କଟକ ୩।୯: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ଦେବା ପାଇଁ ଆବେଦନ ହୋଇଥିଲା । ନିମ୍ନ ଅଦାଲତରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ଆବେଦନ କରିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ବିଦ୍ୟା ଭାରତୀଙ୍କ ବିରୋଧରେ NBW ଜାରି ହୋଇଛି । ଏହି ମାମଲାରେ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଗିରଫ ହୋଇ ସାରିଛନ୍ତି ।

ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ବିଦ୍ୟାଭାରତୀ ସିଆରପିସି ଧାରା ୨୦୫ ଅନୁଯାୟୀ ଆବେଦନ କରିଥିଲେ । ମାମଲାରେ ତାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାରୁ ଅବ୍ୟାହତି ଦେବା ପାଇଁ ସେ ଏହି ଆବେଦନ କରିଥିଲେ । ପୂର୍ବରୁ ଏସଡିଜେଏମ କୋର୍ଟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରି ସାରିଛନ୍ତି । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଦ୍ୟାଭାରତୀ ।

୨୦୨୧ ଜୁଲାଇ ୧୧ରେ ଘଟିଥିଲା ଏକ ଲୋମ ଟାଙ୍କୁରା ଘଟଣା । ପାରଳାଖେମୁଣ୍ଡି ସ୍ଥିତ ନିଜ ସରକାରୀ ବାସଭବନରେ ଏସିଏଫ୍‌ ସୌମ୍ୟରଞ୍ଜନ ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ଜୁଲାଇ ୧୩ରେ ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହେଲା । ଘଟଣାକୁ ନେଇ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲାର ତଦନ୍ତ ହୋଇଥିଲା । ଏହି ମାମଲାରେ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଗିରଫ ହୋଇସାରିଛନ୍ତି । ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ପରେ ସେ ତଳ କୋର୍ଟରେ ସେ ଆତ୍ମସମର୍ପଣ କରିଥିଲେ । କିନ୍ତୁ ରୋଷେୟା ମନ୍ମଥ କୁଣ୍ଡୁ ଫେରାର ଅଛନ୍ତି ।

Also Read:- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ, ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ

ପୂର୍ବରୁ ବିଦ୍ୟାଭାରତୀ ଏହି ମାମଲାରେ ହାଇକୋର୍ଟରୁ ଏକ ଅନ୍ତରୀଣ ସୁରକ୍ଷା ପାଇ ସାରିଛନ୍ତି । ବିଦ୍ୟାଭାରତୀଙ୍କ ଧାରା ୨୦୫ ଆବେଦନକୁ ନେଇ ହାଇକୋର୍ଟରେ ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ କରାଯାଇଛି । ଆଜି ବିଦ୍ୟାଭାରତୀଙ୍କ ଆବେଦନ ଉପରେ ଶୁଣାଣି ଶେଷ କରି, ହାଇକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି ।

Watch Video: