଟିଲାଣି।

ବର୍ଷକରେ ମେମୋରି ଦରରେ ବଡ଼ ବୃଦ୍ଧି

ଗତ ବର୍ଷକ ମଧ୍ୟରେ RAM ଓ NAND ଭଳି ମେମୋରିର ମୂଲ୍ୟ କେତେକ କ୍ଷେତ୍ରରେ ପ୍ରାୟ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ବଢିଛି। ଏହାର ପ୍ରଭାବ କେବଳ ସ୍ମାର୍ଟଫୋନ କିମ୍ବା ଲାପଟପ୍ ଦରବୃଦ୍ଧିରେ ସୀମିତ ରହି ନାହିଁ, ସର୍ଭର, ଡାଟା ସେଣ୍ଟର ଏବଂ କମ୍ପାନୀର ଆଇଟି ଭିତ୍ତିଭୂମିର ଖର୍ଚ୍ଚ ମଧ୍ୟ ବଢିଛି।

AI ପାଇଁ ବିଶ୍ୱବ୍ୟାପୀ ଭାବେ ବଡ଼ ପରିମାଣରେ ଡାଟା ସେଣ୍ଟର ଓ ସର୍ଭର ଭିତ୍ତିଭୂମି ନିର୍ମାଣ ହେଉଥିବାରୁ ମେମୋରି ଚାହିଦା ବଢିଛି। ଏହା ଫଳରେ ସାଧାରଣ ବ୍ୟବସାୟ ପାଇଁ ମଧ୍ୟ ଆଇଟି ଭିତ୍ତିଭୂମି ଚଳାଇବା ମହଙ୍ଗା ହୋଇପଡ଼ିଛି।

Also Read- ଓଡ଼ିଶାରେ ନିର୍ମାଣ ହେବ ପଣ୍ୟବାହୀ ଜାହାଜ: କେନ୍ଦ୍ରାପଡ଼ାରେ ଗଢ଼ି ଉଠିବ ୨୪,୭୦୦ କୋଟିର ମେଗା ସିପ୍ବିଲ୍ଡିଂ କ୍ଲଷ୍ଟର

ରାମ୍ କ’ଣ ହୁଏତ ଆପଣ ଜାଣିଥାଇ ପାରନ୍ତି, NAND ମେମୋରି ଚିପ୍ କଣ ଟିକେ ଆସନ୍ତୁ ଜାଣି ନେବା। ଏହା ହେଉଛି ଏକ ପ୍ରକାର ନନ୍ ଭୋଲାଟାଇଲ ଷ୍ଟୋରେଜ୍ ଟେକ୍ନୋଲୋଜୀ। ଯାହା ବିନା ପାୱାର ସୋର୍ସରେ ବି ଡାଟା ଷ୍ଟୋର କରି ରଖିପାରେ। ଉଦାହରଣସ୍ୱରୂପ ପୂର୍ବ ସମୟରେ ପଡ଼ୁଥିବା ମୋମୋରି କାର୍ଡ ଓ ହାର୍ଡି ଡିକ୍ସ ଆଦି।

ଭାରତୀୟ କମ୍ପାନୀ ଉପରେ ଅଧିକ ଚାପ

AI ଭିତ୍ତିଭୂମି କମ୍ପାନୀ ଆଇସଲାଣ୍ଡ କମ୍ପ୍ୟୁଟିଂ ( Island Computing)ର ସିଇଓ ବିଶାଳ ସିରୋହିଙ୍କ ଅନୁସାରେ, ନିଜସ୍ୱ ହାର୍ଡୱେର ଚଳାଉଥିବା କମ୍ପାନୀଗୁଡ଼ିକ ଏହି ସଙ୍କଟକୁ ସର୍ବପ୍ରଥମେ ଅନୁଭବ କରୁଛନ୍ତି। ଭାରତ ପାଇଁ ସମସ୍ୟା ଆହୁରି ବଡ଼, କାରଣ ଦେଶର ହାର୍ଡୱେର ସପ୍ଲାଏ ଚେନ୍ ଏପର୍ଯ୍ୟନ୍ତ ସେତେ ପରିପକ୍ୱ ହୋଇନାହିଁ।

