ମୁମ୍ବାଇ: ବଲିଉଡ ସିଙ୍କର ଜୁବିନ ନୌଟିଆଲଙ୍କ ପିତା ରାମଶରଣ ନୌଟିଆଲ ପୁଣି କଂଗ୍ରେସ ଶିବିରକୁ ଫେରିଯାଇଛନ୍ତି । ବିଜେପି ଛାଡ଼ିବାର କିଛି ଦିନ ପରେ ସୋମବାର ସେ ପୁଣି ଥରେ କଂଗ୍ରେସର ‘ହାତ’ ଧରିଛନ୍ତି । ଦୀର୍ଘ ୧୨ ବର୍ଷ ପରେ ନୂଆଦିଲ୍ଲୀରେ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାମଶରଣ ନୌଟିଆଲ । 

ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ AICC ଉତ୍ତରାଖଣ୍ଡ ପ୍ରଭାରୀ କୁମାରୀ ସୈଲଜା, ଉତ୍ତରାଖଣ୍ଡ କଂଗ୍ରେସ ସଭାପତି ଗଣେଶ ଗୋଡିୟାଲ ଏବଂ ବିଧାନସଭାର ବିରୋଧୀ ଦଳର ନେତା ଯଶପାଲ ଆର୍ଯ୍ୟଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି।

​​​​​​​

ରାମଶରଣଙ୍କ ରାଜନୈତିକ ଯାତ୍ରା
୨୦୦୦ ମସିହାରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ରାମଶରଣ । ୨୦୧୪ ପର୍ଯ୍ୟନ୍ତ କଂଗ୍ରେସରେ ଥିଲେ ଏବଂ ଡେରାଡୁନ୍ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ। ପରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ବିଜେପିରେ ୧୨ ବର୍ଷ କାମ କରିଥିଲେ । ୨୦୨୨ ମସିହାରେ ସେ ଉତ୍ତରାଖଣ୍ଡର ଚକ୍ରାତା ବିଧାନସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।

ରାମଶରଣଙ୍କୁ ଦଳକୁ ସ୍ବାଗତ କରି କୁମାରୀ ସୈଲଜା କହିଛନ୍ତି ଯେ, ସେ ଦଳର ଜଣେ ପୁରୁଣା ସହଯୋଗୀ । ତାଙ୍କ ଉପସ୍ଥିତି କଂଗ୍ରେସକୁ ଆହୁରି ମଜଭୁତ କରିବ। ତେବେ ଗାୟକ ଜୁବିନ୍ ନୌଟିଆଲ୍ ନିଜ ପିତାଙ୍କ ଏହି ଘର ବାହୁଡ଼ା ସଂପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଜୁବିନ୍‌ଙ୍କ ପିତାମାତା ରାମଶରଣ ଏବଂ ନୀନା ଉତ୍ତରାଖଣ୍ଡରେ ବିଭିନ୍ନ ବ୍ୟବସାୟ ପରିଚାଳନା କରନ୍ତି। ପିତାଙ୍କ ସଙ୍ଗୀତ ପ୍ରତି ଥିବା ଭଲପାଇବାକୁ ଦେଖି ଜୁବିନ୍ ଛୋଟ ବେଳୁ ମ୍ୟୁଜିକ୍ ପ୍ରତି ଆକର୍ଷିତ ହୋଇଥିଲେ। ଆଉ ଏବେ ସେ ଜଣେ ଲୋକପ୍ରିୟ ଗାୟକ ଭାବରେ ନିଜର ପରିଚୟ ତିଆରି କରିପାରିଛନ୍ତି ।