ମୁମ୍ବାଇ: ପରୀକ୍ଷା ଚାଲିଥିବା ସମୟରେ ମୋବାଇଲ୍‌ ଓ ଚାଟ୍‌ଜିପିଟି  ବ୍ୟବହାର କରି ଧରାପଡ଼ିଗଲେ  ଆଇଆଇଟି ବମ୍ବେର ଜଣେ ଦ୍ୱିତୀୟ ବର୍ଷର ଛାତ୍ର। ଏହା ପରେ  ଛାତ୍ରଜଣକ ଆତ୍ମହତ୍ୟା କରିଥିବା ନେଇ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଓ ବିକ୍ଷୋଭ ଦେଖାଦେବା ପରେ, ସଂସ୍ଥା ପକ୍ଷରୁ ଏକ ବିବୃତି ଜାରି କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି।

ସୂଚନା ଅନୁଯାୟୀ, ମୃତ ଛାତ୍ରଜଣକ ଆଇଆଇଟି ବମ୍ବେର 'ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ' ବିଭାଗରେ ପଢ଼ୁଥିଲେ। ପରୀକ୍ଷା ସମୟରେ ସେ ପରୀକ୍ଷା ପ୍ରଶ୍ନପତ୍ରକୁ ଚାଟଜିପିଟିରେ ଅପଲୋଡ୍ କରି ଉତ୍ତର ଖୋଜୁଥିବା ବେଳେ ଧରାପଡ଼ିଥିଲେ। ଏହି ଘଟଣା ପରେ ବିଭାଗୀୟ ମୁଖ୍ୟ  ଏବଂ ସମ୍ପୃକ୍ତ ଶିକ୍ଷକ ଛାତ୍ରଜଣଙ୍କ ସହ ଆଲୋଚନା କରିଥିଲେ। ତାଙ୍କୁ ବୁଝାସୁଝା  କରାଯିବା ସହ, ଏହି ଘଟଣା ଯୋଗୁଁ ତାଙ୍କ କ୍ୟାରିୟର କିମ୍ବା ପାଠପଢ଼ା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ବୋଲି ଆଶ୍ୱାସନା ଦିଆଯାଇଥିଲା। ତେବେ ଏହା ପରେ ଛାତ୍ରଜଣକ ନିଜ ହଷ୍ଟେଲ ରୁମ୍‌କୁ ଫେରିଆସିଥିଲେ, କିନ୍ତୁ ସନ୍ଧ୍ୟା ସମୟରେ ତାଙ୍କ ମୃତଦେହ ରୁମ୍ ଭିତରୁ ମିଳିଥିଲା।

ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଆଇଆଇଟି ବମ୍ବେ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଜଣଙ୍କ ବିରୋଧରେ କୌଣସି ପ୍ରକାରର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ପ୍ରତିଷ୍ଠାନ ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ଛାତ୍ରଙ୍କ ପରିବାର, ସାଙ୍ଗସାଥୀ ଏବଂ ସହପାଠୀଙ୍କୁ ସମବେଦନା ଜଣାଇଛି।

ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ପୋଲିସ ଏହି ଆତ୍ମହତ୍ୟାର ପ୍ରକୃତ କାରଣ ଅନୁସନ୍ଧାନ କରୁଛନ୍ତି। ପରୀକ୍ଷା କୋଠରୀର ଘଟଣା ସହ ଆତ୍ମହତ୍ୟାର ସଧାସଳଖ ସମ୍ପର୍କ ଅଛି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ କ୍ୟାମ୍ପସରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Also Read: ଲଣ୍ଡନରୁ ଫେରୁଥିଲେ ଉପ ମୁଖ୍ୟମନ୍ତ୍ରୀ, ବିମାନରେ ଛାଡିଦେଲେ ଫୋନ୍ ! ରାତି ସାରା ଖୋଜିଲା ପୋଲିସ