ଭୁବନେଶ୍ୱର ୦୧।୧୧ : ବାତ୍ୟା ଅର୍ଣ୍ଣବର କ୍ଷତ ଏଯାଏଁ ଶୁଖିନି। ଏପଟେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିଝଡ଼ର ଆଶଙ୍କା। ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାକୁ ଯାଉଛି। ବାତ୍ୟାର ନାଁ ରହିବ ମୁରାସୁ। ନଭେମ୍ବର ୨ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ନଭେମ୍ବର ୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ନରସାପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ କମ୍ ରହିବାର ଆକଳନ କରାଯାଇଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାକୁ ପୁଣି ବର୍ଷା ଭୟ ଘାରିଛି। ନଭେମ୍ବର ୨ ତାରିଖରୁ ରାଜ୍ୟରେ ବର୍ଷା ଓ ପବନର ପ୍ରଭାବ ଆରମ୍ଭ ହୋଇପାରେ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ରହିଛି।

Also Read:-ମୁରାସୁ ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ମହାପ୍ରସ୍ତୁତି, ଗଜପତିରେ ଚିହ୍ନଟ ହେଲା ୧୫୦ ଲ୍ୟାଣ୍ଡସ୍ଲାଇଡ ସ୍ପଷ୍ଟ ଚିହ୍ନଟ

ନଭେମ୍ବର ୩ ଓ ୪ ତାରିଖ ଦକ୍ଷିଣ ଓଡ଼ିଶା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବର୍ଷା ସହ ପବନ, ବିଜୁଳି ଓ ଘଡ଼ଘଡ଼ିର ଆଶଙ୍କା ରହିଛି। ପୂର୍ବରୁ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ପୁଣି ଜଳବନ୍ଦୀ ଓ ଭୂସ୍ଖଳନ ଭଳି ସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ଏପଟେ ଲାଗ ଲାଗ ଦୁଇଟି ବାତ୍ୟାର ଆଶଙ୍କାକୁ ନେଇ ଚିନ୍ତାରେ ଲୋକେ। ବାତ୍ୟା ଅର୍ଣ୍ଣବର ପ୍ରାୟ ଏକ ସପ୍ତାହ ମଧ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ବାତ୍ୟାର ରୂପ ନେବାକୁ ଯାଉଛି। ବଙ୍ଗୋପସାଗରରେ ସମୁଦ୍ର ଜଳର ତାପମାତ୍ରା ଅଧିକ ରହିବା ଏବଂ ଅନୁକୂଳ ବାୟୁମଣ୍ଡଳୀୟ ପରିସ୍ଥିତି ଯୋଗୁଁ ଏହି ଘୂର୍ଣ୍ଣିବଳୟ ଶକ୍ତିଶାଳୀ ହୋଇଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ।

ଘୂର୍ଣ୍ଣିବଳୟ ସୃଷ୍ଟି ପରେ ୱିଣ୍ଡ୍ ସିଅର୍ ସମେତ ଅନ୍ୟ ପାରିପାର୍ଶ୍ୱିକ ପାଣିପାଗ ସ୍ଥିତି ଏହାକୁ ବାତ୍ୟାର ରୂପ ଦେବାରେ ସହାୟକ ହୋଇଥିବା କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। ୧୯୯୯ ମସିହାରେ ମଧ୍ୟ ଅକ୍ଟୋବର ୧୫ ଓ ୨୯ ତାରିଖରେ ଦୁଇଟି ବାତ୍ୟା ସୃଷ୍ଟି ହୋଇଥିଲା। ଅକ୍ଟୋବର ୨୯ ତାରିଖରେ ଆସିଥିବା ମହାବାତ୍ୟା ଭୟଙ୍କର ରୂପ ନେଇଥିଲା। ତେଣୁ ବଙ୍ଗୋପସାଗରରେ ଅଳ୍ପ ବ୍ୟବଧାନରେ ଦୁଇଟି ବାତ୍ୟା ସୃଷ୍ଟି ହେବା ଅସ୍ୱାଭାବିକ ନୁହେଁ ବୋଲି ସେ କହିଛନ୍ତି। ତେବେ ନୂଆ ବାତ୍ୟା ଅର୍ଣ୍ଣବ ଭଳି ବ୍ୟାପକ କ୍ଷୟକ୍ଷତି କରିବାର ସମ୍ଭାବନା କମ୍ ବୋଲି ତାଙ୍କ ମତ।

ବିଶେଷଜ୍ଞଙ୍କ ମତରେ, ବଙ୍ଗୋପସାଗରରେ ଡିସେମ୍ବର ପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ହେବାର ପାଣିପାଗୀୟ ଅନୁକୂଳତା ରହିପାରେ। ତେବେ ନଭେମ୍ବର ପରବର୍ତ୍ତୀ ସମୟରେ ସୃଷ୍ଟି ହେଉଥିବା ବାତ୍ୟାଗୁଡ଼ିକ ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ଅଧିକ ବୋଲି ମତ ରହିଛି। ତେବେ ବାତ୍ୟା ମୁରାସୁର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଥିବା ବେଳେ ଦକ୍ଷିଣ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Watch Video:-