ଇନ୍ଦୋର: ଅନ୍ୟ ଦେଶ ତୁଳନାରେ ଭାରତରେ ତେଲ ଦର ଅଳ୍ପ ବଢ଼ିଛି। କେନ୍ଦ୍ର ସରକାରଙ୍କର ଦୂର ଦୃଷ୍ଟି ଯୋଗୁ ଆମ ଦେଶର ସ୍ଥିତି ଭଲ ରହିଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ। ରବିବାର ମଧ୍ୟପ୍ରଦେଶ ଇନ୍ଦୋରରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଲା ବେଳେ ପୁରୀ କହିଛନ୍ତି ଯେ ଭାରତରେ ଗତ ୪ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ମାତ୍ର ୭ ପ୍ରତିଶତ ବଢ଼ିଛି। ହେଲେ ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ଏହି ସମୟ ମଧ୍ୟରେ ଇନ୍ଧନ ଦର ପ୍ରାୟ ୫୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ରିପୋର୍ଟରଙ୍କୁ ପ୍ରତିକ୍ରିୟା ଦେଇ ପୁରୀ କହିଛନ୍ତି “ଭାରତ ବିଶ୍ୱସ୍ତରରେ ଏକ ଅନନ୍ୟ ଉଦାହରଣ। ପ୍ରଧାନମନ୍ତ୍ରୀଙ୍କର ସକ୍ରିୟ ନୀତି ଯୋଗୁ ନଭେମ୍ବର ୨୦୨୧, ମେ ୨୦୨୨ ଏବଂ ୧୦ ମାର୍ଚ୍ଚ ୨୦୨୬ରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କକୁ ୩ ଥର ହ୍ରାସ କରାଯାଇଛି। ଫଳରେ ଦର ବୃଦ୍ଧି ହୋଇ ନାହିଁ। ବାସ୍ତବରେ, ଯଦି ଆମେ ୪ ବର୍ଷର ଅବଧିକୁ ବିଚାରକୁ ନେବା, ତେବେ ଭାରତରେ ଦର ବରଂ ହ୍ରାସ ପାଇଛି। ଅନ୍ୟପକ୍ଷରେ, ବିଶ୍ୱର ଅନ୍ୟ ସ୍ଥାନଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ଦର ୫୦-୭୦% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଭାରତରେ ଏହା ମାତ୍ର ୭% ବୃଦ୍ଧି ପାଇଛି।”

Also Read- ସୁନା ୬୫ ହଜାର ଟଙ୍କା ଶସ୍ତା ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ବେପାରୀ ସଂଗଠନ: କହିଲା, ମୋଦୀ ବଞ୍ଚାଇ ଦେଲେ

ଏଥିପାଇଁ କେନ୍ଦ୍ର ସରକାରଙ୍କ ସଠିକ ନୀତି ଓ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର ଭୂମିକାକୁ ବି ପ୍ରଶଂସା କରିଛନ୍ତି। ମନ୍ତ୍ରୀ କହିଛନ୍ତି ତୈଳ ବିପଣନ କମ୍ପାନୀ BPCL, IOCL ଏବଂ HPCL ଗ୍ରାହକଙ୍କ ଉପରେ ସମ୍ପୂର୍ଣ୍ଣ ଆର୍ଥିକ ବୋଝ ନ ପକାଇ ନିଜେ ବହୁ କ୍ଷତି ସହିଛନ୍ତି। ଏହି କମ୍ପାନୀଗୁଡ଼ିକ ଘାଟାରେ କାରବାର କରି ମଧ୍ୟ ଗ୍ରାହକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ଦେଶରେ ଏଲ୍‌ପିଜିର କୌଣସି ଅଭାବ ନାହିଁ

ଦେଶରେ ଏଲ୍‌ପିଜି ଗ୍ୟାସର ଅଭାବ ନେଇ ହେଉଥିବା ପ୍ରଚାରକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଭାରତର ଏଲ୍‌ପିଜି ଉତ୍ପାଦନ ଦୈନିକ ୩୪ ହଜାର ମେଟ୍ରିକ୍ ଟନରୁ ବୃଦ୍ଧି ପାଇ ୫୫ ହଜାର ମେଟ୍ରିକ୍ ଟନରେ ପହଞ୍ଚିଥିବା ସେ କହିଛନ୍ତି। ସେହିପରି ଦେଶର ୧ ଲକ୍ଷ ୭ ହଜାର ଖୁଚୁରା ବିକ୍ରୟ କେନ୍ଦ୍ରରେ ଏଲପିଜି ଯୋଗାଣ ନିରବଚ୍ଛିନ୍ନ ରହିଛି। କେଉଁଠି ମଧ୍ୟ ଗ୍ୟାସ୍ ଯୋଗାଣ ବନ୍ଦ ହୋଇ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସଂସଦର ଗତ ଅଧିବେଶନ ସମୟରେ କିଛି ରାଜନୈତିକ ବିରୋଧୀ ଗ୍ୟାସ୍ ସିଲିଣ୍ଡର ଅଭାବ ନେଇ ଗୁଜବ ପ୍ରଚାର କରିଥିଲେ ବୋଲି ପୁରୀ କହିଛନ୍ତି।

ତେବେ ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଯୁଦ୍ଧ ଓ ଭୂରାଜନୈତିକ ଉତ୍ତେଜନା ଯୋଗୁ ତୈଳ ବଜାରରେ ଏବେ ମଧ୍ୟ ଚ୍ୟାଲେଞ୍ଜ ରହିଥିବା ପୁରୀ ସ୍ୱୀକାର କରିଛନ୍ତି। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବାବେଳେ ଇରାନ୍, ଆମେରିକା ଓ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ମଧ୍ୟ ରହିଛି। ଏହି ସବୁ ପରିସ୍ଥିତି ଶାନ୍ତ ହେବା ସହ ଅଶୋଧିତ ତୈଳ ଦର ହ୍ରାସ ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।