କଟକ ୩।୯: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ୫୦ ହଜାର ଟଙ୍କାର ୨ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଆବଶ୍ୟକ ବେଳେ ପୋଲିସକୁ ସହଯୋଗ କରିବା ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ମଧ୍ୟ ସର୍ତ୍ତ ରଖିଛନ୍ତି କୋର୍ଟ । ନିମ୍ନ ଅଦାଲତରେ ତାଙ୍କର ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଭୀମସେନ ଟୁଡୁ ।

 

ଗତ ଜୁନ୍ ୪ରେ ଚନ୍ଦ୍ରିକାଙ୍କ ମୃତଦେହ କାଠଯୋଡ଼ିରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଗିରଫଦାରୀ ଏଡ଼ାଇବାକୁ ପ୍ରଥମେ ଆଗୁଆ ଜାମିନ ଆବେଦନ କରିଥିଲେ ଭୀମସେନ । କିନ୍ତୁ ଜୁନ୍ ୧୩ ତାରିଖରେ ଭୀମସେନଙ୍କୁ ମୟୂରଭଞ୍ଜରୁ ଗିରଫ କରିଥିଲା ପୋଲିସ ।

ଚନ୍ଦ୍ରିକାଙ୍କ ପରିବାର ତରଫରୁ ଦିଆଯାଇଥିବା ଏତଲା ଆଧାରରେ, ଜୁନ୍ ୧୩ରେ ଗିରଫ ହୋଇଥିଲେ ଅଭିଯୁକ୍ତ ଭୀମସେନ ଟୁଡୁ । ଏହାପରେ ଭୀମସେନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ବାରଙ୍ଗ ପୋଲିସ । ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଭୀମସେନଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଥିଲା ।