ନୂଆଦିଲ୍ଲୀ, ୨୮/୧୨: ଟେଷ୍ଟ୍ କ୍ରିକେଟରୁ ଅବସର ନେଇ ସାରିଛନ୍ତି ବିରାଟ କୋହଲି । ଧଳା ଜର୍ସିର ଫର୍ମାଟକୁ ବିରାଟ ସବୁଠୁ ବେଶି ପସନ୍ଦ କରୁଥିଲେ । ୧୦ ହଜାର ରନ୍ କରିବା ତାଙ୍କର ଇଚ୍ଛା ଥିଲା । କିନ୍ତୁ ସେ ନିଜର ସବୁଠୁ ପସନ୍ଦଯୋଗ୍ୟ ଫର୍ମାଟକୁ ଅଲବିଦା କହିସାରିଛନ୍ତି । ଫ୍ୟାନ୍ସମାନେ କୋହଲିଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି । କୋହଲି ନିଜ ନିଷ୍ପତ୍ତିକୁ ଫେରେଇନେବେ ବୋଲି ସେମାନେ ଆଶା କରୁଛନ୍ତି । କେବଳ ଫ୍ୟାନ୍ସ ନୁହେଁ ପୂର୍ବତନ କ୍ରିକେଟର ନବଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ଏପରି କିଛି କହିଛନ୍ତି ଯାହାକୁ ନେଇ ଭାରତୀୟ କ୍ରିକେଟରେ ଜୋରଦାର ଚର୍ଚ୍ଚା ହେଉଛି ।

ସିଦ୍ଧୁ କହିଛନ୍ତି ଯେ, ଯଦି ଭଗବାନ ତାଙ୍କୁ କେବେ ଦେଖା ହୁଅନ୍ତି ତାହାଲେ ସେ କେବଳ ଗୋଟିଏ ଇଚ୍ଛା ମାଗିବେ । ସେହି ଇଚ୍ଛା ହେଉଛି ବିରାଟ ଟେଷ୍ଟ୍ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ । ସେ ବିରାଟଙ୍କୁ ଟେଷ୍ଟ୍ ଜର୍ସିରେ ଦେଖିବାକୁ ଚାହାଁନ୍ତି । ଏଥିପାଇଁ ଭଗବାନଙ୍କ ସହ ସାକ୍ଷାତ ହେଲେ ସେ ଏହା ହିଁ ମାଗିବେ ବୋଲି କହିଛନ୍ତି । ବିରାଟ ହେଉଛନ୍ତି ୨୪ କ୍ୟାରେଟ୍ ସୁନା । ସେ ପୁଣି ଅନ୍ତର୍ଜାତୀୟ ଟେଷ୍ଟ୍ ଖେଳିଲେ କୋଟି ଲୋକ ଖୁସି ହୋଇଯିବେ । ଆଜି ବି ବିରାଟ ଫିଟନେସରେ ୨୦ ବର୍ଷୀୟ ଯୁବକଙ୍କ ଭଳି ଲାଗୁଥିବା କହିଛନ୍ତି ।

ସୂଚନାଯୋଗ୍ୟ, ମେ ୧୨ ତାରିଖରେ ବିରାଟ ଅନ୍ତର୍ଜାତୀୟ ଟେଷ୍ଟ୍ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଯାହା ଫ୍ୟାନ୍ସଙ୍କୁ ଝଟକା ଦେଇଥିଲା । ନିଜ ଟେଷ୍ଟ୍ କ୍ୟାରିଅରରେ ସେ ୧୨୩ଟି ମୁକାବିଲା ଖେଳିଛନ୍ତି । ଏଥିରେ ସେ ୯୨୩୦ ରନ୍ କରିଛନ୍ତି । ତାଙ୍କ ଆଭରେଜ୍ ରହିଛି ୪୬.୮୫ । ଏହା ସହ ତାଙ୍କ ବ୍ୟାଟରୁ ୩୦ ଶତକ ଏବଂ ୩୧ ଅର୍ଧଶତକ ବାହାରିଛି ।

ଖାଲି ଟେଷ୍ଟ୍ ନୁହେଁ, ଟି୨୦ ଫର୍ମାଟରୁ ମଧ୍ୟ ସେ ଅବସର ନେଇଛନ୍ତି । ଭାରତ ଟି୨୦ ବିଶ୍ୱକପ୍ ଚାମ୍ପିଅନ୍ ହେଲା ପରେ ରନ୍ ମେସିନ୍ ଟି୨୦ ଫର୍ମାଟ ଛାଡିଥିଲେ । ଏବେ ସେ କେବଳ ଦିନିକିଆ ମୁକାବିଲା ଖେଳୁଛନ୍ତି । ଆଗାମୀ ୨୦୨୭ ବିଶ୍ୱକପ୍ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି ।