ନୂଆଦିଲ୍ଲୀ: ନଭେମ୍ବର ୨୨(ରବିବାର) ତାରିଖରୁ ମାରୁତି ସୁଜୁକି ଇଣ୍ଡିଆ କିଛି ନିର୍ଦ୍ଦିଷ୍ଟ କାରର ଦାମ ବଢାଇଛି। କମ୍ପାନୀ କାର ମୂଲ୍ୟରେ ହାରାହାରୀ ୦.୩୧% ବୃଦ୍ଧି କରିଛି। ବାରମ୍ବାର ଖର୍ଚ୍ଚ ବଢ଼ୁଥିବାରୁ ମାର୍ଜିନ ସୁରକ୍ଷିତ କରିବାକୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ତେବେ କେଉଁ ମଡେଲ୍ର ଦାମ କେତେ ବଢା ଯାଇଛି ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଦର ବୃଦ୍ଧି ନେଇ ମାରୁତି ସୁଜୁକି କହିଛି ଯେ କମ୍ପାନୀ ପକ୍ଷରୁ ଖର୍ଚ୍ଚ କାଟ କରିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଇଥିଲା। ହେଲେ ଏହା ସତ୍ତ୍ୱେ ବି ଲଗାତର ଖର୍ଚ୍ଚ ବୃଦ୍ଧି ଅସମ୍ଭାଳ ହୋଇଥିଲା। ତେଣୁ କିଛି ଭାର କମ୍ପାନୀ ଉଠାଉଥିବା ବେଳେ ଆଉ କିଛି ଜନତାଙ୍କ ଉପରେ ଲଦିବାକୁ ବାଧ୍ୟ ହୋଇଛି। ତେବେ କିଛି ନିର୍ଦ୍ଦିଷ୍ଠ କାର୍ ଉପରେ ଏହି ନୂଆ ଦର ବୃଦ୍ଧି ଲାଗୁ କରାଯିବ। ଗ୍ରାହକ କାର କିଣିବା ପୂର୍ବରୁ ଡିଲରମାନଙ୍କ ଠାରୁ ନୂଆ ଦର ପଚାରି ବୁଝି ନେଇପାରିବେ ବୋଲି ମାରୁତି ସୁଜୁକି କହିଛି।

ଅଶୋଧିତ ତୈଳ ଦର ଓ ପରିବହନ ଖର୍ଚ୍ଚ, ଦର ବୃଦ୍ଧିର କାରଣ

ଅଟୋ କମ୍ପାନୀଗୁଡ଼ିକର ଖର୍ଚ୍ଚ କଞ୍ଚାମାଲ, ଉପାଦାନ, ପରିବହନ ଏବଂ ଅନ୍ୟାନ୍ୟ ଉତ୍ପାଦନ ସମ୍ବନ୍ଧୀୟ ଖର୍ଚ୍ଚ ଯୋଗୁ ପ୍ରଭାବିତ ହୋଇଥାଏ। ଫଳରେ ଯାନବାହାନ ନିର୍ମାଣ ଖର୍ଚ୍ଚ ବୃଦ୍ଧି ପାଏ। ଫଳସ୍ୱରୂପ କମ୍ପାନୀଗୁଡ଼ିକ କାର୍ ମୂଲ୍ୟ ବଢାଇବାକୁ ବାଧ୍ୟ ହୁଅନ୍ତି।

ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁସାରେ, ଏହା ପୂର୍ବରୁ କମ୍ପାନୀ ଆର୍ଥିକ ବର୍ଷ ୨୦୨୭ର ପ୍ରଥମାର୍ଦ୍ଧରେ ତିନିଥର ମୂଲ୍ୟ ବୃଦ୍ଧି କରିଥିଲା। ଏହି ତିନି ଥର ମୂଲ୍ୟ ବୃଦ୍ଧି ମିଶି ମୋଟ ଉପରେ ୧% ରୁ ସାମାନ୍ୟ ଅଧିକ ହୋଇଥିଲା। ଆଉ ଏବେ ପୁଣି ଦର ବୃଦ୍ଧି ହେବା ଯୋଗୁ କାର ମହଙ୍ଗା ହୋଇଯାଇଛି। ଏହା ପୂର୍ବରୁ ଟାଟା,କିଆ, ରିନୋଲ୍ଟ ଓ ହ୍ୟୁଣ୍ଡାଇ ଭଳି କମ୍ପାନୀ ଗାଡି ମୂଲ୍ୟ ବୃଦ୍ଧି କରି ସାରିଛନ୍ତି।