ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହେବା ପରେ ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ରୂପ ନେବାକୁ ଯାଉଛି। ଏମିତିକି ଏହା ଭୀଷଣ ବାତ୍ୟାରେ ମଧ୍ୟ ପରିଣତ ହୋଇପାରେ ବୋଲି ଆକଳନ କରାଯାଉଛି । ଆକଳନ ଅନୁସାରେ, ସମୁଦ୍ର ମଧ୍ୟରେ ଆହୁରି ବଳ ଗୋଟାଇ ୧ ତାରିଖରେ ବାତ୍ୟାର ରୂପ ନେବା ସହ ୨ ତାରିଖ ସୁଦ୍ଧା ଏହା ଏକ ‘ଭୀଷଣ ବାତ୍ୟା’ (Severe Cyclonic Storm)ରେ ପରିଣତ ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ‘ମୁରାସୁ’ ଆସନ୍ତା ୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଆନ୍ଧ୍ରପ୍ରଦେଶର ନେଲୋର ଏବଂ ନରସାପୁର ମଧ୍ୟଭାଗରେ ଏହା ସ୍ଥଳଭାଗ ଛୁଇଁବା (Landfall) ନେଇ ଆକଳନ କରାଯାଇଛି।

ବଡ଼ କଥା ହେଲା ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହେବା ସହ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଗତ 'ଅର୍ଣ୍ଣବ' ବାତ୍ୟା ସୃଷ୍ଟି କରିଥିବା ସ୍ଥାନଠାରୁ ଏହା କିଛି ତଳକୁ ଉପକୂଳ ଛୁଇଁପାରେ ବୋଲି ଆକଳନ କରାଯାଉଥିବା ବେଳେ, ଏହି ସମ୍ଭାବ୍ୟ ବାତ୍ୟାର ସାମ୍ନା କରିବା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ଭାବ୍ୟା ବାତ୍ୟାର ମୁକାବିଲା ପାଇଁ ଓଡ଼ିଶାରେ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ବରିଷ୍ଠ ସଚିବମାନଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ ପାଇଁ ଏକାଧିକ ବରିଷ୍ଠ ଅଫିସର ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ସେଠାରେ ବାତ୍ୟାଜନିତ କ୍ଷତିକୁ କିପରି ସର୍ବନିମ୍ନ କରାଯାଇପାରିବ ଏବଂ ପରିସ୍ଥିତିକୁ ତୁରନ୍ତ ସ୍ୱାଭାବିକ କରାଯାଇପାରିବ, ସେ ନେଇ ବ୍ୟାପକ ଆଲୋଚନା ଚାଲିଛି।

ସୂଚନାଥାଉକି, ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଜପତି ଜିଲ୍ଲାରେ ୧୩ଟି ସ୍ଥାନରେ ଭୂସ୍ଖଳନ ହେବା ସହ କନ୍ଧମାଳରେ ମଧ୍ୟ ବଡ଼ ଧରଣର କ୍ଷତି ଘଟିଥିଲା। ପୂର୍ବ ଅଭିଜ୍ଞତାକୁ ଆଧାରରେ ଏଥର ମଧ୍ୟ ଭୂସ୍ଖଳନ ହେବାର ଆଶଙ୍କା କରାଯାଉଛି। ତେଣୁ ପାହାଡ଼ ତଳେ ଓ ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆସନ୍ତାକାଲିଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।

Also Read: ସମ୍ଭାବ୍ୟ ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତି: ଆଶ୍ରୟସ୍ଥଳୀ ସହ ମହଜୁଦ ରହିବ ରିଲିଫ୍ ସାମଗ୍ରୀ

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ, "ଜୀବନ ସବୁଠାରୁ ମୂଲ୍ୟବାନ୍। ଘର ଓ ସମ୍ପତ୍ତିର କ୍ଷତିପୂରଣ ଦେବା ପାଇଁ ଓଡ଼ିଶା ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ରହିଛି। ବିପଦପୂର୍ଣ୍ଣ ଅଞ୍ଚଳରେ ଥିବା ଲୋକମାନେ ତୁରନ୍ତ ନିଜ ଘର ଛାଡ଼ି ନିରାପଦ ଆଶ୍ରୟସ୍ଥଳୀକୁ ଚାଲିଆସନ୍ତୁ। ସେମାନଙ୍କ ଘରର ସୁରକ୍ଷା ଦାୟିତ୍ୱ ପୋଲିସ ବୁଝିବ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାତୀୟ ରାଜପଥ (NHI) କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ ତୁରନ୍ତ ନିୟନ୍ତ୍ରଣକୁ ଆଣିବା ପାଇଁ NHI ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଋଷିକୁଲ୍ୟା ନଦୀର ମୁହାଣଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ଅଫିସରମାନଙ୍କୁ ନିୟୋଜିତ କରାଯାଇଛି। ଭବିଷ୍ୟତରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରକୋପ କିପରି କମାଯାଇପାରିବ, ସେଥିପାଇଁ ସରକାରୀ ସ୍ତରରେ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯାଉଛି। ପ୍ରଭାବିତ ଲୋକଙ୍କ ପାଇଁ ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ଏକ ବିଶେଷ କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିବେ ବୋଲି ସୂଚନା ମିଳିଛି।