ନାଇରୋବୀ: କେନ୍ୟାରେ ଇବୋଲାର ଅଷ୍ଟମ ମାମଲା ସାମ୍ନାକୁ ଆସିଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଯୋଗୁ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତି ଇବୋଲା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ଡିଆରସି କଂଗୋରେ ଇବୋଲା ଦ୍ରୁତ ପ୍ରସରୁଥିବା ବେଳେ ଦେଶରେ ଇବୋଲା ମୃତ୍ୟୁ ସଂଖ୍ୟା ୪,୫୦୦ ପାର କରିଯାଇଛି। କଂଗୋରୁ ପଡୋଶୀ ଦେଶଙ୍କୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ କେନ୍ୟା ଓ ତାଞ୍ଜାନିଆ ସମେତ ସମ୍ପୂର୍ଣ୍ଣ ପୂର୍ବ ଆଫ୍ରିକୀୟ କ୍ଷେତ୍ର ସୀମା ସିଲ କରାଯାଇଛି।

କେନ୍ୟା ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ପ୍ୟାଟ୍ରିକ୍ ଅମୋଥ ପୁଷ୍ଟି କରିଛନ୍ତି ଯେ ଦେଶର ପ୍ରଥମ ଇବୋଲା ଆକ୍ରାନ୍ତଙ୍କ ସମ୍ପର୍କରେ ଆସିବା କାରଣରୁ କ୍ୱାରେଣ୍ଟାଇନରେ ଥିବା ୪୯ ବର୍ଷ ବୟଷ୍କ ପରିଚାରକଙ୍କ ଯାଞ୍ଚ ରିପୋର୍ଟ ପଜେଟିଭ ଆସିଛି। ଅମୋଥ କହିଛନ୍ତି ଯେ ୩୮ ଜଣଙ୍କ ନମୁନା ଯାଞ୍ଚରୁ ଜଣେ ବ୍ୟକ୍ତିଙ୍କ ଠାରେ ଇବୋଲା ପୁଷ୍ଟି ହୋଇଛି। ସଂକ୍ରମିତ ବ୍ୟକ୍ତି ଜଣେ ୪୯ ବର୍ଷ ବୟଷ୍କ ପୁରୁଷ ଓ ସେ ସ୍ୱାସ୍ଥ୍ୟକର୍ମୀ ନୁହନ୍ତି। ତାଙ୍କଠାରେ ଜ୍ୱର ସହ ମୁଣ୍ଡବ୍ୟଥା ଓ ମାଂସପେଷୀରେ ଯନ୍ତ୍ରଣା ଲକ୍ଷ୍ୟଣ ଦେଖା ଦେଇଛି।

ରୟଟର୍ସ ରିପୋର୍ଟ ଅନୁସାରେ ସଂକ୍ରମିତ ଚିହ୍ନଟ ବ୍ୟକ୍ତି କେନ୍ୟାକୁ ଆସିଥିବା ପ୍ରଥମ ଇବୋଲା ରୋଗୀଙ୍କ ଦେଖାଶୁଣା କରୁଥିଲେ। ପ୍ରଥମ ଆକ୍ରାନ୍ତ ଜଣେ ୪୦ ବର୍ଷ ବୟଷ୍କ କେନ୍ୟା ନାଗରିକ ଥିଲେ, ଯିଏ ଅକ୍ଟୋବର ୩ ତାରିଖରେ କଂଗୋରୁ ୟୁଗାଣ୍ଡା ରାସ୍ତାରେ କେନ୍ୟା ପହଞ୍ଚିଥିଲେ ଓ ଅକ୍ଟୋବର ୫ ତାରିଖ ଦିନ ନାଇରୋବୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଅମୋଥ କହିଛନ୍ତି ଯେ ଏବେ ସଂକ୍ରମିତ ଚିହ୍ନଟ ବ୍ୟକ୍ତି ପ୍ରଥମ ସଂକ୍ରମିତ ବ୍ୟକ୍ତିର ଚଦର ଓ ବାସନକୁସନ ସଫା କରୁଥିଲା। ଏଣୁ ସେ ଭୂତାଣୁ ସଂସ୍ପର୍ସରେ ଆସିଛି।

ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଶନିବାର ତାଙ୍କଠାରେ ଲକ୍ଷ୍ୟଣ ଦେଖା ଦେବା ପରେ ତାଙ୍କୁ ତୁରନ୍ତ ଆଇସୋଲେଟ କରିଦିଆଯାଇଛି ଓ ରବିବାର ତାଙ୍କ ରିପୋର୍ଟ ପଜେଟିଭ ଆସିଛି। ଏହା ପୂର୍ବରୁ ପ୍ରଥମ ଆକ୍ରାନ୍ତର ୩ ସମ୍ପର୍କୀୟ ଓ ୩ ସ୍ୱାସ୍ଥ୍ୟକର୍ମୀଙ୍କ ରିପୋର୍ଟ ମଧ୍ୟ ପଜେଟିଭ ଆସିଛି। ପ୍ରଥମ ମୃତ୍ୟୁ ପରେ ଅଧିକାରୀ ପାଖାପାଖି ୧୩୦ ସମ୍ପର୍କ ଚିହ୍ନଟ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୨୮ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖା ଯାଇଛି। ପ୍ରାରମ୍ଭିକ ଚିକିତ୍ସା ପରେ ୬ ଅନ୍ୟ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି।

କଂଗୋରେ ୮ଟି ପ୍ରାନ୍ତରେ ଏବେ ଇବୋଲା ପ୍ରକୋପ କରୁଛି। ଗତ ମେ ମାସ ମଝି ସପ୍ତାହରେ ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରକୋପ ଘୋଷଣା କରିଥିଲେ। ସେବେଠାରୁ ୯,୪୦୦ ମାମଲା ସାମ୍ନାକୁ ଆସିଥିବା ବେଳେ ୪,୫୦୦ ଲୋକଙ୍କ ମୃତ୍ୟୁ ହେଲାଣି। ଏଣୁ କଂଗୋ ଇତିହାସରେ ଏହା ଇବୋଲାର ସବୁଠୁ ଘାତକ ସଂକ୍ରମଣ ବୋଲି କୁହାଯାଉଛି। ମହାମାରୀ ବିଶେଷଜ୍ଞ ସର୍ଜ ନଗାଲେବାଟୋ କହିଛନ୍ତି ଯେ ଇବୋଲା ଏକ ସାମୁଦାୟୀକ ସଂକ୍ରମଣ ଜନିତ ରୋଗ। ଏହାର ମୁକାବିଲା ନିମନ୍ତେ ଜନ ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ କେନ୍ୟା ସୀମା ସୁରକ୍ଷା କଡ଼ାକଡ଼ି କରିଛି। ଏଥି ପାଇଁ ନାଇରୋବୀ ବିମାନ ବନ୍ଦରରେ ୧୦ ଦେଶଙ୍କ ଉଡାଣ ନିମନ୍ତେ ପୃଥକ ଫାଟକ ତିଆରି କରାଯାଇଛି ଓ ଜରୁରିକାଳୀନ ହେଲପଲାଇନ ଜାରି କରାଯାଇଛି।