ପ୍ୟାରିସ୍: ଫ୍ରାନ୍ସରେ ବଢ଼ୁଥିବା ମାହାଙ୍ଗା ,ଦରଦାମ ବୃଦ୍ଧି ଓ ଇନ୍ଧନ ଦରକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖିବାକୁ ମିଳିଛି । ଉତ୍ୟକ୍ତ ଯୁବ ପିଢ଼ି ସାରା ସହରକୁ ଜାଳୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ସୋମବାରଠାରୁ ଗଲ୍ଫ ଦେଶଗୁଡ଼ିକୁ ଗସ୍ତ ଆରମ୍ଭ କରିଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫ୍ରାନ୍ସ ପାଇଁ ଅଶୋଧିତ ତେଲ ଓ ଡିଜେଲ ଯୋଗାଣ ସୁନିଶ୍ଚିତ କରିବା ସହ ଇନ୍ଧନ ଦର ଉପରେ ପଡ଼ୁଥିବା ଚାପ କମାଇବା। ଅନ୍ୟପଟେ ଗଲ୍ଫ ଅଞ୍ଚଳରେ ଯୁଦ୍ଧଜନିତ ଅସ୍ଥିରତା ଯୋଗୁଁ ବିଶ୍ୱ ଶକ୍ତି ବଜାର ମଧ୍ୟ ପ୍ରଭାବିତ ହୋଇଛି।ଯାହାର ପ୍ରଭାବରୁ ବର୍ତ୍ତିପାରିନି ଫ୍ରାନ୍ସ ।

ମାକ୍ରୋନ୍ ସୋମବାର ତୈଳ ଉତ୍ପାଦକ ଦେଶଗୁଡ଼ିକର ସଂଗଠନର ସଦସ୍ୟ କୁଏତରେ ପହଞ୍ଚିଛନ୍ତି । ସେଠାରେ କୁଏତର ଆମିର ଶେଖ୍ ମିଶାଲ୍, ଅଲ୍-ଅହମଦ୍ ଅଲ୍-ଜାବେର୍ ଅଲ୍-ସବାହ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଏହାପରେ ମାକ୍ରୋନ୍ ସଂଯୁକ୍ତ ଆରବ ଏମିରେଟ୍ସ , ବାହାରିନ୍ ଓ କତାର ଗସ୍ତ କରିବେ। ବୁଧବାର ସୁଦ୍ଧା ଏହି ଗସ୍ତ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ଗସ୍ତରେ ଫ୍ରାନ୍ସର ଅର୍ଥନୈତିକ ଓ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ସହ ତୈଳ ଯୋଗାଣ ଏବଂ ସାମୁଦ୍ରିକ ପରିବହନର ସୁରକ୍ଷା ଉପରେ ଆଲୋଚନା ହେବ। ଫ୍ରାନ୍ସର ଦୁଇ ପ୍ରମୁଖ ଶକ୍ତି କମ୍ପାନୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ମାକ୍ରୋନଙ୍କ ସହ ଗସ୍ତରେ ସାମିଲ ହେବା କଥା ସାମ୍ନାକୁ ଆସିଛି ।

ଅନ୍ୟପଟେ, ଫ୍ରାନ୍ସରେ ବଢ଼ୁଥିବା ମାହାଙ୍ଗା ଓ ଖର୍ଚ୍ଚକୁ ନେଇ ସପ୍ତାହାନ୍ତରେ ବ୍ୟାପକ ହିଂସା ଦେଖାଦେଇଥିଲା। ଏହି ଘଟଣାରେ ୨,୫୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ରିପୋର୍ଟରେ କୁହାଯାଇଥିବା ବେଳେ । ଅନେକ ସ୍ଥାନରେ ସ୍ଥାନୀୟ ପ୍ରଶାସନିକ କାର୍ଯ୍ୟାଳୟ ଓ ଦୋକାନଗୁଡ଼ିକୁ ଲୁଟ୍ କରାଯିବା ସହ ନିଆଁ ଲଗାଇ ଦିଆଯାଇଥିଲା। ରବିବାର ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରି ମାକ୍ରୋନ୍ ଏହି ଅନିୟନ୍ତ୍ରିତ ହିଂସାକୁ ନିନ୍ଦା କରିଥିଲେ। ସୁରକ୍ଷା ଓ ଗୁଇନ୍ଦା ବ୍ୟବସ୍ଥାରେ ତ୍ରୁଟି ଥିବା ସେ ସ୍ୱୀକାର କରିଥିଲେ।

