ନୂଆଦିଲ୍ଲୀ, ୨୨ /୦୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଇସ୍ରାଏଲ ବି ଇରାନ ଉପରେ କରୁଛି ଆକ୍ରମଣ । ଇରାନ ଦେଉଛି କାଉଣ୍ଟର ଜବାବ । ଯାହାକୁ ନେଇ ମଧ୍ୟପ୍ରାଚ୍ୟ ଅଶାନ୍ତ । ତେବେ ମହାସଂଗ୍ରାମରେ ଆମେରିକା ଇସ୍ରାଏଲ ଇରାନ ସମେତ ପଡୋଶୀ ଦେଶରେ କ୍ଷତି ହେଉଛି । କିନ୍ତୁ ଗୋଳିଆ ପାଣିରୁ ଫାଇଦା ନେଉଛି ଋଷ୍ ।

ଋଷିଆକୁ ଫାଇଦା

ମଧ୍ୟପ୍ରାଚ୍ୟ ଅଶାନ୍ତ ହେଲେ ବି ଏହା ପୁଟିନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି । ଋଷ ଆମେରିକାର ଆକ୍ରମଣକୁ ନିନ୍ଦା କରୁଛି । ଏହାସହ ଇରାନକୁ କିଛି ଗୁଇନ୍ଦା ତଥ୍ୟ ଦେଉଛି । କିନ୍ତୁ ଯୁଦ୍ଧରେ ଖୋଲାଖୋଲି ସାମିଲ ହେଉ ନାହିଁ । ପୁଟିନ ମୁଖ୍ୟତଃ ୟୁକ୍ରେନ୍ ଉପରେ ଫୋକସ କରୁଛନ୍ତି ।

ଯୁଦ୍ଧ ସମୟରେ ବିଶ୍ୱରେ କ୍ରୁଡ୍ ବା ଅଶୋଦ୍ଧିତ ତୈଳ ଦର ବୃଦ୍ଧି ପାଇଛି । ଯାହା ଋଷକୁ ଦେଉଛିଭଲ ଆୟ । ଏହା ନିଜର ତୈଳକୁ ଅନ୍ୟ ଦେଶକୁ ଅଧିକ ଦାମରେ ବିକ୍ରି କରୁଛି । ଏସିଆର ଅନେକ ଦେଶ ହର୍ମୋଜ ଷ୍ଟ୍ରେଟ୍ ଦେଇ ତୈଳ ଆସୁ ନଥିବାରୁ ମସ୍କୋ ଉପରେ ବେଶି ନିର୍ଭର କରୁଛନ୍ତି । ସେମାନେ ଋଷକୁ ନିଜର ନୂଆ ତୈଳ ଉତ୍ସ ଭାବେ ବିବେଚନା କରୁଛନ୍ତି ।

ବଢୁଛି ଆୟ

ଯୁଦ୍ଧ ପରେ ଋଷିଆର ଆୟ ବଢିଛି । ଦେଶର ମୋଟ୍ ଆୟର ୩୦ରୁ୪୦ ପ୍ରତିଶତ ତୈଳରୁ ଆସିଥାଏ । ଯାହାକୁ ୟୁକ୍ରେନ ଯୁଦ୍ଧରେ ବ୍ୟବହାର କରିବା ସହ ଅସ୍ତ୍ରଶସ୍ତ୍ର କ୍ରୟରେ ବିନିଯୋଗ କରାଯାଏ । ଏସବୁକୁ ଦେଖି ୟୁରୋପୀୟ ସଙ୍ଘର ସଭାପତି ଆଣ୍ଟୋନିଓ କୋଷ୍ଟା ଋଷିଆକୁ ଯୁଦ୍ଧର ଅସଲ ବିଜେତା ବୋଲି କହିଛନ୍ତି ।

ଇରାନ ଋଷିଆ ସମ୍ପର୍କ

ଭୂରାଜନୈତିକ ଦୃଷ୍ଟିକୋଣରୁ ଇରାନ ସହ ଋଷିଆର ସମ୍ପର୍କ ଭଲ ଅଛି । ପରସ୍ପର ଦେଶ ଆମେରିକା ବିରୋଧରେ ଏକାଠି ହୋଇଛନ୍ତି । ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ କରୁଛନ୍ତି ।୨୦୨୫ ଚୁକ୍ତି ଅନୁସାରେ, ମସ୍କୋକୁ ଅନେକ ଡ୍ରୋନ୍ ଦେଇଛି ଇରାନ । ତଥାପି ଇରାନ ବିରୋଧରେ ହେଉଥିବା ପ୍ରତ୍ୟକ୍ଷ ଆକ୍ରମଣକୁ ପୁଟିନ ରୋକିପାରୁ ନାହାଁନ୍ତି ।

କୁହାଯାଉଛି ଯେ, ଯଦି ଦୀର୍ଘଦିନ ଧରି ଯୁଦ୍ଧ ଚାଲେ ତାହାଲେ ଋଷିଆର କ୍ଷତି ହେବ । ଯଦି ଇରାନ ଆତ୍ମସମର୍ପଣ କରେ ତେବେ ଋଷ ନିଜର ଏକ ପ୍ରକୃତ ବନ୍ଧୁକୁ ହରାଇବ । ସିରିୟା ଏବଂ ଭେନେଜୁଏଲା ଦୁର୍ବଳ ହୋଇସାରିଛନ୍ତି । ଏବେ ଇରାନ ଉପରେ ସମସ୍ତଙ୍କର ଆଖି ।