ନୂଆଦିଲ୍ଲୀ: ଜୋର୍ଡାନର କରାକ ପ୍ରାନ୍ତରେ ଶୁକ୍ରବାର ଏକ ଐତିହାସିକ ଚର୍ଚ୍ଚରେ ଗୁଳିକାଣ୍ଡ ହୋଇଛି । ଚର୍ଚ୍ଚ ପରିସରରେ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲା । ଏହି ଗୁଳିମାଡ଼ରେ ସାତ ଜଣଙ୍କ ମୃତ୍ୟୁ ହୋଇଛି, ୩୪ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଏହି ଘଟଣା ରାଜଧାନୀ ଓମ୍ମାନରୁ ପ୍ରାୟ ୧୪୫ କିଲୋମିଟର ଦୂରରେ ଥିବା ଏକ ଗ୍ରୀକ୍ ଅର୍ଥୋଡକ୍ସ ଚର୍ଚ୍ଚରେ ହୋଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅନ୍ତମ ସଂସ୍କାର ପାଇଁ ଚର୍ଚ୍ଚରେ ଭିଡ଼ ଜମା ହୋଇଥିଲା । ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ଏକ ଗାଡ଼ିରୁ ବାହାରି ଉପସ୍ଥିତ ଲୋକଙ୍କ ଉପରେ ଗୁଳି ଚଳାଇଥିଲେ । ହଠାତ୍ ଗୁଳିମାଡ଼ ଯୋଗୁଁ ଚର୍ଚ୍ଚ ପରିସରରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ନିରାପଦ ସ୍ଥାନ ଖୋଜି ଦୌଡ଼ାଦୌଡ଼ି କରିଥିଲେ । ଆକ୍ରମଣ ପରେ ଦୁଇ ସନ୍ଦିଗ୍ଧ ବ୍ୟକ୍ତି ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।

 

ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ AK-47 ଆସଲ୍ଟ ରାଇଫଲ୍ ଧରିଥିଲା । ଅନ୍ୟ ଜଣଙ୍କ ପାଖରେ ପିସ୍ତଲ ଥିଲା । କିଛି ମିନିଟ୍ ଯାଏଁ ଗୁଳି ମାଡ଼ କରିଥିଲେ । ଘଟଣା ବିଷୟରେ ସୂଚନା ପାଇବା ପରେ, ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ । ପୋଲିସ ଏବଂ ସେନା କର୍ମଚାରୀ ସନ୍ଦିଗ୍ଧ ଲୋକଙ୍କୁ ଖୋଜୁଛନ୍ତି । ସିସିଟିଭି କ୍ୟାମେରାର ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି । ସ୍ଥାନୀୟ ପ୍ରଶାସନ ଚର୍ଚ୍ଚ ଏବଂ ଆଖପାଖ ଅଞ୍ଚଳଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି ।