ଭୁବନେଶ୍ବର: ବିକାଶର ଯାତ୍ରାରେ ଶିକ୍ଷା ହିଁ ସବୁଠାରୁ ବଡ଼ ସମ୍ବଳ, ଯାହା ଗୋଟିଏ ଜାତି ଓ ସମାଜର ଭାଗ୍ୟ ବଦଳାଇଦିଏ। କିନ୍ତୁ ଦୁର୍ଗମ ଅଞ୍ଚଳର ଭୌଗୋଳିକ ସ୍ଥିତି ଓ ଭାଷାଗତ ବାଧାବିଘ୍ନ ଯୋଗୁ ଅନେକ ସମୟରେ ଶିକ୍ଷା ପହଞ୍ଚିବା କଷ୍ଟକର ହୋଇଥାଏ। ଏହି ଦୂରତାକୁ ଦୂର କରିବା ପାଇଁ ରାୟଗଡ଼ା ଓ କଳାହାଣ୍ଡିର ଜନଜାତି ବହୁଳ ଅଞ୍ଚଳରେ ଆରମ୍ଭ ହୋଇଛି ଶିକ୍ଷାର ଏକ ନୂଆ ବିପ୍ଳବ।

ବେଦାନ୍ତ ଆଲୁମିନିୟମ ଏବଂ ଏକଲ ବିଦ୍ୟାଳୟର ମିଳିତ ସହଯୋଗରେ ପ୍ରାୟ ୪୦୦ଟି ସ୍କୁଲ୍ ମାଧ୍ୟମରେ ପିଲାଙ୍କୁ ସେମାନଙ୍କ ଗାଁରେ, ନିଜ ଭାଷାରେ ଶିକ୍ଷା ଦିଆଯାଉଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି- କୌଣସି ବି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି। କେବଳ ସାକ୍ଷରତା ନୁହେଁ, ବରଂ ଶିକ୍ଷାକୁ ସ୍ଥାନୀୟ ସଂସ୍କୃତି ଓ ପରିବେଶ ସହ ଯୋଡ଼ି ପିଲାଙ୍କ ମଧ୍ୟରେ ଏକ ଆତ୍ମବିଶ୍ୱାସ ଭରିବା ହେଉଛି ବେଦାନ୍ତର ମୁଖ୍ୟ ଲକ୍ଷ୍ୟ।

କଲ୍ୟାଣସିଂହପୁରର ୮ ବର୍ଷର ସରିତା ହେଉ ବା କାଶୀପୁରର ଚାଷୀ ଦିବାକର, ଆଜି ଶିକ୍ଷାର ଆଲୋକ ପ୍ରତିଟି ଘରେ ପହଞ୍ଚି। ପିଲାମାନେ ନିଜେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ବିଷୟରେ ପାଠ ପଢି ନିଜ ପରିବାରକୁ ସଚେତନ କରୁଛନ୍ତି। ପାଠପଢ଼ା ଏବେ କେବଳ ବହିରେ ସୀମିତ ନାହିଁ, ଏହା ଏକ ସୁସ୍ଥ ଜୀବନଶୈଳୀର ମାଧ୍ୟମ ସାଜିଛି।

ଓଡ଼ିଶାରେ ଶିକ୍ଷାର ପ୍ରସାର କରୁଥିବା ୪,୬୦୦ରୁ ଅଧିକ ଏକଲ ବିଦ୍ୟାଳୟ ସହ ହାତ ମିଳାଇଛି ବେଦାନ୍ତ ଆଲୁମିନିୟମ। ସାମାଜିକ ଦାୟିତ୍ୱବୋଧକୁ ସେବାର ମନ୍ତ୍ର ଭାବେ ଗ୍ରହଣ କରି ବେଦାନ୍ତ ଆଜି ଶେଷ ମୁଣ୍ଡରେ ଥିବା ପ୍ରତିଟି ପରିବାରରକୁ ବିକାଶର ସାରଥି କରିଛି। ଏହି ମିଳିତ ପ୍ରୟାସ ହିଁ ସୃଷ୍ଟି କରିଛି ସମନ୍ୱିତ ବିକାଶର ଏକ ନୂଆ ମାଇଲଖୁଣ୍ଟ।