ନୂଆଦିଲ୍ଲୀ: ଓ୍ଵେଲିଂଟନରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଡ୍ରାଇଭିଂ ସିଟରେ ଭାରତ। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୩୬୮ ରନ ଜବାବରେ ଭାରତ ୭୨୦/୯ ଇନିଂସ ସମାପ୍ତି ଘୋଷଣା କରିଥିଲା। ଏହା ସହିତ ଟିମ୍ ଇଣ୍ଡିଆ ୩୫୨ ରନରେ ଆଗୁଆ ରହିଛି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଦ୍ଵିତୀୟ ଇନିଂସରେ ଘରୋଇ ଦଳ ୧୧୯ ରନ କରି ୨ ଓ୍ଵିକେଟ୍ ହରାଇ ସାରିଛି। ଏବେ ବି ନ୍ୟୁଜିଲାଣ୍ଡ ୨୩୩ ନ ପଛରେ ରହିଛି ଏବଂ ଦଳ ଉପରେ ପାଖରେ ଏବେ ମ୍ୟାଚ୍ ବଞ୍ଚାଇବା ବଡ଼ ଆହ୍ଵାନ ପାଲଟିଛି। ନ୍ୟୁଜିଲାଣ୍ଡର ବ୍ୟାଟର ରଚିନ ରବୀନ୍ଦ୍ର ମଧ୍ୟ ସ୍ଵୀକାର କରିଛନ୍ତି ଯେ, ତାଙ୍କ ଟିମ୍ ଏବେ ବ୍ୟାକଫୁଟରେ।

ରବୀନ୍ଦ୍ର ଚତୁର୍ଥ ଦିନର ଖେଳ ସରିବା ପରେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଆମେ ଏବେ ମ୍ୟାଚରେ ବହୁତ ପଛରେ ରହିଛୁ। ଭାରତ ବହୁତ ଭଲ ବ୍ୟାଟିଂ କରିଛି। ଆମ ପାଇଁ ଯେତେ ସମ୍ଭବ ସେତେ ଅଧିକ ସମୟ କ୍ରିଜରେ ବିତାଇବାକୁ ପଡ଼ିବ। ମ୍ୟାଚ୍ ଡ୍ର କରାଇବା ପାଇଁ ନ୍ୟୁଜିଲାଣ୍ଡକୁ ଶେଷ ଦିନରେ ୯୦ ଓଭର ବ୍ୟାଟିଂ କରିବାକୁ ପଡ଼ିବ। ରବୀନ୍ଦ୍ର କହିଛନ୍ତି, ନ୍ୟୁଜିଲାଣ୍ଡକୁ ଆଗକୁ ମ୍ୟାଚରେ କଣ ହେବ ତାହା ଚିନ୍ତା ନ କରି ପ୍ରତିଟି ବଲ୍ ଉପରେ ଧ୍ୟାନ ଦେବାକୁ ପଡ଼ିବ। ମ୍ୟାଚ୍ ବଞ୍ଚାଇବା ଏବେ ବହୁତ ଦୂର ରହିଛି। ଏଥିପାଇଁ ଆମେ ଗୋଟିଏ ଗୋଟିଏ ବଲ୍ ପ୍ରତି ଧ୍ୟାନ ଦେବୁ। ଶେଷ ଦିନରେ ପୂରା ୯୦ ଓଭର ଖେଳିବାକୁ ପଡ଼ିବ।

Also Read: ଫିଲ୍ଡରେ ସୁପରମ୍ୟାନ୍ ହୋଇଗଲେ ଧୃବ ଜୁରେଲ : ଡାଇଭ୍ ମାରି ଧରିଲେ ଅସମ୍ଭବ କ୍ୟାଚ୍, ଦେଖନ୍ତୁ ଭିଡିଓ

ପିଚର ପ୍ରକୃତିକୁ ନକରାତ୍ମକ ଭାବେ ନ ଦେଖନ୍ତୁ

ମ୍ୟାଚର ପ୍ରଥମ ଦୁଇ ଇନିଂସରେ ୧୦୮୮ ରନ ହୋଇ ସାରିଛି। ମାତ୍ର ରବୀନ୍ଦ୍ରଙ୍କ କହିବା କଥା ପିଚର ପ୍ରକୃତିକୁ ନକରାତ୍ମକ ଦୃଷ୍ଟିରେ ଦେଖିବା ଉଚିତ୍ ନୁହେଁ। ଗ୍ଲେନ ଫିଲିପ, ହେନରୀ ନିକୋଲାସ, କେଏଲ ରାହୁଲ ଓ ଋଷଭ ପନ୍ତ ଶତକ ହାସଲ କରିବା ସୂଚାଉଛି ଯେ, ପିଚରେ କୌଣସି ନକରାତ୍ମକ କଥା ନାହିଁ। ଯଶପ୍ରୀତ ବୁମରାଙ୍କ ପ୍ରଶଂସା କରି ରବୀନ୍ଦ୍ର କହିଛନ୍ତି, ବୁମରା ସର୍ବଦା ସତର୍କ ରୁହନ୍ତି। କଣ ମ୍ୟାଚର ଶେଷ ଦିନରେ ସ୍ପିନରଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିବ ? ଏହି ପ୍ରଶ୍ନର ଉତ୍ତରରେ ଏହି ବାମହାତୀ ବ୍ୟାଟର କହିଛନ୍ତି, ପାଣିପାଗର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିବ। ଯଦି ପବନ ପ୍ରବାହିତ ହୁଏ ତେବେ ପାଣିପାଗ ଶୁଷ୍କ ରହିବ ଏବଂ ଏହା ସ୍ପିନରଙ୍କୁ ସୁହାଇପାରେ।