ଭୁବନେଶ୍ବର ୩।୮: କମିଛି ବନ୍ୟା ହେଲେ ବଢ଼ି ଯାଇଛି ଦୁର୍ଦ୍ଦଶା । ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ସେ ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବସନ୍ତ ପ୍ରଧାନ କହିଛନ୍ତି । ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, ପୁରୀ ଓ କଟକ । ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ସହ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇଛି ।

ଏସଆରସି (SRC)ଙ୍କ ସହ ସମନ୍ୱୟ ରଖି ORS, ASV (ଆଣ୍ଟି ସ୍ନେକ୍ ଭେନମ୍) ସମେତ ଆବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ବନ୍ୟା ସମୟରେ ୯୬ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଥିଲେ ମଧ୍ୟ ସାପ କାମୁଡ଼ାରେ କାହାର ମୃତ୍ୟୁ ହୋଇନାହିଁ । ସେହିପରି ଡାଇରିଆର ୧୯୫ଟି ମାମଲା ସାମ୍ନାକୁ ଆସିଛି । ଡିହାଇଡ୍ରେସନ୍ ସ୍ଥିତିକୁ ଦୃଷ୍ଟିରେ ରଖି ରୋଗୀ ମାନଙ୍କୁ ଚିକିତ୍ସା କରାଯାଉଛି ।

ଏପର୍ଯ୍ୟନ୍ତ ୨୧,୩୩୪ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ୪୮୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୩୩୨ ଜଣଙ୍କର ପ୍ରସବ ସଫଳତାର ସହ ହୋଇଥିବା ବେଳେ ଏଥିରେ ମା' କିମ୍ବା ନବଜାତ ଶିଶୁଙ୍କ ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।