ନୂଆଦିଲ୍ଲୀ: ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା ଦେଇଛନ୍ତି। ସେ ପରମାଣୁ ଅସ୍ତ୍ରଶସ୍ତ୍ରକୁ ନେଇ ଟ୍ରମ୍ପଙ୍କ ସହ କୌଣସି ଆଲୋଚନାକୁ ସ୍ପଷ୍ଟ ମନା କରିଦେଇଛନ୍ତି। ଅନ୍ତର୍ଜାତୀୟ କୂଟନୀତିରେ ଏହାକୁ ଏକ ପ୍ରକାରର ଅପମାନ ବୋଲି ଏବେ ବୁଝା ଯାଉଛି। ଆମେରିକୀୟ ସମ୍ବାଦପତ୍ର ‘ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ’ ଏ ବାବଦେ ସୂଚନା ଦେଇଛି। ରିପୋର୍ଟ ଅନୁସାରେ ଟ୍ରମ୍ପ ଗତ ଏକ ବର୍ଷରେ କିମ ଜୋଙ୍ଗଙ୍କ ସହ ସମ୍ପର୍କ ସ୍ଥାପନା କରିବାକୁ ଅନେକବାର ଉଦ୍ୟମ କରିଛନ୍ତି, ହେଲେ ଏଥିରୁ କୌଣସି ଫଳ ମିଳି ନାହିଁ।

ଟ୍ରମ୍ପ ଏଥି ପାଇଁ ଟେଲିଫୋନ କରିବାଠୁ ଆରମ୍ଭ କରି ଜାତିସଂଘରେ ଥିବା ଉତ୍ତର କୋରିଆ ମିସନ ମାଧ୍ୟମରେ ବ୍ୟକ୍ତିଗତ ଚିଠି ପଠାଇବା ପର୍ଯ୍ୟନ୍ତ ଅନେକ ଉଦ୍ୟମ କରିଛନ୍ତି। ହେଲେ କିମ୍ ତାଙ୍କ ସହ କଥା ହେଉ ନାହାନ୍ତି। ଆମେରିକା ରାଷ୍ଟ୍ରପତି ଗତ ସପ୍ତାହରେ ଏସିଆ ଟୁରରେ ଆସିଥିବା ବେଳେ କିମ୍ ଙ୍କ ସହ ସମ୍ପର୍କ କରିବାକୁ ଉଦ୍ୟମ କରିଥିଲେ। ଫିଲପାଇନ୍ସ ରେ କ୍ୱାଡ ସମ୍ମିଳନୀରେ ଯୋଗ ଦେବା ପରେ ଚୀନ୍ ଯାତ୍ରା କାଳରେ ଆମେରିକୀୟ ଅଧିକାରୀ ଟ୍ରମ୍ପ ଓ କିମ୍ ଙ୍କୁ ସାମ୍ନାସାମ୍ନି କଥାବାର୍ତ୍ତା କରାଇବାର ଉଦ୍ୟମ ମଧ୍ୟ କରିଥିଲେ। ହେଲେ ଉତ୍ତର କୋରିଆ ନେତା ଟ୍ରମ୍ପଙ୍କୁ ଭାଉ ଦେଇନଥିଲେ। ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପଙ୍କୁ ଭେଟିବା ପାଇଁ ଉତ୍ତର କୋରିଆ ଏପରି ଅନେକ ସର୍ତ୍ତ ରଖିଛି ଯାହାକୁ ଆମେରିକା ସ୍ୱୀକାର କରିପାରି ନାହିଁ।

ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ଅନୁସାରେ ଯେତେବେଳେ ଟ୍ରମ୍ପ ପାରମ୍ପରିକ ରାସ୍ତା ଟେଲିଫୋନ ମାଧ୍ୟମରେ କିମ୍ ଙ୍କ ପର୍ଯ୍ୟନ୍ତ ପହଞ୍ଚି ନ ପାରିଲେ ସେତେବେଳେ ନ୍ୟୁୟର୍କରେ ଥିବା ଉତ୍ତର କୋରିଆ ମିସନ ମାଧ୍ୟମରେ କିମ୍ ଙ୍କୁ ଏକ ବ୍ୟକ୍ତିଗତ ପତ୍ର ପଠାଇଥିଲେ। ଏହି ସମୟରେ ଆମେରିକୀୟ ଅଧିକାରୀମାନେ କିଛି ନୂଆ ପ୍ରସ୍ତାବ ଦେଇଥିଲେ, ଯାହାଦ୍ୱାରା ପୁଣି ଥରେ କୂଟନୈତିକ ରାସ୍ତା ଖୋଲି ପାରିବ। ଏହି ପ୍ରସ୍ତାବରେ ଏପରି ଭାଷା ବ୍ୟବହାର କରାଯାଇଥିଲା ଯେପରି କିମ୍ ଅସନ୍ତୁଷ୍ଟ ନ ହୁଅନ୍ତି। ଏଥିରେ ତାଙ୍କୁ ତୁରନ୍ତ ପରମାଣୁ ଅସ୍ତ୍ରଶସ୍ତ୍ର ନଷ୍ଟ କରିବାକୁ ମଧ୍ୟ କୁହାଯାଇନଥିଲା। ଏହା ସତ୍ତ୍ୱେ ଉତ୍ତର କୋରିଆ କୌଣସି ଜବାବ ଦେଇ ନାହିଁ।

ଏହା ପୂର୍ବରୁ ଟ୍ରମ୍ପ ଓ କିମ୍ ୨୦୧୮ ମସିହାରେ ସିଙ୍ଗାପୁର ଓ ୨୦୧୯ ମସିହାରେ ହନୋଇରେ ସାକ୍ଷାତ କରିଥିଲେ। ଫେବୃଆରୀ ୨୦୧୯ରେ ହନୋଇ ବାର୍ତ୍ତା ବିନା କୌଣସି ଫଳାଫଳରେ ଶେଷ ହୋଇଥିଲା। ଏହା ପଛରେ ପରମାଣୁ ନିରସ୍ତ୍ରିକରଣ ଲାଗି ଆମେରିକାର ସର୍ତ୍ତ ଥିଲା। ହନୋଇ ଶିଖର ସମ୍ମିଳନୀରେ ଉତ୍ତର କୋରିଆ ନିଜର ମୁଖ୍ୟ ‘ୟୋଙ୍ଗବ୍ୟୋଁ’ ପରମାଣୁ କେନ୍ଦ୍ରକୁ ନଷ୍ଟ କରିବା ବଦଳେ ଯୁକ୍ତରାଷ୍ଟ୍ରର ସମସ୍ତ ମୁଖ୍ୟ କଟକଣା ହଟାଇବାକୁ ଦାବି କରିଥିଲା। ଏଥିରେ ଆମେରିକା ଆଂଶିକ ପରମାଣୁ ହ୍ରାସ ବଦଳେ ସମ୍ପୂର୍ଣ୍ଣ କଟକଣା ପ୍ରତ୍ୟାହାର ବହୁତ ବଡ଼ ରିହାତି ହେବ ବୋଲି କହିଥିଲା। କାରଣ ଉତ୍ତର କୋରିଆ ନିକଟରେ ଅନେକ ଗୋପନ ପରମାଣୁ ଆଡ୍ଡା ଓ ମିଜାଇଲ ମଧ୍ୟ ବଳକା ହେଉଥିଲା। ଏବେ ଆମେରିକା ଓ ଉତ୍ତରକୋରିଆ ମଧ୍ୟରେ ଆଲୋଚନା ବନ୍ଦ ହୋଇଯାଇଛି ଓ କିମ୍ ଙ୍କ ଏହି ଆଭିମୁଖ୍ୟ ଟ୍ରମ୍ପଙ୍କୁ ଝଟକା ଦେଇଛି।