ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ଵକପକୁ ନେଇ ଚାଲିଚି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି। କାରଣ ଟିମ୍ ପ୍ରସ୍ତୁତି ପାଇଁ ଆଉ ଗୋଟିଏ ବର୍ଷରୁ କମ ସମୟ ବଞ୍ଚିଛି। ତେଣୁ ଦଳର ରୂପ ରେଖ କେମିତି ରହିବ ତାକୁ ନେଇ ପ୍ରତିଟି ସିରିଜରେ କିଛିନା କିଛି ପ୍ରୟୋଗ କରୁଛି ଟିମ୍ ଇଣ୍ଡିଆ। ୧୫ ଜଣିଆ ବିଶ୍ଵକପ୍ ଦଳରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ଏହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର।

ଗତ ବର୍ଷରେ ବିଶେଷ କରି ଦ୍ରୁତ ବୋଲିଂ ୟୁନିଟରେ ଅନେକ ବୋଲର ପଦାର୍ପଣ କରିଛନ୍ତି। ଏଥିରେ ଆକିବ ନବି, ପ୍ରିନ୍ସ ଯାଦବ , ଅଂଶୁଲ କମ୍ବୋଜ ଓ ଗୁରନୂର ବ୍ରାର ସାମିଲ୍। ବିଶ୍ଵକପ୍ ପାଇଁ ଯଶପ୍ରୀତ ବୁମରା, ବିରାଟ କୋହଲି, ରୋହିତ ଶର୍ମା, ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ପରି ଅନେକ ଖେଳାଳିଙ୍କ ନାଁ ନିଶ୍ଚିତ ହୋଇ ସାରିଛି। ତେବେ ଦଳ ପ୍ରବନ୍ଧକ ଏମିତି ଖେଳାଳିଙ୍କ ସର୍ଟଲିଷ୍ଟ କରୁଛି, ଯେଉଁମାନଙ୍କୁ ନେଇ ବିଶ୍ଵକପ୍ ଟିମ ପ୍ରସ୍ତୁତ କରାଯାଇ ପାରିବ। ଆସନ୍ତୁ ନଜର ପକାଇବା ସେହି ୨୦ ଖେଳାଳିଙ୍କ ଉପରେ।

ବ୍ୟାଟର

ବ୍ୟାଟିଂରେ ଟପ୍ ଅର୍ଡରରେ ଶୁଭମନ ଗିଲ୍, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଖେଳିବା ନିଶ୍ଚିତ। ତେଣୁ ଯଶସ୍ଵୀ ଜୟସ୍ଵାଲଙ୍କ ପରି ବ୍ୟାଟରଙ୍କୁ ଦଳରେ ସ୍ଥାନ ମିଳି ନ ପାରେ। ଏପରିକି ଜୟସ୍ଵାଲଙ୍କୁ ବ୍ୟାକଅପ କିମ୍ବା ରିଜର୍ଭ ଖେଳାଳି ରୂପେ ମଧ୍ୟ ସାମିଲ୍ କରା ନ ଯାଇପାରେ। ଏହାର କାରଣ ଚୟନକର୍ତ୍ତା ଜୟସ୍ଵାଲଙ୍କୁ ଦିନିକିଆ ଦଳରୁ ପୂରା ଅଲଗା କରି ଦେଇଛନ୍ତି।

ଋତୁରାଜ ଗାଏକ୍ଵାଡ଼ଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। କାରଣ ତାଙ୍କୁ ଓ୍ଵେଷ୍ଟଇଣ୍ଡିଜ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ଚୟନ କରାଯାଇଛି। ଗାଏକ୍ଵାଡ଼ଙ୍କ ପାଇଁ ସବୁଠୁ ବଡ଼ କଥା ହେଉଛି କୌଣସି ଖେଳାଳି ଆହତ ହେଲେ ସେ ଓପନିଂ ବ୍ୟତୀତ ନମ୍ବର ୫ରେ ବ୍ୟାଟିଂ ଭାର ସମ୍ଭାଳି ପାରିବେ। ନମ୍ବର ୪ରେ ଶ୍ରେୟସ ଆୟରଙ୍କ ସ୍ଥାନ ପକ୍କା। ନମନ ଧୀର ମଧ୍ୟକ୍ରମ ଓ ନିମ୍ନକ୍ରମରେ ଦମଦାର ବ୍ୟାଟିଂ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ଏହା ସହିତ ସେ ବୋଲିଂ କରିବାକୁ ମଧ୍ୟ ମାହିର।

ଓ୍ଵିକେଟ୍ କିପର

କେଏଲ ରାହୁଲ ବିଶ୍ଵକପରେ ଭାରତୀୟ ଦଳରେ ଓ୍ଵିକେଟ୍ କିପର ଭାବେ ପ୍ରଥମ ପସନ୍ଦ। ହେଲେ ଦ୍ଵିତୀୟ ଓ୍ଵିକେଟ୍ କିପର ପାଇଁ ଲଢେଇ ଚାଲିଛି। ଇଶାନ କିଶନ ନିଜର ଦମଦାର ଫର୍ମ ଜରିଆରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଓ୍ଵିକେଟ୍ କିପିଂ କରିବା ସହ ଓପନିଂ ଏବଂ ମଧ୍ୟକ୍ରମରେ ବ୍ୟାଟିଂ କରିବାରେ ମାହିର। ତେଣୁ ସମ୍ଭବତଃ ଦ୍ଵିତୀୟ ଓ୍ଵିକେଟ୍ କିପର ଦୌଡ଼ରେ ଇଶାନ ଋଷଭ ପନ୍ତଙ୍କଠୁ ଢେର ଆଗରେ ଅଛନ୍ତି। ପନ୍ତ ୨୦୨୪ ଅଗଷ୍ଟ ପରଠୁ କୌଣସି ଦିନିକିଆ ମ୍ୟାଚ୍ ଖେଳି ନାହାନ୍ତି। ତେଣୁ ବର୍ତ୍ତମାନ ରାହୁଲ ଓ ଇଶାନଙ୍କ ରୂପେ ଦୁଇ ଜଣ ଓ୍ଵିକେଟ୍ କିପର ଚୟନକର୍ତ୍ତାଙ୍କ ନଜରରେ ରହିଛି।

ଅଲରାଉଣ୍ଡର୍ସ

ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଅବିଚ୍ଛେଦ୍ୟ ଅଙ୍ଗ। ହେଲେ ତାଙ୍କର ଆହତସମସ୍ୟା ଦଳ ପ୍ରବନ୍ଧକଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଟିମ୍ ମ୍ୟାନେଜମେଣ୍ଟ ପୂରା ଆଶା ରଖିଛନ୍ତି ଯେ, ହାର୍ଦ୍ଦିକ ଠିକଣା ସମୟରେ ସଂପୂର୍ଣ୍ଣ ଫିଟ୍ ହୋଇଯିବେ। କାରଣ ଆଫ୍ରିକି ପିଚରେ ହାର୍ଦ୍ଦିକଙ୍କ ପରି ଦ୍ରୁତ ବୋଲର ଅଲରାଉଣ୍ଡର ଟିମକୁ ମଜବୁତ ପ୍ରଦାନ କରିବା ସହ ସନ୍ତୁଳନ ରକ୍ଷା କରି ପାରିବ। ହାର୍ଦ୍ଦିକ ଖେଳନ୍ତୁ କି ନ ଖେଳନ୍ତୁ ନୀତିଶ କୁମାର ରେଡ୍ଡୀଙ୍କ ବିଶ୍ଵକପ ଟିମରେ ଚୟନ ପ୍ରାୟତଃ ନିଶ୍ଚିତ ଲାଗୁଛି। ଆଫ୍ରିକା ପରିବେଶରେ ଦୁଇ ଜଣ ଦ୍ରୁତ ବୋଲର ଅଲରାଉଣ୍ଡର ରହିବା ଦଳ ପାଇଁ ପ୍ଲସ ପଏଣ୍ଟ। ସ୍ପିନ ଅଲରାଉଣ୍ଡର ବିଭାଗରେ ଅକ୍ଷର ପଟେଲ ନେତୃତ୍ଵ ନେବେ। ତାଙ୍କୁ ସହାୟତା ଦେବା ପାଇଁ ଓ୍ଵାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିପାରେ।