ଏହା ସହିତ ଅନ୍ୟ ଏକ ସମସ୍ୟା ହେଉଛି ଟଙ୍କାର ମୂଲ୍ୟହ୍ରାସ। ହାର୍ଡୱେରର ଦାମ ମୁଖ୍ୟତଃ ଡଲାରରେ ନିର୍ଦ୍ଧାରିତ ହେଉଥିବାରୁ ଟଙ୍କା ଦୁର୍ବଳ ହେଲେ ଭାରତୀୟ କମ୍ପାନୀଙ୍କୁ ସମାନ ମେମୋରି ମଡ୍ୟୁଲ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

RAM ଦାମ ବୃଦ୍ଧିରେ ବିକ୍ରି କମିଛି

IT ହାର୍ଡୱେର କମ୍ପାନୀ କନସିଷ୍ଟେଣ୍ଟ ଇନଫୋସିଷ୍ଟମ( Consistent Infosystems)ର ସହ-ପ୍ରତିଷ୍ଠାତା ଯୋଗେଶ ଅଗ୍ରୱାଲ କହିଛନ୍ତି ଯେ RAM ଦାମ ବଢିବାର ସିଧାସଳଖ ପ୍ରଭାବ ବଜାରରେ ଦେଖାଯାଉଛି। କେତେକ ବିଭାଗରେ ବିକ୍ରି ପ୍ରାୟ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ କମିଛି।

ତାଙ୍କ ଅନୁସାରେ, ମେମୋରି ଦରବୃଦ୍ଧିରେ ଲଗାତାର ଅସ୍ଥିରତା ଦେଖା ଦେଉଥିବାରୁ କମ୍ପାନୀଗୁଡ଼ିକ ପାଇଁ ମାର୍ଜିନ ବଜାୟ ରଖିବା ଏବଂ ଇନଭେଣ୍ଟରି ପ୍ଲାନିଂ କରିବା କଷ୍ଟକର ହେଉଛି। ଗ୍ରାହକମାନେ ମଧ୍ୟ ଅଧିକ ଦାମ ଦେବାକୁ ଅନିଚ୍ଛୁକ ଥିବାରୁ ବ୍ୟବସାୟୀଙ୍କ ଉପରେ ଦୁଇପଟୁ ଚାପ ପଡ଼ୁଛି।

SaaS କମ୍ପାନୀରେ ବି AI ଖର୍ଚ୍ଚ ବଢୁଛି

ଏହି ସଙ୍କଟର ପ୍ରଭାବ SaaS(ସଫ୍ଟୱେୟାର ଆଜ୍ ଏ ସର୍ଭିସ୍) କମ୍ପାନୀଗୁଡ଼ିକ ଉପରେ ମଧ୍ୟ ପଡ଼ିଛି। ଏଚଆର୍ ପ୍ଲାଟଫର୍ମ Kekaର ମୁଖ୍ୟ ରାଜସ୍ୱ ଅଧିକାରୀ ତପନ ଆଚାର୍ଯ୍ୟଙ୍କ କହିବା ଅନୁସାରେ, ଇଲେକ୍ଟ୍ରୋନିକ୍ ଭିତ୍ତିଭୂମିର ଦାମ ବଢିବା ସହିତ ଏଆଇ ଫିଚର ଚଳାଇବାର ଖର୍ଚ୍ଚ ମଧ୍ୟ ଏବେ କମ୍ପାନୀର ଏକ ବଡ଼ ଭାଗ ଖର୍ଚ୍ଚରେ ହିସାବ ହେଉଛି।

