ନୂଆଦିଲ୍ଲୀ, ୦୬/୧୦:ଦିଲ୍ଲୀରେ ଜୋର୍ ଧରିଛି ସିଇସି ଜ୍ଞାନେଶ କୁମାର ହଟାଓ ରାଜନୀତି । ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ୱାଇଛନ୍ତି ଇଣ୍ଡିଆ ମେଣ୍ଟରେ ଥିବା ବିରୋଧୀ ଦଳ । ସେମାନେ ଜ୍ଞାନେଶ କୁମାରଙ୍କ ବିରୋଧରେ ନାରାବାଜି କରିବା ସହ ପଦଯାତ୍ରା କରିଛନ୍ତି । ଯାହାକୁ ନେଇ ପୋଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି ।

ଇଣ୍ଡିଆ ବ୍ଲକର ୧୪୦ରୁ ଅଧିକ ସାଂସଦ ଏସଆଇଆର ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ସଂସଦରୁ ରାସ୍ତା ଯାଏଁ ଶୋଭାଯାତ୍ରା କରିଛନ୍ତି । ଇଣ୍ଡିଆ ମେଣ୍ଟର ସାଂସଦମାନେ ସଂସଦ ଭବନରୁ ବାହାରି ନିର୍ବାଚନ ସଦନ ଅଭିମୁଖେ ଯାତ୍ରା କରିଛନ୍ତି । ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଟିଏମସି ସାଂସଦ ଅଭିଷେକ ବାନାର୍ଜୀ, ଡେରେକ୍ ଓ ବ୍ରାଏନ୍ ଆଦିଙ୍କୁ ପୋଲିସ ଅଟକ ରଖିଛି ।

ସେହିପରି ରାହୁଲ ଗାନ୍ଧୀ ଆକାଶବାଣୀ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କୁ ପ୍ରବେଶ ଅନୁମତି ମିଳିନଥିଲା । ଏହି ଆକାଶବାଣୀ ଭବନ ରାସ୍ତା ଦେଇ ସେ ନିର୍ବାଚନ ସଦନ ଯାଇଥାନ୍ତେ । କିନ୍ତୁ ତାଙ୍କୁ ଫାଟକ ପାଖରେ ଅଟକ ରଖାଯାଇଛି ।

ଅନ୍ୟ ଦିଗରେ ଦିଲ୍ଲୀ ପୋଲିସ ଆକାଶବାଣୀ ଭବନର ପଛ ଗେଟ୍ ନିକଟରେ ବ୍ୟାରିକେଡ୍ ଲଗାଇଥିଲା । ଫଳରେ ନିର୍ବାଚନ ସଦନକୁ ଯାଉଥିବା ରାସ୍ତା ବନ୍ଦ କରାଯାଇଥିଲା । ଏହି ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏତତ୍ ବ୍ୟତୀତ ସପା ନେତା ଅଖିଲେଶ ଯାଦବ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ସେ ନିର୍ବାଚନ ଆୟୋଗଙ୍କ ଉପରେ ଭୋଟ୍ ଚୋରି ଅଭିଯୋଗ ଆଣିଛନ୍ତି । ପଶ୍ଚିମବଙ୍ଗରେ ବିଜେପି ଭୋଟ୍ ଚୋରି କରି ବିଜୟୀ ହୋଇଥିବା ସେ ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ଏହି ଶୋଭୟାତ୍ରାରେ ଅନେକ ଦଳ ସାମିଲ ହୋଇଛନ୍ତି ।

Also Read :- ଜ୍ଞାନେଶଙ୍କ ବିରୋଧରେ ଆନ୍ଦୋଳନକୁ ବିଜେଡିର ସମର୍ଥନ, ନବୀନଙ୍କ ନିଷ୍ପତ୍ତିକୁ ନେଇ ରବି ଦାସଙ୍କ ବଡ଼ ବୟାନ

ବିରୋଧ ପ୍ରଦର୍ଶନ ବେଳେ ରାହୁଲ ପୋଲିସ ବ୍ୟାରିକେଡ୍ ଚଢି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାସହ ବିଜେପି ଭୟରେ ଅଛି । ଉପ ନିର୍ବାଚନରେ ମଧ୍ୟ ଭୋଟ୍ ଚୋରି ହେଉଥିବା ସେ ଅଭିଯୋଗ ଆଣିଛନ୍ତି ।