ନୂଆଦିଲ୍ଲୀ: ଆମେରିକାର ସବୁ ପିଲାଙ୍କୁ ସ୍ପେସ୍ଏକ୍ସ (SpaceX) ଶେୟାର୍ ଉପହାର ଦେବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ । ସୋମବାର ଏନେଇ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ବଡ଼ ଘୋଷଣା କରିଛନ୍ତି ମସ୍କ । ପୋଷ୍ଟରେ ମସ୍କ ଲେଖିଛନ୍ତି ଯେ, ଆସନ୍ତା ବର୍ଷଠାରୁ ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ତାଙ୍କ ରକେଟ୍ ନିର୍ମାଣକାରୀ ସଂସ୍ଥାର ଗୋଟିଏ ଲେଖାଏ ଶେୟାର୍ ମାଗଣାରେ ମିଳିବ ।

ବର୍ତ୍ତମାନ ସ୍ପେସ୍ଏକ୍ସର ଗୋଟିଏ ଶେୟାରର ମୂଲ୍ୟ ପ୍ରାୟ ୧୪୬ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୧୪,୦୦୦ ଟଙ୍କା) । ଆମେରିକାରେ ପ୍ରାୟ ୭.୨ କୋଟି ଶିଶୁ ଅଛନ୍ତି । ସେହି ହିସାବରେ ମସ୍କ ବାଣ୍ଟିବାକୁ ଥିବା ଏହି ଉପହାରର ମୋଟ ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହେବ। ମସ୍କ ଆହୁରି କହିଛନ୍ତି ଯେ, ଏହା ତାଙ୍କର ପ୍ରଥମ ପଦକ୍ଷେପ ଏବଂ ଆଗାମୀ ଦିନରେ ସେ ଏଭଳି ଅନେକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ।

ରହିଛି ଅନେକ ଦ୍ବନ୍ଦ୍ବ

ତେବେ ମସ୍କ 'ଆମେରିକାର ସବୁ ପିଲା'ଙ୍କ କଥା କହିଥିଲେ ମଧ୍ୟ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କାରଣ ଏହି ଶେୟାର କେବଳ ଆମେରିକାର ସ୍ଥାୟୀ ନାଗରିକତା ଥିବା ପିଲାଙ୍କୁ ମିଳିବ କିମ୍ବା ସେଠାରେ ରହୁଥିବା ସମସ୍ତ ପ୍ରବାସୀ ପିଲା ମଧ୍ୟ ଏହାର ଲାଭ ପାଇବେ, ତାହା ସ୍ପଷ୍ଟ ହୋଇନି । ଆହୁରି ପୁଣି ଶେୟାର ପାଇବା ପାଇଁ ସର୍ବନିମ୍ନ ବା ସର୍ବାଧିକ ବୟସ କେତେ ହେବା ଦରକାର କିମ୍ବା ନବଜାତ ଶିଶୁଙ୍କୁ ଏହା ମିଳିବ କି ନାହିଁ ? ସେନେଇ ମଧ୍ୟ କୌଣସି ଗାଇଡଲାଇନ୍ ଆସିନାହିଁ ।

Also Read: ରିଲାଏନ୍ସ ସହ ବିବାଦ ମଧ୍ୟରେ ଷ୍ଟାରଲିଙ୍କର ପ୍ରତିକ୍ରିୟା, କମ୍ପାନି କହିଲା- ଭାରତର ପାଞ୍ଚ ବର୍ଷ ହେଲା ଜାରି ରଖିଛୁ ଚେଷ୍ଟା

ସୂଚନାଥାଉକି, ଆମେରିକା ନିୟମ ଅନୁସାରେ ନାବାଳକଙ୍କ ପାଇଁ 'କଷ୍ଟୋଡିଆଲ୍ ଆକାଉଣ୍ଟ' ଖୋଲାଯାଏ, ଯାହା ବାପା-ମା'ଙ୍କ ଦ୍ୱାରା ପରିଚାଳିତ ହୁଏ । କିନ୍ତୁ ଏହି ଶେୟାର କିପରି ହସ୍ତାନ୍ତର ହେବ ଏବଂ ଏହାକୁ କେବେ ବିକ୍ରି କରାଯାଇପାରିବ ? ସେ ବିଷୟରେ କମ୍ପାନୀ କିଛି ଜଣାଇନାହିଁ ।

ରାଜନୈତିକ ଚର୍ଚ୍ଚା ଜୋର

ଆମେରିକାରେ ଆସନ୍ତା ନଭେମ୍ବର ୩ରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବାକୁ ଥିବାବେଳେ ମସ୍କଙ୍କ ଏହି ଘୋଷଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ରିପବ୍ଲିକାନ ପାର୍ଟିକୁ ବଡ଼ ପରିମାଣର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି । କେବଳ ମସ୍କ ନୁହନ୍ତି, ସ୍ପେସ୍ଏକ୍ସ ପ୍ରେସିଡେଣ୍ଟ ଗ୍ୱିନ୍ ଶଟୱେଲ୍ ମଧ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ ପିଲାଙ୍କୁ ଶେୟାର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।