ପୂର୍ବରୁ ଯେଉଁ ଏଆଇ ଫିଚରଗୁଡ଼ିକର ଖର୍ଚ୍ଚକୁ ନଗଣ୍ୟ ବୋଲି ଧରାଯାଉଥିଲା ଏବେ ସେଗୁଡ଼ିକ ପାଇଁ ଅଲଗା ବଜେଟ୍ ଆବଶ୍ୟକ ହେଉଛି। ଫଳରେ ଏଆଇ ଫିଚରରେ ନିବେଶ କରିବା ପୂର୍ବରୁ କମ୍ପାନୀଗୁଡ଼ିକୁ ଅଧିକ ଭାବିବାକୁ ପଡ଼ୁଛି।

କମ୍ପାନୀଙ୍କ ରଣନୀତିରେ ପରିବର୍ତ୍ତନ

ବଢୁଥିବା ଖର୍ଚ୍ଚ ମଧ୍ୟରେ କମ୍ପାନୀଗୁଡ଼ିକ ଏବେ IT ସମ୍ପଦର ସର୍ବାଧିକ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ବିଶାଳ ସିରୋହିଙ୍କ ମତରେ, ଅଧିକ କମ୍ପାନୀ ସାଧାରଣ ଓ pooled IT infrastructure ଆଡ଼କୁ ଯିବା ଆବଶ୍ୟକ। ଏହା ଦ୍ୱାରା ଗୋଟିଏ ମେମୋରିରୁ ଅଧିକ କାମ ନିଆଯାଇପାରିବ ଏବଂ ଅପଚୟ କମିବ।

ତପନ ଆଚାର୍ଯ୍ୟଙ୍କ ମତରେ, କମ୍ପାନୀଗୁଡ଼ିକ ହାର୍ଡୱେରର ଲାଇଫ୍ସାଇକଲ୍ ବଢାଇବା ସହିତ ଦୀର୍ଘମିଆଦୀ ଭେଣ୍ଡର ଚୁକ୍ତି କରିବା ଉପରେ ଗୁରୁତ୍ୱ ଦେବା ଉଚିତ। AI କ୍ଷେତ୍ରରେ ମଧ୍ୟ ଭବିଷ୍ୟତରେ କମ୍ପ୍ୟୁଟ ସସ୍ତା ହେବ ବୋଲି ଆଶା କରି ପୂରା ପ୍ରଡକ୍ଟ ରୋଡମ୍ୟାପ୍ ତିଆରି କରିବା ବଦଳରେ ଯେଉଁ ଅଟୋମେସନ ଏବେ ଗ୍ରାହକଙ୍କୁ ପ୍ରକୃତ ଲାଭ ଦେଉଛି, ସେଥିରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ଏଠି pooled IT infrastructure କଣ ଆସନ୍ତୁ ବୁଝିବା। ଏହା ଏକ ଏଭଳି ଆଇଟି ବ୍ୟବସ୍ଥା, ଯେଉଁଥିରେ ସର୍ଭର, ଷ୍ଟୋରେଜ୍ ଓ ନେଟୱର୍କ ଭଳି ହାର୍ଡୱେର ଏବଂ ସଫ୍ଟୱେର ରିସୋର୍ସଗୁଡ଼ିକୁ ଏକ ସାଧାରଣ ଶେୟାର୍ଡ ସିଷ୍ଟମ୍ରେ ଏକାଠି କରାଯାଏ। ପରେ ଆବଶ୍ୟକତା ଅନୁଯାୟୀ ଏହି ସୋର୍ସଗୁଡ଼ିକୁ ବିଭିନ୍ନ ୟୁଜର କିମ୍ବା ଆପ୍ଲିକେସନ୍କୁ ଡାଇନାମିକ୍ ଭାବେ ବଣ୍ଟନ କରାଯାଏ।

