ଭୁବନେଶ୍ୱର ୦୧।୧୧ :  ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା । ବାତ୍ୟା ଆଶଙ୍କା ମଧ୍ୟରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନେଇଛି ମତ୍ସ୍ୟ ନିର୍ଦ୍ଦେଶାଳୟ । ନଭେମ୍ବର ୨ରୁ ୪ ତାରିଖ ଯାଏଁ ସମୁଦ୍ରକୁ ଯିବା ଉପରେ କଟକଣା ଲଗାଯାଇଛି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରିବାକୁ ନିର୍ଦ୍ଦେଶ । ସେପଟେ ସବୁ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ବାତ୍ୟାର ମୁକାବିଲା ସହ ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ ।

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଉପକୂଳରେ ବଢ଼ିଲା ସତର୍କତା । ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଓ ପ୍ରବଳ ପବନ ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ତତ୍ପର ହୋଇଛି ମତ୍ସ୍ୟ ନିର୍ଦ୍ଦେଶାଳୟ । ନଭେମ୍ବର ୨ରୁ ୪ ତାରିଖ ଯାଏଁ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କଡ଼ା ସତର୍କ ସୂଚନା ଦିଆଯାଇଛି । ଯେଉଁ ମତ୍ସ୍ୟଜୀବୀମାନେ ଏବେ ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରିଆସିବାକୁ କୁହାଯାଇଛି ।

Also Read:-୧୯୯୯ରେ ଲାଗ ଲାଗ ଦୁଇ ବାତ୍ୟା, ୨୭ ବର୍ଷ ପରେ ପୁଣି ସେହି ଇତିହାସର ପୁନରାବୃତ୍ତି ଆଶଙ୍କା !

କେବଳ ସେତିକି ନୁହେଁ, ସମସ୍ତ ମାଛଧରା ଡଙ୍ଗା ଓ ଟ୍ରଲରକୁ ସୁରକ୍ଷିତ ଭାବେ ନିକଟସ୍ଥ ମତ୍ସ୍ୟ ଅବତରଣ କେନ୍ଦ୍ର କିମ୍ବା ବନ୍ଦରରେ ବାନ୍ଧି ରଖିବାକୁ ନିର୍ଦ୍ଦେଶ ରହିଛି । ଉପକୂଳ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରାଯାଇ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି । ଅନ୍ୟପଟେ ସମସ୍ତ ଜିଲ୍ଲାର ମତ୍ସ୍ୟ ଅଧିକାରୀ ଏବଂ ସାମୁଦ୍ରିକ ମତ୍ସ୍ୟ ଅଧିକାରୀମାନେ ବୋଟ୍ ମାଲିକ ସଂଘ, ଟ୍ରଲର ମାଲିକ ସଂଘ ଓ ସାମୁଦ୍ରିକ ସମବାୟ ସମିତିଗୁଡ଼ିକୁ ସତର୍କ କରାଇଛନ୍ତି ।

ପରିସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟରେ ଖୋଲାଯାଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ନିୟମିତ ଭାବେ କଟକସ୍ଥିତ ମତ୍ସ୍ୟ ନିର୍ଦ୍ଦେଶାଳୟକୁ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏହି ସମୟରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଛୁଟିରେ ରହିପାରିବେ ନାହିଁ । ଏପରିକି ହେଡକ୍ୱାର୍ଟର ଛାଡ଼ିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ବିଭିନ୍ନ ବନ୍ଦରରେ ସାଗରମିତ୍ର ଓ ସହକାରୀ ମତ୍ସ୍ୟ ଅଧିକାରୀମାନେ ମୁତୟନ ହୋଇ ଲୋକଙ୍କୁ ସଚେତନ କରୁଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନର ଏଭଳି ଆଗୁଆ ପ୍ରସ୍ତୁତି । ଯାହାଦ୍ୱାରା ମତ୍ସ୍ୟଜୀବୀଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇପାରିବ ।