ନୂଆଦିଲ୍ଲୀ, ୨୨।୧୧ : ଓ୍ୱିଲିଂଟନରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ୍ ମୁକାବିଲା ଖେଳାଯାଉଛି । ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି । ତେବେ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ଖେଳାଳି ଧୁବ ଜୁରେଲ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଇନିଂସରେ ସେ ୭ ଚଉକା ଏବଂ ଗୋଟିଏ ଛକା ସହ ୭୯ ବଲରୁ ୭୮ ରନ୍ କରିଛନ୍ତି । ଏହାସହ ଫିଲ୍ଡିଂରେ ମଧ୍ୟ ନିଜର କରିସ୍ମା ଦେଖାଇଛନ୍ତି ।

ନ୍ୟୁଜିଲାଣ୍ଡର ଦ୍ୱିତୀୟ ଇନିଂସରେ ଜୁରେଲ ଏକ ଦମଦାର କ୍ୟାଚ୍ ଧରିଛନ୍ତି । ସେ ଡାଇଭ୍ କରି କ୍ୟାଚ୍ ଧରିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଯାହାକୁ ଅନେକ ଫ୍ୟାନ୍ସ ସୁପରମ୍ୟାନ୍ କ୍ୟାଚ୍ ବୋଲି କହୁଛନ୍ତି । ଏହି କ୍ୟାଚ୍ ଦ୍ୱାରା କିଓ୍ୱି ବ୍ୟାଟର ହେନରୀ ନିକୋଲାସ ପ୍ୟାଭିଲିୟନ ଫେରିଥିଲେ । ସେ ୫୯ ବଲରୁ ୩୧ ରନ୍ କରି ଆଉଟ୍ ହୋଇଥିଲେ ।

ସମସ୍ତ ଘଟଣା ନ୍ୟୁଜିଲାଣ୍ଡର ୨୩ ତମ ଓଭରରେ ଘଟିଥିଲା । ଓଭରର ପ୍ରଥମ ବଲରେ ପ୍ରସିଦ୍ଧ କ୍ରିଷ୍ଣା ରାଉଣ୍ଡ ଦି ଓ୍ୱିକେଟ୍ ବଲ୍ ପକାଇଥିଲେ । ହେନରୀ ଏହି ବଲକୁ ବ୍ୟାକଫୁଟରେ ରହି ଲେଗ୍ ସାଇଡରେ ଖେଳିବାକୁ ପ୍ରୟାସ କରିଥିଲେ । କିନ୍ତୁ ବଲଟି ବ୍ୟାଟର ଧାର ସହ ଥାଇପ୍ୟାଡରେ ବାଜିବା ପରେ ଉପରକୁ ଉଠିଯାଇଥିଲେ ।

Also Read :- ଭାରତ-ନ୍ୟୁଜିଲାଣ୍ଡ୍ ପ୍ରଥମ ଟେଷ୍ଟ୍ : ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ, ବିଜୟ ପାଇଁ ଦରକାର ଆଉ ୮ ଓ୍ୱିକେଟ୍

ବଲକୁ ଦେଖିବା ପରେ ସର୍ଟ ଲେଗରେ ଫିଲ୍ଡିଂ କରୁଥିବା ଜୁରେଲ ଏହାକୁ ଧରିବା ପାଇଁ ଡାଇଭ୍ କରିଥିଲେ । ସେ ଗୋଟିଏ ହାତରେ ବଲକୁ ଧରି ପକାଇଥିଲେ । ଏହାଦେଖି ଅଧିନାୟକ ଶୁଭମନ ଗିଲ ଖୁସି ହେବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ । ଅନ୍ୟ ସାଥି ଖେଳାଳି ମଧ୍ୟ ଖୁସି ମନାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ମୁକାବିଲାକୁ ଦେଖିଲେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୬୮ ରନ୍ କରିଥିଲା । ଜବାବରେ ଭାରତ ୭୨୦ ରନ୍ କରିବା ସହ ୩୫୨ ରନରେ ଆଗୁଆ ରହିଥିଲା । ଦ୍ୱିତୀୟ ଇନିଂସରେ ଚତୁର୍ଥଦିନ ଖେଳ ଶେଷ ସୁଦ୍ଧା କିଓ୍ୱି ଟିମ୍ ୨ ଓ୍ୱିକେଟ୍ ହରାଇ ୧୧୯୯ ରନ୍ କରିଛି ।