ବଦଳିପାରେ ସଫ୍ଟୱେର ତିଆରିର ଧାରା

ମେମୋରି ସଙ୍କଟର ଆଉ ଏକ ଦୀର୍ଘମିଆଦୀ ପ୍ରଭାବ ସଫ୍ଟୱେର ଡେଭେଲପମେଣ୍ଟ ଉପରେ ପଡ଼ିପାରେ। ଶ୍ରୀଧର ଭେମ୍ବୁଙ୍କ କହିଥିବା ଅନୁସାରେ, ଦୀର୍ଘ ସମୟ ଧରି ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ ଓ ସଫ୍ଟୱେର ତିଆରିରେ ମେମୋରିକୁ ପ୍ରାୟ ଫ୍ରି ସୋର୍ସ ଭାବେ ଧରାଯାଉଥିଲା। ଏବେ ସେହି ଯୁଗ ଶେଷ ହେବାକୁ ଯାଉଛି। ବିଶାଲ ସିରୋହିଙ୍କ ମତରେ, ଏହା ସଫ୍ଟୱେର ଶିଳ୍ପରେ ଗତ ଦୁଇ ଦଶନ୍ଧିର ସବୁଠାରୁ ବଡ଼ ପରିବର୍ତ୍ତନ ଆଣିପାରେ। ଡେଭେଲପରଙ୍କ ସୁବିଧା ପାଇଁ ଅଧିକ ମେମୋରି ବ୍ୟବହାର କରୁଥିବା ଲାଙ୍ଗୁଏଜ୍ ଓ ଫ୍ରେମୱାର୍କ ବଦଳରେ ଭବିଷ୍ୟତରେ ମେମୋରି ଏଫିସିଏନ୍ସି ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ।

କେବେ ଶେଷ ହେବ RAM ସଙ୍କଟ?

ମେମୋରି ଦାମ କେବେ କମିବ, ତାହା ନେଇ ଏବେ ସ୍ପଷ୍ଟ ଉତ୍ତର ନାହିଁ। ତପନ ଆଚାର୍ଯ୍ୟଙ୍କ ମତରେ, ଯେଉଁମାନେ ନିଶ୍ଚିତ ଭାବେ ଏହାର ସମୟସୀମା କହୁଛନ୍ତି, ସେମାନଙ୍କ ପ୍ରତି ସତର୍କ ରହିବା ଉଚିତ।

ତାଙ୍କ କହିବା ଅନୁସାରେ ଆଗକୁ ଦୁଇଟି ସମ୍ଭାବନା ରହିଛି। ପ୍ରଥମତଃ, ଏଆଇ ଭିତ୍ତିଭୂମିର ଚାହିଦା ଏଭଳି ବଢ଼ି ଚାଲିଲେ ମେମୋରି ଦୀର୍ଘ ସମୟ ଧରି ଅଭାବରେ ରହିପାରେ ଏବଂ ଦାମ ଆହୁରି ବଢ଼ିପାରେ। ଶିଳ୍ପର କେତେକ ଲୋକଙ୍କ ମତରେ ଏହି ପରିସ୍ଥିତି ୨୦୩୦ ପରେ ମଧ୍ୟ ଜାରି ରହିପାରେ।

ତେବେ କନସିଷ୍ଟେଣ୍ଟ ଇନଫୋସିଷ୍ଟମର ଯୋଗେଶ ଅଗ୍ରୱାଲଙ୍କ ମତ ଆହୁରି ଚିନ୍ତାଜନକ। ତାଙ୍କ କହିବା ଅନୁସାରେ, ମେମୋରି ଦାମ ଏବେ ମଧ୍ୟ ଉଚ୍ଚ ସ୍ତରରେ ରହିଛି ଏବଂ ନିକଟ ଭବିଷ୍ୟତରେ ଏହା ଆହୁରି ବଢିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ତେଣୁ ରାମ ସଙ୍କଟ କେବେ ଶେଷ ହେବ, ତାହାର ନିଶ୍ଚିତ ସମୟସୀମା ଏବେ କହିବା କଷ୍ଟକର।