ନୂଆଦିଲ୍ଲୀ ୨୭।୩: ଏପ୍ରିଲ ୧ ତାରିଖରୁ ଭାରତର ୬ ଦଶନ୍ଧୀ ପୁରୁଣା କର ଆଇନ ଆୟକର ଅଧିନିୟମ ୧୯୬୧ ବଦଳି ଯିବ। ଏହି ଆଇନର ସ୍ଥାନ ନେବ ଆୟକର ଅଧିନିୟମ ୨୦୨୫। ସରକାରଙ୍କ କହିବା କଥା ହେଉଛି ଏହା କେବଳ କର ବ୍ୟବସ୍ଥାରେ ପରିବର୍ତ୍ତନ ନୁହେଁ ବରଂ ଆଇନକୁ ପୁଣି ଥରେ ନୂଆ କରି ଲେଖା ଯାଇଛି। ତେବେ କର ହାର ପୂର୍ବବତ ରହିବ ଓ ଆପଣଙ୍କ ଆୟକର ଶ୍ରେଣୀରେ କୌଣସି ପରିବର୍ତ୍ତନ ହେବନି। ତେବେ ଯାହା ବି ପରିବର୍ତ୍ତନ ହେବ ତାହା ହେଉଛି ଆପଣଙ୍କ ଆୟ, ଡିଡକ୍ସନସ୍, ବେତନ, ପୁଞ୍ଜିଗତ ଲାଭ ଓ ଏହାକୁ କିପରି ରିପୋର୍ଟ କରାଯିବ, ସତ୍ୟାପିତ କରାଯିବ ଓ ଦାଖଲ କରାଯିବ। ସରକାରଙ୍କ ଅନୁସାରେ ଏହା ଅଧିକ କର ପୈଠକୁ କମ ଓ କର ରିପୋର୍ଟିଂକୁ ଅଧିକ ସଠିକ କରିବା ସମ୍ପର୍କିତ।

ମିଲ୍ କାର୍ଡବେତନଭୋଗୀ କର୍ମଚାରୀ ଯେଉଁମାନଙ୍କୁ ସୋଡେକ୍ସୋ, ପ୍ଲକ୍ସୀ ଓ ଜ୍ୟାଗଲ ଭଳି ଭୋଜନ କୁପନ, ଭାଉଚର ବା କାର୍ଡ ମିଳେ ଅଥବା ଯେଉଁମାନେ ରିହାତିଯୁକ୍ତ କ୍ୟାଣ୍ଟିନ ଉପଯୋଗ କରନ୍ତି ସେମାନଙ୍କୁ ଗତ ସପ୍ତାହରେ ଅନୁମୋଦନ ଲାଭ କରିଥିବା ନିୟମ ଅନୁସାରେ ଅଧିକ କର ରିହାତି ମିଳିବାର ସମ୍ଭାବନା ରହିଛି। ଆୟକର ନିୟମ ୨୦୨୬ ଅନୁସାରେ ନିଯୁକ୍ତିଦାତାଙ୍କ ଦ୍ୱାରା ଦିଆଯାଉଥିବା ଭୋଜନ ଉପରେ ରିହାତି ସୀମା ପ୍ରତି ଭୋଜନ ୫୦ ଟଙ୍କାରୁ ବଢି ୨୦୦ ଟଙ୍କା କରି ଦିଆଯାଇଛି। ଏହି ଲାଭ ପୁରୁଣା ଓ ନୂଆ ଉଭୟ କର ବ୍ୟବସ୍ଥାରେ ରହିଛି। ଯଦି କୌଣସି ନିଯୁକ୍ତିଦାତା ୫୦ ଟଙ୍କା ମୂଲ୍ୟରେ ଦୁଇଟି ଭୋଜନ ଦେଉଥିଲେ ଏଥିରେ ଆଗରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ରାଶି କରମୁକ୍ତ ରହୁଥିଲା। ହେଲେ ଏବେ ସଂଶୋଧିତ ସୀମା ସହିତ ଏବେ ଦୈନିକ ୪୦୦ ଟଙ୍କା ପର୍ଯ୍ୟନ୍ତ ରାଶି କର ମୁକ୍ତ ହୋଇ ପାରିବ।

ଏକ ସାଧାରଣ ମାସ ହିସାବରେ ବାର୍ଷିକ ଏଥିରୁ ବେଶ୍ ଲାଭ ମିଳିବ

  • ୨୦୦ଟଙ୍କା x୨ଟି ଭୋଜନ= ୪୦୦ଟଙ୍କା ପ୍ରତିଦିନ
  • ୪୦୦ଟଙ୍କା x ୨୨ କାର୍ଯ୍ୟଦିବସ=୮,୮୦୦ ଟଙ୍କା ପ୍ରତି ମାସ
  • ୮,୮୦୦ଟଙ୍କାx୧୨ ମାସ= ବାର୍ଷିକ ୧,୦୫,୬୦୦ ଟଙ୍କା

ଏଥିରୁ ଏବେ କର୍ମଚାରୀ କେବଳ ଭୋଜନ ଭତ୍ତା ବାବଦେ ପ୍ରତି ବର୍ଷ ୧ ଲକ୍ଷ ଟଙ୍କାରୁ ଅଧିକ ରାଶିକୁ କରମୁକ୍ତ ରୂପେ ଦାବି କରିପାରିବେ। ତେବେ ଏହି ଭତ୍ତାର ସଂରଚନାକୁ ଉଚିତ ରୂପେ ନିର୍ଦ୍ଧାରିତ କରିବା ନିଯୁକ୍ତିଦାତାଙ୍କ କାମ।

