ନୂଆଦିଲ୍ଲୀ: ପ୍ରେମିକ ସହ ମିଶି ସ୍ତ୍ରୀ, ସ୍ବାମୀକୁ ହତ୍ୟା କରିବା ଭଳି ବିଭତ୍ସ କାଣ୍ଡ କେବେ ଥମିବ, ତାର ଆକଳନ କରିବା ମୁସକିଲ୍‌ । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି, ଏହି ସମସ୍ୟାର ସମାଧାନ ହୁଏତ କାହା ପାଖରେ ନାହିଁ । ଏହାରି ମଧ୍ୟରେ ପୁଣି ସମାନ ମାମଲା ତେଲେଙ୍ଗାନାରୁ ସାମ୍ନାକୁ ଆସିଛି । ସେଠାରେ ଜଣେ ମହିଳା ନିଜର ଦୁଇ ଜଣ ପ୍ରେମିକଙ୍କ ସହ ମିଶି ସ୍ବାମୀକୁ ହତ୍ୟା କରିଛି ଏବଂ ପୋଖରୀରେ ଫିଙ୍ଗି ଦେଇଛି । କିନ୍ତୁ ସତ କେବେ ଲୁଚି ରହେନା  । ଶେଷରେ ଦୁଇ ପ୍ରେମିକଙ୍କ ସହ ବନ୍ଧା ହୋଇଛି ହତ୍ୟାକାରୀ ସ୍ତ୍ରୀ । 

ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହନମାଜିପେଟ୍ ଗ୍ରାମର ୨୬ ବର୍ଷୀୟ ଦିନମଜୁରିଆ ଚକାଲି ଓରଫ ଗୁମ୍ମାଡି କାଶୀରାମଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଦୁଇଜଣ ପୁରୁଷଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହତ୍ୟାକାଣ୍ଡକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ଶବକୁ ଗାଁ ବାହାରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ। ଅକ୍ଟୋବର ୨୩ ତାରିଖ ରାତିରେ ପୋଖରୀରୁ କାଶୀରାମଙ୍କ ମୃତଦେହ ମିଳିବା ପରେ ଏହି ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, କାଶୀରାମଙ୍କ ୨୫ ବର୍ଷୀୟା ସ୍ତ୍ରୀ ସବିତା ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଗିରଫ ଅନ୍ୟ ଦୁଇ ଜଣ ଅଭିଯୁକ୍ତ  ୨୬ ବର୍ଷୀୟ ଚିନ୍ତାକିନ୍ଦି ରାମୁ ଏବଂ ୨୫ ବର୍ଷୀୟ ଟ୍ରାକ୍ଟର ଡ୍ରାଇଭର ପଶୁପୁଲା ସନ୍ତୋଷ ସହ ସବିତାର ପ୍ରେମ ସମ୍ପର୍କ ଥିଲା। ସ୍ବାମୀ କାଶୀରାମ ସେମାନଙ୍କ ସମ୍ପର୍କରେ ବାଧା ସାଜୁଥିବାରୁ, ସବିତା ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ନିଜର ଦୁଇ ପ୍ରେମିକଙ୍କ ସହ ମିଶି ଏହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ।

କାଶୀରାମଙ୍କୁ କେମିତି କଲେ ହତ୍ୟା ?
 ଅକ୍ଟୋବର ୨୩ ରାତିରେ ଅଭିଯୁକ୍ତମାନେ କାଶୀରାମଙ୍କୁ ମଦ୍ୟପାନ କରିବା ବାହାନାରେ ବାହାରକୁ ନେଇଯାଇଥିଲେ। କାଶୀରାମ ମଦ୍ୟପାନ କରି ନିଶାସକ୍ତ ହୋଇପଡ଼ିବା ପରେ, ରାମୁ ଏକ ନାଇଲନ୍ ଦଉଡ଼ି ସାହାଯ୍ୟରେ ତାଙ୍କ ବେକ ଚିପି ଧରିଥିଲା । ସନ୍ତୋଷ ତାଙ୍କୁ ଖସିଯିବାରୁ ରୋକିବା ପାଇଁ ଜାବୁଡ଼ି ଧରିଥିଲେ। କାଶୀରାମଙ୍କ ମୃତ୍ୟୁ ହେବା ପରେ ସେମାନେ ଏହାକୁ ଆତ୍ମହତ୍ୟା କିମ୍ବା ଦୁର୍ଘଟଣାଜନିତ ମୃତ୍ୟୁର ରୂପ ଦେବା ପାଇଁ ମୃତଦେହକୁ ପୋଖରୀରେ ଫିଙ୍ଗି ଦେଇଥିଲେ । ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।

କାଶୀରାମଙ୍କ ବାପାଙ୍କ ଅଭିଯୋଗ ଆଧାରରେ ବାଂଶୱାଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା ।  ପରେ ପୁଲିସ BNSର ଧାରା ୧୦୩ ଅଧୀନରେ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତିତ କରିଥିଲା ଏବଂ ତଦନ୍ତ ଜୋରଦାର କଲା । ଗୁପ୍ତ ସୂଚନା ଆଧାରରେ ଅକ୍ଟୋବର ୩୦ରେ ପୁଲିସ ହନମାଜିପେଟ୍ ଗାଁରୁ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। 

ସେପଟେ ପଚରା ଉଚରା ସମୟରେ ଅଭିଯୁକ୍ତମାନେ ନିଜର ଅପରାଧ ସ୍ବୀକାର କରିଛନ୍ତି। ପୁଲିସ ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍ ଏବଂ ହତ୍ୟାକାଣ୍ଡ ସହ ଜଡ଼ିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରେମିକ ସହାୟତାରେ ସ୍ତ୍ରୀ, ସ୍ବାମୀକୁ ହତ୍ୟା କରିବା ଘଟଣା ନୂଆ ନୁହେଁ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ବାରମ୍ବାର ଘଟିଚାଲିଛି । ଉତ୍ତର ପ୍ରଦେଶରେ ଏଭଳି ଏକାଧିକ ମାମଲା ସାମ୍ନାକୁ ଆସିଥିବା ବେଳେ, ଏବେ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଏଭଳି ଘଟଣା ଘଟୁଛି ।