ହରାରେ: ଭାରତ ଜିମ୍ବାଓ୍ଵେକୁ  ଦ୍ଵିତୀୟ ଟି-୨୦ରେ ୯୦ ରନରେ ହରାଇଛି। ଚଳିତ ବର୍ଷ ରନ ଦୃଷ୍ଟିରୁ ଭାରତୀୟ ଦଳର ଏହା ତୃତୀୟ ବଡ଼ ବିଜୟ। ଏହା ସହ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିବା ସହିତ ସିରିଜ୍ ଆଗୁଆ ଜିତି ନେଇଛି। ହରାରେ ମଇଦାନରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତ ଇଶାନ କିଷନଙ୍କ ବିସ୍ଫୋରକ ୮୧ ରନ ଓ ଉପଅଧିନାୟକ ତିଳକ ବର୍ମାଙ୍କ ୬୦ ରନ ବଳରେ ଭାରତ ୫ ଓ୍ଵିକେଟ୍ ହରାଇ ୨୧୯ ରନ କରିଥିଲା। ଜବାବରେ ଘରୋଇ ଜିମ୍ବାଓ୍ଵେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୭.୫ ଓଭରରେ ୧୨୯ ରନରେ ଅଲଆଉଟ୍ ହୋଇଛି।

ଏହି ମ୍ୟାଚରେ ଓପନର ଅଭିଷେକ ଶର୍ମା ଏବଂ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ବ୍ୟାଟରେ କୌଣସି କମାଲ କରିପାରି ନଥିଲେ। ମାତ୍ର ଇଶାନ କିଷାନଙ୍କ ବିସ୍ଫୋରକ ୮୧ ରନ୍ ଏବଂ ଉପଅଧିନାୟକ ତିଲକ ବର୍ମାଙ୍କ ଅପରାଜିତ ୬୦ ରନ୍ର ଗୁରୁତ୍ୱପୂର୍ଣ୍ଣ ପାରି ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୧୯ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା। ବ୍ୟାଟିଂରେ ବିଫଳ ହୋଇଥିବା ଅଭିଷେକ ଶର୍ମା କିନ୍ତୁ ବୋଲିଂରେ ନିଜର ଯାଦୁ ଦେଖାଇଥିଲେ। ସେ ନିଜ ସ୍ପିନ୍ରେ ଜିମ୍ବାୱେ ବ୍ୟାଟରଙ୍କୁ ବାନ୍ଧି ରଖି ୩ଟି ୱିକେଟ୍ ଚଟକାଇ ଦଳର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ।

୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଜିମ୍ବାଓ୍ଵେ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଓପନର ବ୍ରିୟାନ ବେନେଟ୍ ସର୍ବାଧିକ ୩୨ ରନ କରିଥିବା ବେଳେ ରିୟାନ ବୁର୍ଲ ୨୦ ରନ ଓ ତାଡିଓ୍ଵାନସେ ମାରୁମାନି ୨୪ ରନ କରିଥିଲେ। ହେଲେ ଅନ୍ୟ ବ୍ୟାଟର ନିରାଶ କରିଥିଲେ। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ଘରୋଇ ଦଳ ୧୭.୫ ଓଭରରେ ୧୨୯ ରନରେ ଅଲଆଉଟ୍ ହୋଇଛି।

Also Read: ହରାରେ T20Iରେ ଚମକିଲେ ମୟଙ୍କ ଯାଦବ, ପ୍ରଥମ ବଲ୍ରେ ଓ୍ବିକେଟ ନେଇ ରଚିଲେ ବିରଳ ଇତିହାସ

ଅନ୍ୟପଟେ ନିଜର ଆନ୍ତର୍ଜାତୀୟ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ଯୁବ ବୋଲର ୟଶ ଠାକୁର ଚମତ୍କାର ପ୍ରଦର୍ଶନ କରି ୪ ଓଭରରେ ୩୦ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ। ଅନ୍ୟ ଯୁବ ବୋଲର ପ୍ରିନ୍ସ ଯାଦବ ମାତ୍ର ୧.୨ ଓଭର ବୋଲିଂ କରି ୨ଟି ୱିକେଟ୍ ନେବା ପରେ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ଏହାସହ ଶିବମ୍ ଦୁବେ, ରବି ବିଷ୍ଣୋଇ ଏବଂ ତିଲକ ବର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇ ଜିମ୍ବାୱେକୁ ୧୭.୫ ଓଭରରେ ମାତ୍ର ୧୨୯ ରନ୍ରେ ଅଲ୍ଆଉଟ୍ କରିଦେଇଥିଲେ।

ରନ୍ ବ୍ୟବଧାନ ଦୃଷ୍ଟିରୁ ୨୦୨୬ ମସିହାରେ ଟି-୨୦ ଆନ୍ତର୍ଜାତୀୟରେ ଏହା ଭାରତର ତୃତୀୟ ବୃହତ୍ତମ ବିଜୟ ଅଟେ। ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ଫାଇନାଲ୍ରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନ୍ରେ ହରାଇ ଭାରତ ସବୁଠାରୁ ବଡ଼ ବିଜୟ ହାସଲ କରିଥିବା ବେଳେ ବିଶ୍ୱକପ୍ରେ ହିଁ ନାମିବିଆ ବିପକ୍ଷରେ ୯୩ ରନ୍ରେ ବିଜୟୀ ହୋଇଥିଲା। ଏବେ ଜିମ୍ବାୱେ ବିପକ୍ଷରେ ୯୦ ରନ୍ର ବିଜୟ ହାସଲ କରି ଟିମ୍ ଇଣ୍ଡିଆ ନିଜର ଆଧିପତ୍ୟ ବଜାୟ ରଖିଛି।