ନୂଆଦିଲ୍ଲୀ, ୨୨।୧୧ : ଟେଷ୍ଟ୍ ସିରିଜର ପ୍ରଥମ ମୁକାବିଲାରେ ଦମଦାର ସ୍ଥିତିରେ ରହିଛି ଭାରତ । ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଦବଦବା ଜାହିର କରିଛି । ମୁକାବିଲାରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨ ଓ୍ୱିକେଟ୍ ହରାଇ ୧୧୯ ରନ୍ କରିଛି । ଡେଭନ୍ କନଓ୍ୱେ ୫୯ ଏବଂ ରଚୀନ ରବୀନ୍ଦ୍ର ୨୭ ରନରେ ନଟଆଉଟ୍ ରହିଛନ୍ତି । ତଥାପି ଦଳ ଭାରତଠୁ ୨୩୩ ରନ୍ ପଛରେ ରହିଛି । ଏହାସହ ପରାଜୟ ଏଡାଇବାକୁ ଚେଷ୍ଟା କରୁଛି । ଭାରତକୁ ବିଜୟ ପାଇଁ ଆଉ ୮ ଓ୍ୱିକେଟ୍ ଦରକାର ରହିଛି ।

Also Read :- ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବଡ଼ ରେକର୍ଡ : '୭' ପାର୍ଟନରସିପରେ ପ୍ରଥମ ଥର ଐତିହାସିକ ମାଇଲଷ୍ଟୋନ୍

ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୭୨୦ ରନର ବିଶାଳ ସ୍କୋର ଛିଡା କରିଛି । ପ୍ରଥମ ପାଳି ଆଧାରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩୫୨ ରନରେ ଆଗୁଆ ରହିଥିଲା । ମ୍ୟାଚରେ ଶୁଭମନ୍ ଗିଲ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଯାହା ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । କିଓ୍ୱି ଟିମ୍ ପ୍ରଥମ ପାଳିରେ ୩୬୮ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଦ୍ୱିତୀୟ ପାଳିରେ କିଓ୍ୱି ଟିମର ଆରମ୍ଭ ଅତି ଖରାପ ଥିଲା । ଜସପ୍ରିତ ବୁମରା ଇନିଂସର ଦ୍ୱିତୀୟ ବଲରେ ଅଧିନାୟକ ଟମ୍ ଲାଥମଙ୍କୁ ଆଉଟ୍ କରିଥିଲେ । ସେ ଖାତା ଖୋଲିପାରିନଥିଲେ । ଏହାପରେ କନଓ୍ୱେ ଏବଂ ହେନରୀ ନିକୋଲାସ ସ୍ଥିତି ସମ୍ଭାଳି ୬୦ ରନର ପାର୍ଟନରସିପ୍ କରିଥିଲେ । ଏହାପରେ ହେନରୀଙ୍କୁ ୩୧ ରନରେ ପ୍ରସିଦ୍ଧ କ୍ରିଷ୍ଣା ଆଉଟ୍ କରିଥିଲେ । କିନ୍ତୁ ରଚୀନ ଏବଂ କନଓ୍ୱେ ଆଉ ଓ୍ୱିକେଟ୍ ହରାଇବାକୁ ଦେଇନଥିଲେ ।

ଭାରତର ପ୍ରଥମ ପାଳି

ଦ୍ଵିତୀୟ ଦିନ ଅସମାପ୍ତ ଖେଳ ୧୫୯/୧ରୁ ଭାରତ ନିଜର ତୃତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ କେଏଲ ରାହୁଲ ୫୨ ରନ ଓ ଦେବଦତ୍ତ ପାଡିକଲ ୧୬ ରନ କରି ଅପରାଜିତ ଥିଲେ। ଉଭୟ ବ୍ୟାଟର ତୃତୀୟ ଦିନରେ କିଓ୍ଵି ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଏହି କ୍ରମରେ ପାଡିକଲ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୬୫ ରନର ଯୋଡ଼ି ଭାରତର ସ୍ଥିତି ଆହୁରି ମଜବୁତ କରିଥିଲେ।ଦଳୀୟ ସ୍କୋର ୨୯୫ରେ ପାଡିକଲ ୮୦ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଇନିଂସକୁ ଆଗକୁ ବଢାଇଥିଲେ କେଏଲ ରାହୁଲ ଓ ଅଧିନାୟକ ଶୁଭମନ ଗିଲ୍। ରାହୁଲ ନିଜର ଟେଷ୍ଟ କ୍ୟାରିୟରରେ ୧୩ତମ ଶତକ ହାସଲ କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ଭାଗିଦାରୀରେ ୯୧ ରନ ଯୋଡ଼ିଥିଲେ। କେଏଲ ରାହୁଲ ୯ ଚୌକା ଓ ୨ ଛକା ବଳରେ ୧୩୬ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ଗିଲ୍ ଓ ଋଷଭ ପନ୍ତ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ୧୦୦ ରନ ଯୋଡ଼ିବା ସହ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଦିନର ଶେଷ ଓଭରରେ ଗିଲ୍ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଦେଇଛି। ଗିଲ୍ ୯୮ ରନ କରି ଆଉଟ୍ ହେବା ସହ ଶତକରୁ ବଞ୍ଚିତ ହୋଇଥିଲେ। ଏହିପରି ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୪ ଓ୍ଵିକେଟ୍ ହରାଇ ୪୮୬ ରନ କରିଥିଲା।ପନ୍ତ ଦିନିକିଆ ଶୈଳୀରେ ବ୍ୟାଟିଂ କରି ୬୨ ବଲରୁ ୫ ଚୌକା ଓ ୨ ଛକା ସହ ୫୫ ରନ କରି ଅପରାଜିତ ରହିଥିଲେ।

ତେବେ ଚତୁର୍ଥ ଦିନରେ ପନ୍ତ ଶତକ ହାସଲ କରିଥିଲେ । ତାଙ୍କ ସହ ଧୃବ ଜୁରେଲ ମଧ୍ୟ ଅର୍ଧଶତକୀୟ ପାଳି ଖେଳିଥିଲେ । ଫଳରେ ଦଳ୯ ଓ୍ୱିକେଟ୍ ହାରଇ ୭୨୦ ରନର ବିଶାଳ ସ୍କୋର କରିପାରିଥିଲା ।