କୁଏତ ଯିବା ପୂର୍ବରୁ ମାକ୍ରୋନ୍ କହିଥିଲେ ଯେ ଦେଶର ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ଏହି ଗସ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ। ପ୍ରତିବାଦକାରୀମାନେ ଇନ୍ଧନ ଦରକୁ ନେଇ ଚିନ୍ତା ପ୍ରକାଶ କରିଥିବାରୁ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି। ଗଲ୍ଫ ଅଞ୍ଚଳରେ ଆମେରିକା-ଇରାନ୍ ଯୁଦ୍ଧ ଯୋଗୁଁ ଶକ୍ତି ଯୋଗାଣ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିବାବେଳେ । ରିପୋର୍ଟ ଅନୁଯାୟୀ, ଇରାନ୍ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଲାଗୁ ହେବାରୁ ଗଲ୍ଫ ଅଞ୍ଚଳରୁ ତୈଳ ରପ୍ତାନି ବାଧାପ୍ରାପ୍ତ ହୋଇଛି। ବିଶ୍ୱର ତୈଳ ପରିବହନ ପାଇଁ ଏହି ସାମୁଦ୍ରିକ ପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହା ସହ ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗର ଅଞ୍ଚଳରେ ସାଉଦି ତୈଳ ଟ୍ୟାଙ୍କର୍ ଓ ତୈଳ ସ୍ଥାପନାକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବା ଖବର ମଧ୍ୟ ଶକ୍ତି ବଜାରର ଚିନ୍ତା ବଢ଼ାଇଛି। ଅକ୍ଟୋବର ଆରମ୍ଭରେ ଫ୍ରାନ୍ସର ଅଧ୍ୟକ୍ଷତାରେ ହୋଇଥିବା G7 ଦେଶଗୁଡ଼ିକର ଆଲୋଚନାରେ ତୈଳ ଦର ଉପରେ ଚାପ କମାଇବା ପାଇଁ ରଣନୈତିକ ତୈଳ ଭଣ୍ଡାରରୁ ୧୦ କୋଟି ବ୍ୟାରେଲ୍ ପର୍ଯ୍ୟନ୍ତ ତେଲ ବ୍ୟବହାର କରିବା ନେଇ ସହମତି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଫ୍ରାନ୍ସର ଶକ୍ତି ବିଶେଷଜ୍ଞ ଫ୍ରାନ୍ସିସ୍ ପେରିନ୍ଙ୍କ ମତରେ, ମାକ୍ରୋନଙ୍କ ଏହି ଗସ୍ତ ଯୋଗୁଁ ତୁରନ୍ତ ଇନ୍ଧନ ଦର କମିଯିବ ବୋଲି ଆଶା କରିବା ଠିକ୍ ନୁହେଁ। ଗଲ୍ଫ ଦେଶଗୁଡ଼ିକ ବିଶ୍ୱ ବଜାରକୁ ତେଲ ଯୋଗାଇବାକୁ ଆଗ୍ରହୀ ଥିଲେ ମଧ୍ୟ ଅଞ୍ଚଳରେ ସ୍ଥିରତା ଫେରିବା ପୂର୍ବରୁ ଦୀର୍ଘମିଆଦୀ ଯୋଗାଣ ପ୍ରତିଶ୍ରୁତି ଦେବା ସେମାନଙ୍କ ପାଇଁ କଷ୍ଟକର ହୋଇପାରେ। ଫ୍ରାନ୍ସ ରାଷ୍ଟ୍ରପତି ଗଲ୍ଫ ଦେଶଗୁଡ଼ିକର ନେତାମାନଙ୍କ ସହ ସାମୁଦ୍ରିକ ପରିବହନ ସୁରକ୍ଷା ଏବଂ ତୈଳ ରପ୍ତାନି ପାଇଁ ବିକଳ୍ପ ମାର୍ଗ ଖୋଜିବା ନେଇ ମଧ୍ୟ ଆଲୋଚନା କରିବେ।ଏହି ଗସ୍ତ କେବଳ ତୈଳ ଓ ଡିଜେଲ ଯୋଗାଣରେ ସୀମିତ ନୁହେଁ। ଗଲ୍ଫ ଅଞ୍ଚଳରେ ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ସୁରକ୍ଷା ଚିନ୍ତା ବଢ଼ିଥିବାରୁ ଫ୍ରାନ୍ସ ପ୍ରତିରକ୍ଷା ସହଯୋଗକୁ ମଧ୍ୟ ଗୁରୁତ୍ୱ ଦେଉଛି। ଫ୍ରାନ୍ସ ପୂର୍ବରୁ ନିଜର ବିମାନବାହୀ ଯୁଦ୍ଧଜାହାଜ ‘ଚାର୍ଲସ୍ ଦେ ଗଲ୍’ ସହ ରାଫାଲ୍ ଯୁଦ୍ଧବିମାନ, ଏକ ଯୁଦ୍ଧଜାହାଜ ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହି ଅଞ୍ଚଳକୁ ମୁତୟନ କରିଥିଲା। ସାଉଦି ଆରବର ଲୋହିତ ସାଗର ଉପକୂଳରେ ଥିବା ୟାନବୁ ତୈଳ ଟର୍ମିନାଲ୍ର ସୁରକ୍ଷା ପାଇଁ ମଧ୍ୟ ଫ୍ରାନ୍ସ ସୈନ୍ୟ ମୁତୟନ କରିଥିବା ରିପୋର୍ଟରେ କୁହାଯାଇଛି।

ALSO READ- ଫ୍ରାନ୍ସ ଆନ୍ଦୋଳନରେ ନୂଆ ନାରା ‘Bismillah c’est les ténèbres’: ଏହି ଭାଇରାଲ୍ ସ୍ଲୋଗାନ୍‌ର ପ୍ରକୃତ ଅର୍ଥ କ’ଣ ?

ମୋଟାମୋଟି ଭାବେ, ଫ୍ରାନ୍ସ ପାଇଁ ଏବେ ଦୁଇଟି ବଡ଼ ଚ୍ୟାଲେଞ୍ଜ ରହିଛି ଦେଶ ଭିତରେ ମହଙ୍ଗା ଜୀବନଯାପନକୁ ନେଇ ଜନଅସନ୍ତୋଷ ନିୟନ୍ତ୍ରଣ କରିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ତୈଳ ଯୋଗାଣ ସୁନିଶ୍ଚିତ କରିବା। ମାକ୍ରୋନଙ୍କ ଗଲ୍ଫ ଗସ୍ତ ଏହି ଦୁଇଟି ଚ୍ୟାଲେଞ୍ଜ ମୁକାବିଲାରେ କେତେ ସଫଳ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।