ନୂଆଦିଲ୍ଲୀ: ଲୋକପ୍ରିୟ ପଞ୍ଜାବୀ କଣ୍ଠଶିଳ୍ପୀ ଦଲେର ମେହେନ୍ଦିଙ୍କୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡର ଟିହରୀ ଜିଲ୍ଲାର ନରେନ୍ଦ୍ର ନଗରରେ ଆୟୋଜିତ ପ୍ରସିଦ୍ଧ କୁଞ୍ଜାପୁରୀ ମେଳା କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଯୋଗ ଦେଇଥିଲେ । ମଞ୍ଚ ଉପରେ ଗୀତ ଗାଇ ସେଠାରେ ଉପସ୍ଥିତ ଲୋକଙ୍କ ମନୋରଞ୍ଜନ କରୁଥିଲେ । କିନ୍ତୁ ଏହି ସମୟରେ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ଏବଂ ନରେନ୍ଦ୍ର ନଗରରୁ ବିଧାୟକ ସୁବୋଧ ଉନିଆଲ ମଞ୍ଚକୁ ଉଠିବା ପରେ ମାମଲା ଭିନ୍ନ ମୋଡ଼ ନେଇଥିଲା ।

ମନ୍ତ୍ରୀ ସୁବୋଧ ଉନିଆଲ ଦିଲେର ମେହେନ୍ଦିଙ୍କ ମଦ ପିଇ ଗୀତ ଗାଇବା ଉପରେ ଆପତ୍ତି କରିଥିଲେ । ମନ୍ତ୍ରୀ ଦଲେର ମେହେନ୍ଦିଙ୍କୁ ସର୍ବସାଧାରଣରେ ନିନ୍ଦା କରିଥିଲେ ଏବଂ ସେ ଗାୟକଙ୍କୁ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିବାକୁ କହିଥିଲେ ।

ବିଜେପି ମନ୍ତ୍ରୀ ସୁବୋଧ ଉନିଆଲ ମଞ୍ଚରେ ପହଞ୍ଚି କହିଥିଲେ, "ଏଠାରେ ଦେବୀ ଦୁର୍ଗା ଏବଂ ନବରାତ୍ରି ପରି ଏକ ଧାର୍ମିକ କାର୍ଯ୍ୟକ୍ରମ ହେଉଛି । ଏହି ପବିତ୍ର ଅବସରରେ ମଦ୍ୟପାନ କରି ଗୀତ ଗାଇବା ଠିକ୍ ନୁହେଁ । ତୁମେ ମଦ ପିଇ ଗୀତ ଗାଇବ । ଏହା ଠିକ୍ କଥା ନୁହେଁ । ତୁମେ ଠିକ୍ ଭାବରେ କଥା ମଧ୍ୟ କହିପାରିବ ନାହିଁ, ତୁମେ କିପରି ଗାଇପାରିବ ? ତୁମେ ଏହି ମଞ୍ଚକୁ ସମ୍ମାନ ଦେବାର ଥିଲା । ତୁମେ ଏତେ ମଦ୍ୟପାନ କରିଛ ଯେ ତୁମେ କଥା ମଧ୍ୟ କହିପାରୁନ । ଆମ ଲୋକଙ୍କ ମନୋରଞ୍ଜନ ପାଇଁ ତୁମକୁ ଏତେ ଟଙ୍କା ଦେଇଥିଲୁ । କିନ୍ତୁ ତୁମେ ସେମାନଙ୍କୁ ବୋକା ବନାଉଛ ।"

 

ମନ୍ତ୍ରୀ ଦଲେର ମେହେନ୍ଦିଙ୍କୁ ଧାର୍ମିକ କାର୍ଯ୍ୟକ୍ରମର ମର୍ଯ୍ୟାଦା ବଜାୟ ରଖିବାକୁ କହିଥିଲେ । ଏହି ଘଟଣା ଅଞ୍ଚଳରେ ବ୍ୟାପକ ଆଲୋଚନାର ବିଷୟ ପାଲଟିଥିଲା । କିଛି ଲୋକ ଧାର୍ମିକ ଆୟୋଜନର ମର୍ଯ୍ୟାଦା ବଜାୟ ରଖିବା ପାଇଁ ମନ୍ତ୍ରୀଙ୍କ ହସ୍ତକ୍ଷେପକୁ ସମର୍ଥନ କରିଥିଲେ । ତେବେ ସବୁଠାରୁ ମଜାଦାର ପ୍ରତିକ୍ରିୟା ଦଲେର ମେହେନ୍ଦିଙ୍କ ଥିଲା । ବିଜେପି ମନ୍ତ୍ରୀ ତାଙ୍କୁ ନିନ୍ଦା କରୁଥିବା ସମୟରେ, ସେ ଚୁପ୍ ଠିଆ ହୋଇଥିଲେ । ଗାୟକ ଜଣକ ଅସ୍ପଷ୍ଟ ସ୍ୱରରେ କଥା ହେଉଥିଲେ । ତାଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ ସେ ଗୋଟିଏ ଶବ୍ଦ ମଧ୍ୟ ଠିକରେ କହିପାରୁ ନଥିଲେ । ଗାୟକଙ୍କୁ ନିଶାରେ ଚୁର ଦେଖି ମନ୍ତ୍ରୀ ଆହୁରି ରାଗି ଯାଇଥିଲେ । ଦଲେର ମେହେନ୍ଦିଙ୍କ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ନିଶାଗ୍ରସ୍ତ ଅବସ୍ଥାରେ ଲାଇଭ୍ ଶୋ କରିବା ପାଇଁ ୟୁଜର୍ସ ଦିଲରଙ୍କୁ ଟ୍ରୋଲ୍ କରିଛନ୍ତି ।