ବୋଲର

ନିଃସନ୍ଦେହ ଯଶପ୍ରୀତ ବୁମରା ବୋଲିଂ ଆକ୍ରମଣର ନେତୃତ୍ଵ ନେବେ। ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ମିଳିଲେ ମଧ୍ୟ ତାଙ୍କ ପରି ବରିଷ୍ଠ ବୋଲର ଭାରତୀୟ ଦଳରେ ରହିବା ଜରୁରୀ। ଅର୍ଶଦୀପ ସିଂ ବାମହାତୀ ଦ୍ରୁତ ବୋଲର ହିସାବରେ ଦଳରେ ସ୍ଥାନ ପାଇବେ।ଅନ୍ୟପଟେ ଗତ କିଛି ସିରିଜରେ ଗୁରନୂର ବରାର ମିଳିଥିବା ସୁଯୋଗର ମଧ୍ୟ ଫାଇଦା ଉଠାଇଛନ୍ତି। ତାଙ୍କ ବ୍ୟତୀତ ଆକିବ ନବି, ଅଂଶୁଲ କମ୍ବୋଜ ନ୍ୟୁଜିଲାଣ୍ଡରେ ନିଜର ପ୍ରଦର୍ଶନ ବଳରେ ବିଶ୍ଵକପ୍ ପାଇଁ ନିଜର ଦାବିଦାର ଉପସ୍ଥାପନ କରିଛନ୍ତି।

ପୁଣି ହର୍ଷିତ ରାଣା ଅନେକ ମାସ ଧରି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି। ତାଙ୍କ ପାଖରେ ଭଲ ଗତି ରହିଛି, ଯାହା ଆଫ୍ରିକା ପରିବେଶ ଦଳ ପାଇଁ ବେଶ ଉପଯୋଗୀ ହୋଇପାରେ। ଏଥିପାଇଁ ତାଙ୍କୁ ଅଣଦେଖା କରାଯାଇ ପାରିବ ନାହିଁ। କୁଲଦୀପ ଯାଦବ ମୁଖ୍ୟ ସ୍ପିନର ଭାବେ ଦଳରେ ସ୍ଵତଃପ୍ରବୃତ ଭାବେ ଦଳରେ ସାମିଲ ହେବେସୂଚନାଯୋଗ୍ୟ, ଆସନ୍ତାବର୍ଷ ଅକ୍ଟୋବର ୨ରୁ ବିଶ୍ଵକପ୍ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ଵେ ଓ ନାମିବ୍ୟାର ମିଳିତ ଆନୁକୂଲ୍ୟରେ ବିଶ୍ଵକପ୍ ଖେଳାଯିବ। ପାକିସ୍ତାନ, ଅଷ୍ଟ୍ରେଲିଆ ସହ ଭାରତ ଗୋଟିଏ ଗ୍ରୁପରେ ରହିଛି।

ବିଶ୍ଵକପ୍ ସ୍କ୍ଵାଡ୍ ରେସରେ ୨୦ ଖେଳାଳି

ଶୁଭମନ ଗିଲ୍, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ଇଶାନ କିଶନ, ନମନ ଧୀର, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ଗୁରନୂର ବରାର, ଆକିବ ନବି, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣ ଓ ଋତୁରାଜ ଗାଏକ୍ଵାଡ଼।