ଭୁବନେଶ୍ୱର : ଭାରତ ହେଉଛି ମନ୍ଦିରମାଳିନ୍ୟ ଦେଶ । ଏଠାରେ ରହିଛି ଅନେକ ପ୍ରାଚୀନ ଓ ଭବ୍ୟ ପୁରାତନ ଯୁଗର ମନ୍ଦିର। ପୁରୀର ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ଦକ୍ଷିଣ ଭାରତର ବିଶାଳ ମନ୍ଦିର ପର୍ଯ୍ୟନ୍ତ, ସବୁଠି ଦେଖିବାକୁ ମିଳେ ଭାରତୀୟ ସଂସ୍କୃତି ଓ ସ୍ଥାପତ୍ୟକଳାର ଅନନ୍ୟ ଝଲକ। କିନ୍ତୁ ଆପଣ ଜାଣନ୍ତି କି, ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମନ୍ଦିର ପରିସର ଭାରତରେ ନୁହେଁ, ବରଂ ଭାରତ ବାହାରେ ମଧ୍ୟ ରହିଛି । ଆଉ ଏହାକୁ ନେଇ ରହିଛି ବିଶେଷ ତଥ୍ୟ | ଏହି ମନ୍ଦିର କାମ୍ବୋଡିଆରେ ଅବସ୍ଥିତ । ଏହାର ନାଁ ହେଉଛି 'ଅଙ୍ଗକୋର ୱାଟ୍' । ଆସନ୍ତୁ ଜାଣିବା, ଏହି ମନ୍ଦିରର ଇତିହାସ ଓ ଏହାକୁ ନେଇ କିଛି ରୋଚକ ତଥ୍ୟ।

ଦକ୍ଷିଣ-ପୂର୍ବ ଏସିଆର କାମ୍ବୋଡିଆ ଦେଶରେ ରହିଛି ବିଶ୍ୱପ୍ରସିଦ୍ଧ 'ଅଙ୍ଗକୋର ୱାଟ୍' ମନ୍ଦିର। ଏହା କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ପ୍ରାଚୀନ ଖମେର ସଭ୍ୟତାର ଅସାଧାରଣ ସ୍ଥାପତ୍ୟକଳାର ଏକ ଅନନ୍ୟ ଉଦାହରଣ। ବିଶାଳ ପରିସର, ଉଚ୍ଚ ଶିଖର, ପଥରରେ ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଭବ୍ୟ ନିର୍ମାଣ ଶୈଳୀ ଏହାକୁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇଛି। ଇତିହାସ ଅନୁଯାୟୀ, ଦ୍ୱାଦଶ ଶତାବ୍ଦୀରେ ଖମେର ସାମ୍ରାଜ୍ୟର ରାଜା ସୂର୍ଯ୍ୟବର୍ମନ ଦ୍ୱିତୀୟଙ୍କ ଶାସନ ସମୟରେ ଅଙ୍ଗକୋର ୱାଟ୍ ନିର୍ମାଣ କରାଯାଇଥିଲା। ପ୍ରଥମେ ଏହା ହିନ୍ଦୁ ଧର୍ମର ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଥିଲା। ପରବର୍ତ୍ତୀ ସମୟରେ ଏହା ବୌଦ୍ଧ ଧର୍ମର ଏକ ପ୍ରମୁଖ ଉପାସନା ସ୍ଥଳରେ ପରିଣତ ହୋଇଥିଲା। ଆଜି ମଧ୍ୟ ଏହି ମନ୍ଦିର ଧାର୍ମିକ ଆସ୍ଥା ଓ ଐତିହ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ।

ବିଶେଷ କରି ଅଙ୍ଗକୋର ୱାଟ୍ ମନ୍ଦିରର ଆକାର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହି ମନ୍ଦିର ପରିସର ପ୍ରାୟ ୧୬୨.୬ ହେକ୍ଟର, ଅର୍ଥାତ୍ ପ୍ରାୟ ୪୦୨ ଏକର ଅଞ୍ଚଳରେ ବ୍ୟାପ୍ତ। ଏହାର ଚାରିପାଖରେ ରହିଛି ବିଶାଳ ଜଳଖାଇ ଏବଂ ଉଚ୍ଚ ପ୍ରାଚୀର। ମନ୍ଦିରର କାନ୍ଥରେ ରାମାୟଣ, ମହାଭାରତ ଓ ହିନ୍ଦୁ ପୁରାଣ ସହ ଜଡ଼ିତ ବିଭିନ୍ନ ଦୃଶ୍ୟର ସୁନ୍ଦର ଖୋଦେଇ ଦେଖିବାକୁ ମିଳେ। ଅଙ୍ଗକୋର ଅଞ୍ଚଳକୁ ୧୯୯୨ ମସିହାରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ଦେଇଥିଲା। ଏହାର ଐତିହାସିକ ମହତ୍ତ୍ୱ ଓ ସ୍ଥାପତ୍ୟକଳା ଏହାକୁ ବିଶ୍ୱର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ କରିଛି।

କାମ୍ବୋଡିଆର ଜାତୀୟ ପତାକାରେ ମଧ୍ୟ ଅଙ୍ଗକୋର ୱାଟ୍ର ଚିତ୍ର ସ୍ଥାନ ପାଇଛି। ତେବେ ଅଙ୍ଗକୋର ୱାଟ୍ କେବଳ ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମନ୍ଦିର ପରିସର ଭାବେ ପରିଚିତ ନୁହେଁ, ବରଂ ଏହା ଭାରତୀୟ ଧାର୍ମିକ ପରମ୍ପରାର ପ୍ରଭାବ ଓ ଦକ୍ଷିଣ-ପୂର୍ବ ଏସିଆର ପ୍ରାଚୀନ ସଭ୍ୟତା ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କର ଏକ ଜୀବନ୍ତ ଉଦାହରଣ। ଏହି ଭବ୍ୟ ମନ୍ଦିର ଆଜି ମଧ୍ୟ ଇତିହାସ, ଧର୍ମ ଓ ସ୍ଥାପତ୍ୟପ୍ରେମୀଙ୍କୁ ଆକର୍ଷିତ କରୁଛି।