ଭୁବନେଶ୍ଵର: ଏସଆଇଆର ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟ ଏବଂ ସାରା ଦେଶରୁ ୧୩ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କ ନାମ କଟା ପ୍ରସଙ୍ଗକୁ ନେଇ ବିରୋଧୀଦଳଗୁଡ଼ିକ ପକ୍ଷରୁ ଆଜି ବିରୋଧ ପଦଯାତ୍ରାରେ ସାମିଲ ହୋଇଛି ବିଜେଡି । ଇଣ୍ଡିଆ ମେଣ୍ଟ ରାଲିକୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ। ଜନମତକୁ ନବୀନ ସର୍ବଦା ଗୁରୁତ୍ଵ ଦେଉଥିବା ସେ କହିଛନ୍ତି।

ଜନମତ ଯେଉଁ ଦିଗରେ ନବୀନ ସେ ଦିଗରେ

ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ରବି ଦାସ କହିଛନ୍ତି, ନବୀନ ପଟ୍ଟନାୟକ ସବୁବେଳେ ଜନମତକୁ ଗୁରୁତ୍ୱ ଦିଅନ୍ତି ଏବଂ ଜନମତ ଯେଉଁ ଦିଗରେ ଥାଏ, ସେହି ଦିଗରେ ହିଁ ବିଜେଡି ଆଗକୁ ବଢ଼ିଥାଏ। ନବୀନ ପଟ୍ଟନାୟକ ନିଜେ କୌଣସି "ଟ୍ରେଣ୍ଡ୍" ସେଟ୍ କରନ୍ତି ନାହିଁ, ବରଂ ଜନସାଧାରଣଙ୍କ ମନୋଭାବ ଏବଂ ଟ୍ରେଣ୍ଡ୍ ସହ ରହିବାକୁ ପସନ୍ଦ କରନ୍ତି। ଜ୍ଞାନେଶ କୁମାରଙ୍କ ବିରୋଧରେ ଜନମତ ପ୍ରବଳ ହେଉଥିବାରୁ ଏବଂ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠୁଥିବାରୁ। ବିଜେଡି ଏହି ଆନ୍ଦୋଳନକୁ ସମର୍ଥନ କରିବା ନିଷ୍ପତ୍ତି ନେଇଛି।

Also Read: ବଦଳିଲା ବିଜେଡିର ଗଣିତ, ବିରୋଧୀ ଦଳ ସହ ମିଶାଇଲା ହାତ, SIR ପ୍ରସଙ୍ଗରେ ଦିଲ୍ଲୀରେ କରିବ ପଦଯାତ୍ରା

ଆନ୍ନା ହଜାରେଙ୍କୁ ଦେଇଥିଲେ ସମର୍ଥନ

ସେ ଏହା ମଧ୍ୟ କହିଛନ୍ତି, ​ପୂର୍ବରୁ ମଧ୍ୟ ଆନ୍ନା ହଜାରେଙ୍କ ଆନ୍ଦୋଳନ ଏବଂ ଲୋକାୟୁକ୍ତ ବିଲ୍ ଭଳି ପ୍ରସଙ୍ଗରେ ମଧ୍ୟ ବିଜେଡି ଜନମତ ସହ ରହି ନିଜର ସମର୍ଥନ ଜଣାଇଥିଲା। ଇଣ୍ଡିଆ ମେଣ୍ଟରେ ନଥିବା ଅନେକ ଦଳ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ତେଣୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କ ମଧ୍ୟରେ ଏକମତ ଦେଖାଦେଇଥିବା ବେଳେ ବିଜେଡି ମଧ୍ୟ ଏହି ମତ ସହ ସହମତ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ସିଇସି ଜ୍ଞାନେଶ କୁମାରଙ୍କ ଆୟୋଗରେ ମନମୁଖୀ କାର୍ଯ୍ୟ, ଏକତରଫା ନିଷ୍ପତ୍ତି ଏବଂ ଏସଆଇଆରରେ ବ୍ୟାପକ ତ୍ରୁଟି ଅଭିଯୋଗକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ସୁପ୍ରିମକୋର୍ଟ ଏ ସଂପର୍କିତ ମାମଲାରେ ସଂପୃକ୍ତ ସମସ୍ତ ପକ୍ଷ ଯେପରିକି ନିର୍ବାଚନ ଆୟୁକ୍ତ, କେନ୍ଦ୍ର ସରକାର, ଉପ ନିର୍ବାଚନ ଆୟୁକ୍ତଙ୍କୁ ନୋଟିସ୍ ଜାରି କରିଛି। ଏହି ଘଟଣାକୁ ନେଇ ଏବେ ପୂରା ଦେଶ ହୁଲସ୍ତୁଲ। ସବୁ ବିରୋଧୀ ଦଳ ଜ୍ଞାନେଶ କୁମାରଙ୍କ ପଦଚ୍ୟୁତ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଉ ବିରୋଧୀଙ୍କ ଏହି ଆନ୍ଦୋଳନରେ ନିଜକୁ ସାମିଲ୍ କରିଛି ବିଜେଡି।