ନୂଆ ଏଚଆରଏ ନିୟମ
ନୂଆ ନିୟମରେ ଘରଭଡ଼ା ଭତ୍ତା (ଏଚଆରଏ) ଦାବି ଢାଞ୍ଚାକୁ ପୂର୍ବ ଭଳି ରଖା ଯାଇଛି ଓ ଏହାର ସମ୍ପ୍ରସାରଣ ମଧ୍ୟ କରାଯାଇଛି। ଉଚ୍ଚତର ଏଚଆରଏ ରିହାତି ଶ୍ରେଣୀ (ଯାହା ପୂର୍ବରୁ କେବଳ ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇ ପାଇଁ ଲାଗୁଥିଲା)କୁ ଏବେ ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେ ଓ ଅହମଦାବାଦ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଦେଶର ଅନ୍ୟ ସବୁ ସହରଞ୍ଚଳ ୪୦% ଏଚଆରଏ ପରିସରରେ ରହିବେ। ହେଲେ ଏବେ ଏଚଆରଏ ଦାବି କରିବାକୁ କଡ଼ାକଡି ପ୍ରକାଶ କରିବାକୁ ହେବ। ବେତନଭୋଗୀ କର୍ମଚାରୀଙ୍କୁ ନିଯୁକ୍ତିଦାତାଙ୍କ ଦ୍ୱାରା ଆୟର ହିସାବ ଓ ଟିଡିଏସ କାଟ୍ ସମୟରେ ଫର୍ମ ୧୨୪ ନାମକ ଏକ ପୃଥକ ଘୋଷଣାପତ୍ରରେ ଘର ମାଲିକଙ୍କ ବିବରଣୀ ଦେବାକୁ ପଡିବ। ଏହା ଦ୍ୱାରା ଏଚଆରଏ ଦାବି କରିବା ବେଳେ ପରିଚୟ ଜଣାଇବା ବାଧ୍ୟତାମୂଳକ ହେବ। ଏହା ଦ୍ୱାରା ଘରଭଡ଼ାକୁ ବଢେଇ ଚଢେଇ ଅଥବା ମିଥ୍ୟା ଦାବି ଉପରେ କଡ଼ା ନଜର ରହିବ।

କଡ଼ାକଡ଼ି ହେବ ‘ପାନ’ ନିୟମ
ଏବେ କାର କିଣାବିକା ଓ ଅନ୍ୟ ଉଚ୍ଚମୂଲ୍ୟର ଖର୍ଚ୍ଚ ସମେତ ଅଧିକ ନେଣଦେଣ ପାଇଁ ପାନ ଆବଶ୍ୟକ ପଡିବ। ରିପୋର୍ଟିଂ ପ୍ରକ୍ରିୟା କଡ଼ାକଡ଼ି ହେବ। ତେବେ କମ ମୂଲ୍ୟର ରିପୋର୍ଟିଂ କମି ଯିବ। ଏହା ଛଡା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ବ୍ୟକ୍ତି କିପରି ନିଜ ପାଇଁ କର ବ୍ୟବସ୍ଥା ବାଛିବେ। ପୂର୍ବରୁ ନୂଆ ବ୍ୟବସ୍ଥା ବାଛିବା ପାଇଁ ଅଲଗା ଅଲଗା ଫର୍ମ ପୂରଣ କରିବାକୁ ପଡୁଥିଲା। ଏବେ ଲୋକେ ଆୟକର ବିବରଣୀ (ଆଇଟିଆର)ରେ ଏହାକୁ ବାଛି ପାରିବେ। ସଠିକ ଆୟକର ବିବରଣୀ ଦାଖଲକାରୀଙ୍କୁ ରିଫଣ୍ଡ ଖୁବ୍ ଶୀଘ୍ର ମିଳିବ। ଯଦି ଆୟକର ବିବରଣୀରେ ତ୍ରୁଟି ହୁଏ ତେବେ ରିଫଣ୍ଡ ବିଳମ୍ବ ହେବ।

ଏପ୍ରିଲ ପୂର୍ବରୁ ଆପଣଙ୍କୁ କରିବାକୁ ହେବ କ’ଣ?

  • ପୁରୁଣା ଓ ନୂଆ ବ୍ୟବସ୍ଥାର ଲାଭ ଆକଳନ କରନ୍ତୁ।
  • ସେହିପରି ଆପଣ କାର୍ଯ୍ୟକରୁଥିବା ସଂସ୍ଥାର ମାନବ ସମ୍ବଳ (ଏଚଆର) ବିଭାଗ ସହ ବେତନ ସଂରଚନାର ସମୀକ୍ଷା କରନ୍ତୁ।
  • ଏଚଆରଏ କ୍ଲେମ ପାଇଁ ଘର ମାଲିକଙ୍କ ସୂଚନା ଠିକ୍ କି ନା ଏହା ସୁନିଶ୍ଚିତ କରନ୍ତୁ।
  • ପୁଞ୍ଜିଗତ ଲାଭ ସମ୍ପର୍କିତ କାଗଜପତ୍ରକୁ ସାବଧାନତା ପୂର୍ବକ ଯାଞ୍ଚ କରନ୍ତୁ।
  • ନିବେଶ ଓ କ୍ରୟରେ ପାନ ଲିଂକକୁ ଯାଞ୍ଚ କରନ୍ତୁ।
  • ନିଯୁକ୍ତିଦାତାଙ୍କ ସହିତ ତ୍ରୈମାସିକ ଆଧାରରେ ଟିଡିଏସର ସଠିକତା ପୁଷ୍ଟି କରନ୍ତୁ।