ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ଦ୍ରୁତ ବୋଲର ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ହରାରେଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସେ ନିଜର ପ୍ରଥମ ବଲ୍‌ରେ ହିଁ ଜିମ୍ବାୱେର ଓପନର୍ ବ୍ରାଏନ୍ ବେନେଟ୍‌ଙ୍କୁ ଆଉଟ୍ କରି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାସହ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଓ୍ବିକେଟ ନେବାରେ ସେ ତୃତୀୟ ଭାରତୀୟ ବୋଲର ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ଅର୍ଶଦୀପ ସିଂ (୨୦୨୪ ଟି-୨୦ ବିଶ୍ୱକପ୍) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୨୦୨୫ ଏସିଆ କପ୍) ଏହି କାରନାମା କରିସାରିଛନ୍ତି।

ପ୍ରକୃତରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବୋଲିଂ ଆରମ୍ଭ କରି ମୟଙ୍କ ୧୪୯ କିଲୋମିଟର ପ୍ରତି ଘଣ୍ଟା ବେଗରେ ବୋଲିଂ କରିଥିଲେ। ଯାହା ବ୍ରାଏନ୍ ବେନେଟ୍‌ଙ୍କ ବ୍ୟାଟ୍‌ର କୋଣକୁ ଛୁଇଁ ଓ୍ବିକେଟକିପର ଇଶାନ କିଷାନଙ୍କ ହାତକୁ ଯାଇଥିଲା। ଅମ୍ପାୟର ପ୍ରଥମେ ଆଉଟ୍ ଦେଇନଥିଲେ ମଧ୍ୟ ଇଶାନଙ୍କ ଅନୁରୋଧ କ୍ରମେ ଶ୍ରେୟସ ଆୟର ରିଭ୍ୟୁ (DRS) ନେଇଥିଲେ। ଆଉ ଅଲ୍ଟ୍ରାଏଜ୍ (UltraEdge) ଯାଞ୍ଚ ପରେ ବେନେଟ୍ ଆଉଟ୍ ଥିବା ସ୍ପଷ୍ଟ ହୋଇଥିଲା ଏବଂ ସେ ବିନା ସ୍କୋରରେ ପାଭିଲିଅନ ଫେରିଥିଲେ। ଆଉ ଚମତ୍କାର ଭାବରେ ଏହି ଓ୍ବିକେଟ ନେଇ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ମୟଙ୍କ।

Also Read: IND vs ZIM: ଜିମ୍ବାଓ୍ଵେକୁ ଏକତରଫା ମ୍ୟାଚରେ ହରାଇଲା ଭାରତ, ଶ୍ରେୟସଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆର ପ୍ରଥମ ବିଜୟ

ବିଶେଷ କ୍ଲବ୍‌ରେ ସାମିଲ ହେଲେ ମୟଙ୍କ:

ଦ୍ୱିତୀୟ ଥର ପାଇଁ ଏହି ସଫଳତା: ମୟଙ୍କ ଯାଦବ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ କୌଣସି ଇନିଂସର ପ୍ରଥମ ବଲ୍‌ରେ ଓ୍ବିକେଟ ନେଇଛନ୍ତି। ଏହା ପୂର୍ବରୁ ଅକ୍ଟୋବର ୨୦୨୪ରେ ବାଂଲାଦେଶ ବିପକ୍ଷ ହାଇଦ୍ରାବାଦ ମ୍ୟାଚ୍‌ରେ ସେ ପରଭେଜ୍ ହୁସେନ୍ ଇମନଙ୍କୁ ପ୍ରଥମ ବଲ୍‌ରେ ଆଉଟ୍ କରିଥିଲେ।

ଭାରତର ଷ୍ଟାର୍ ବୋଲରଙ୍କ ତାଲିକା: ଟି-୨୦ ଇନିଂସର ପ୍ରଥମ ବଲ୍ରେ ଏକାଧିକ ଥର ଓ୍ବିକେଟ ନେବାରେ ଭୁବନେଶ୍ୱର କୁମାର (୩ ଥର) ଶୀର୍ଷରେ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ ଏବଂ ମୟଙ୍କ ଯାଦବ ୨ ଥର ଲେଖାଏଁ ଏହି ସଫଳତା ପାଇଛନ୍ତି।

ଏହି ମ୍ୟାଚରେ ଭାରତ ପକ୍ଷରୁ ଯୁବ ବ୍ୟାଟିଂ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଖେଳୁଥିବା ବେଳେ ରାଜସ୍ଥାନର ଦ୍ରୁତ ବୋଲର ଅଶୋକ ଶର୍ମା ଆନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଛନ୍ତି। ମୟଙ୍କଙ୍କ ଏହି ଦମଦାର ବୋଲିଂ ପ୍ରଦର୍ଶନ ଭାରତକୁ ମ୍ୟାଚ୍‌ରେ ଏକ ସୁପର ଆରମ୍ଭ ଦେଇଛି।