ପୁରୀ ୧୯।୧୦: ମାଟ୍ରିମୋନି ଆପ୍‌ରେ ମହିଳାଙ୍କୁ ବିବାହର ମିଛ ପ୍ରତିଶ୍ରୁତି ଦେବା ଅଭିଯୋଗରେ ସାଇବର ଠକ ଗିରଫ। ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିଛି ପୁରୀ ସାଇବର ଥାନା ପୋଲିସ। ଛତିଶଗଡ଼ର ଅତିରିକ୍ତ ସଚିବ ପରିଚୟ ଦେଇ ମାଟ୍ରିମୋନି ଆପ୍ ମାଧ୍ୟମରେ ଅନେକ ମହିଳାଙ୍କୁ ଠକୁଥିଲା ସାଇବର ଠକ। ଅକ୍ଟୋବର ୧୩ ତାରିଖରେ ଜଣେ ମହିଳା ନର୍ସ ଠକାମୀର ଶିକାର ହୋଇ ସାଇବର ଥାନାରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ସାଇବର ଠକକୁ ପୁରୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତ ଅନୁଗୋଳ ମାଟିଆ ସାହିର‌ ବଳଭଦ୍ର ପ୍ରସାଦ ମିଶ୍ର। ଅଭିଯୁକ୍ତ ଠାରୁ ପୋଲିସ ୧୪ଟି ପାସ୍ ବୁକ୍, ୯‌ଟି ଚେକ୍ ବୁକ୍, ୧୭ଟି ଡେବିଟ୍ ଓ କ୍ରେଡିଟ କାର୍ଡ, ୬ଟି ମୋବାଇଲ ଫୋନ୍, ନଗଦ ୧୦ ହଜାର ଟଙ୍କା, ଗୋଟିଏ ଚାରିଚକିଆ ଯାନ ଜବତ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି।

Also Read:- ଆସ୍ଥା ଆଗରେ ହାର୍ ମାନିଲା ପ୍ରଶାସନ ! ଛତରଯାତ୍ରାରେ ରକ୍ତରଞ୍ଜିତ ଭବାନୀପାଟଣା

ଏସପିଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ବଳଭଦ୍ର ନିଜକୁ ଛତିଶଗଡ ସରକାରଙ୍କ ଅତିରିକ୍ତ ସଚିବ ପରିଚୟ ଦେଇ ଭାରତ ମାଟ୍ରିମୋନି ଆପ୍‌ରେ ମହିଳା ମାନଙ୍କୁ ବିବାହର ମିଛ ପ୍ରଲୋଭନ ଦେଉଥିଲା। ସେହିପରି ଜଣେ ମହିଳା ନର୍ସଙ୍କୁ ମଧ୍ୟ ମିଥ୍ୟା ବିବାହ ପ୍ରଲୋଭନ ଦେଇ ତାଙ୍କ ଆକାଉଣ୍ଟରୁ ୧୩ ଲକ୍ଷ ଟଙ୍କା ଉଠାଇ ନେଇଥିଲା। ସେହି ଟଙ୍କାରେ ଅଭିଯୁକ୍ତ ଫ୍ଲାଇଟରେ ବିଦେଶ ଭ୍ରମଣ କରିବା ସହ ବିଭିନ୍ନ ତାରକା ହୋଟେଲରେ ରାତ୍ରିଯାପନ କରୁଥିଲା। ଠକେଇ କରିଥିବା ଟଙ୍କାରେ ଏକ ଚାରିଚକିଆ ଯାନ କିଣି ଆରାମଦାୟକ ଜୀବନ କାଟୁଥିଲା। ଶେଷରେ ପୁରୀ ପୋଲିସ ହାତରେ ଧରାପଡି ଅଭିଯୁକ୍ତ ଜେଲ୍ ଯାଇଛି। ସାଇବର ଥାନାରେ ପଚରାଉଚରା ସମୟରେ ଅଭିଯୁକ୍ତ ଠାରୁ ଅନେକ ତଥ୍ୟ ପାଇଛି ପୋଲିସ। ଅଭିଯୁକ୍ତ ବଳଭଦ୍ରକୁ ଗିରଫ କରାଯାଇ ପୋଲିସ କୋର୍ଟ ଚାଲାଣ କରିଛି ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି।

Watch Video:​​​​​​​