ନୂଆଦିଲ୍ଲୀ: ବ୍ରିଟେନର ସନ୍ତରଣକାରୀ ଏବଂ  ଜାତିସଂଘର ‘ପାଟ୍ରୋନ୍ ଅଫ୍ ଦି ଓସେନ୍ସ’ ଲୁଇସ୍ ପଗ୍ ହର୍ମୁଜ୍ ପ୍ରଣାଳୀରେ ତିନି ଦିନ ଧରି ୧୫ କିଲୋମିଟର ପର୍ଯ୍ୟନ୍ତ ପହଁରି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ନଭେମ୍ବର ୨୧ ରେ ନିଜର ଏହି ଅଭିଯାନ ଶେଷ କରିବା ପରେ ସେ ଚାଲିଥିବା ଯୁଦ୍ଧ ଯୋଗୁଁ ହେଉଥିବା ଭୟାବହ ପରିବେଶଗତ କ୍ଷତି ବିଷୟରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ତୁରନ୍ତ ପୁନଃଖୋଲିବା ସହ ସମୁଦ୍ରରେ ଜମା ହୋଇଥିବା ପ୍ରଦୂଷଣକୁ ସଫା କରିବା ପାଇଁ ସେ ନିବେଦନ କରିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ, ସୁରକ୍ଷିତ ଭାବରେ ପହଁରିବା ଏବଂ ମାଛ ଧରିବା ଯୋଗ୍ୟ ସ୍ୱଚ୍ଛ ଜଳରାଶି ପାଇଁ ସଚେତନତା ସୃଷ୍ଟି କରିବାକୁ ୫୬ ବର୍ଷୀୟ ପଗ୍ ଏହା ପୂର୍ବରୁ ଆଣ୍ଟାର୍କଟିକା, ଉତ୍ତର ମେରୁ ଏବଂ ଲୋହିତ ସାଗର ଭଳି ବିପଦପୂର୍ଣ୍ଣ ସ୍ଥାନରେ ମଧ୍ୟ ପହଁରି ସାରିଛନ୍ତି।   ଗତ ସପ୍ତାହରେ ତିନି ଦିନ ଧରି ଓମାନର ଉପକୂଳବର୍ତ୍ତୀ ହର୍ମୁଜ୍ ପ୍ରଣାଳୀର ବିଭିନ୍ନ ଅଂଶରେ ପଗ୍ ପ୍ରାୟ ସାଢ଼େ ଛଅ ଘଣ୍ଟା ଧରି ପହଁରି ନିଜର ବାର୍ତ୍ତା ପ୍ରଚାର କରିଥିଲେ। ସୋମବାର ଦିନ ସେ ପାଣିରେ ପଶିବାର ମାତ୍ର ଅଧ ଘଣ୍ଟା ପରେ ତାଙ୍କଠାରୁ ମାତ୍ର କିଛି କିଲୋମିଟର ଦୂରରେ ଏକ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା ଏବଂ ଏହାର ପ୍ରଚଣ୍ଡ ବିସ୍ଫୋରଣରେ ସମୁଦ୍ର ଥରି ଉଠିଥିଲା। ତାଙ୍କର ଏହି ତିନି ଦିନିଆ ଅଭିଯାନ ସମୟରେ ଅନ୍ୟ କେତେକ ବାଣିଜ୍ୟିକ ଜାହାଜ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।

ଓମାନର ମୁସାନ୍ଦାମ ଉପଦ୍ୱୀପରୁ ଯାତ୍ରା ଆରମ୍ଭ କରି ସେ କେପ୍ ଅଫ୍ ହର୍ମୁଜର କିଛି ଅଂଶ ଅତିକ୍ରମ କରି ମୋଟ ୧୫ କିଲୋମିଟର ପଥ ପହଁରିଥିଲେ। ସବୁଠାରୁ ସଂକୀର୍ଣ୍ଣ ସ୍ଥାନରେ ମାତ୍ର ୩୯ କିଲୋମିଟର ଚଉଡ଼ା ବିଶିଷ୍ଟ ଏହି ପ୍ରଣାଳୀର ଅନ୍ୟ ପାର୍ଶ୍ୱରେ ଇରାନ ଅବସ୍ଥିତ।   ଲୁଇସ୍ ପଗଙ୍କ ଦୃଷ୍ଟିରେ ହର୍ମୁଜ୍ ପ୍ରଣାଳୀ କେବଳ ଏକ ରଣନୈତିକ ବାଣିଜ୍ୟିକ ଜଳପଥ ନୁହେଁ, ବରଂ ଏହା ଏକ ଅତ୍ୟନ୍ତ ସୁନ୍ଦର ସାମୁଦ୍ରିକ ପରିବେଶ Ecosystem । ଯେଉଁଠି ବିରଳ ଜଳଜୀବ ବାସ କରନ୍ତି। ନିଜ ୱେବସାଇଟରେ ସେ ଲେଖିଛନ୍ତି ଯେ, ପ୍ରତିଦିନ ତୈଳ ଟ୍ୟାଙ୍କର, ଗ୍ୟାସ ବାହୀ ଜାହାଜ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପୋତଗୁଡ଼ିକ ଉପରେ ଆକ୍ରମଣ ହେଉଛି ।  ଏହାର ପରିବେଶଗତ କୁପ୍ରଭାବ ଆଗାମୀ ଅନେକ ପିଢ଼ି ପର୍ଯ୍ୟନ୍ତ ରହିବ। 

ସମୁଦ୍ରରେ ତେଲ ଏବଂ ରାସାୟନିକ ପଦାର୍ଥ ମିଶିବା ଦ୍ୱାରା ପ୍ରବାଳ ପାଚେରୀ  ଏବଂ ହେନ୍ତାଳ ବନ ନଷ୍ଟ ହେବାର ଆଶଙ୍କା ରହିଛି।   ଅଭିଯାନ ଶେଷରେ ପଗ୍ ଏକ ଭାବପ୍ରବଣ ବାର୍ତ୍ତା ଦେଇ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ସେ ଦେଖିଥିବା ବିଶ୍ୱର ସବୁଠାରୁ ସୁନ୍ଦର ପ୍ରାକୃତିକ ବିସ୍ମୟଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ଜଳରାଶିରେ ଡଲଫିନ୍, ସାମୁଦ୍ରିକ କଇଁଛ ଏବଂ ବିରଳ ଡୁଗଙ୍ଗ୍ ବାସ କରନ୍ତି। ସେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦାବି ଯୁଦ୍ଧ ବନ୍ଦ କରନ୍ତୁ, ହର୍ମୁଜ୍ ପ୍ରଣାଳୀ ଖୋଲନ୍ତୁ ଏବଂ ସମୁଦ୍ରର ପ୍ରଦୂଷଣ ସଫା କରନ୍ତୁ ରଖିଛନ୍ତି।